ପାଞ୍ଚବର୍ଷ ହେବ ଜିଲ୍ଲା ଶ୍ରମ ଅଧିକାରୀ ନାହାନ୍ତି କେନ୍ଦ୍ରାପଡାରେ : କିନ୍ତୁ ପ୍ରଶାସନ ପଲ୍ଲୀରେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅଧିନ ତିକନପୁର ଗ୍ରାମପଞ୍ଚାୟତର ବେହୁଳ ଗ୍ରାମଦେବତୀଙ୍କ ବୀଜେସ୍ଥଳୀ ଠାରେ ବରିଷ୍ଠ ନିର୍ମାଣ ଶ୍ରମିକ ନିତ୍ୟାନନ୍ଦ ସାମଲଙ୍କ ସଭାପତିତ୍ୱରେ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ଗରଦପୁର ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଶିଷ୍ଟ ଶ୍ରମିକନେତା ତଥା ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାରେ ନିର୍ମାଣ ଶ୍ରମିକମାନଙ୍କର ଥିବା ସମସ୍ୟା ଓ ତା’ର ସମାଧାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶ୍ରୀ ତ୍ରିପାଠି ତାଙ୍କ ବକ୍ତବ୍ୟରେ ଦୀର୍ଘ୫ବର୍ଷରୁ ଉର୍ଦ୍ଧ୍ୱ ହେବ କେନ୍ଦ୍ରାପଡା ଜିଲ୍ଲାରେ ଶ୍ରମ ଅଧିକାରୀ ନଥିବା ବେଳେ ନିର୍ମାଣ ଶ୍ରମିକମାନଙ୍କ ସମସ୍ୟା ସମାଧାନ ହୋଇ ପାରୁନଥିବା ଏକ ପ୍ରମୁଖ କାରଣ । ଜିଲ୍ଲାର ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ସବୁଜାଣି ଅଜଣା ହୋଇ ରହୁଛନ୍ତି ଓ ପ୍ରଶାସନ ପଲ୍ଲୀରେ ଡିଣ୍ଡିମ ପିଟୁଛି । ସରକାରଙ୍କ କୋଭିଡ ସହାୟତା ହଜାର ହଜାର ନିର୍ମାଣ ଶ୍ରମିକ ଅଦ୍ୟାବଧି ପାଇ ନାହାନ୍ତି । ଅନ୍ୟାୟ ଭାବେ ମହିଳା ନିର୍ମାଣ ଶ୍ରମିକଙ୍କୁ ତାଙ୍କ ପଞ୍ଜିକରଣ ଦରଖାସ୍ତକୁ ବାଛି ଖାଲି ପୁରୁଷଙ୍କୁ ନିର୍ମାଣ ଶ୍ରମିକ ଭାବେ ପଞ୍ଜିକରଣ କରାଯାଇ ପରିଚୟପତ୍ର ପ୍ରଦାନ କରାଯାଉଛି । କେତୋଟି ନିର୍ଦ୍ଦିଷ୍ଟ ବ୍ଲକରେ ନିର୍ମାଣ ଶ୍ରମିକଙ୍କ ଝିଅ ବିବାହ ସହାୟତା ପ୍ରଦାନ କରାଯାଇନାହିଁ । ମନମୁଖୀ ଭାବେ ମୃତ ନିର୍ମାଣ ଶ୍ରମିକଙ୍କ ସହାୟତା ଆବେଦନ ଗ୍ରହଣ କରାନଯିବା ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ କତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ନେଇ ଶ୍ରୀ ତ୍ରିପାଠୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏସମ୍ପର୍କରେ ବିଭାଗୀୟ କତ୍ତୃପକ୍ଷଙ୍କ ସହ ବାରମ୍ବାର ଆଲୋଚନା, ବିକ୍ଷୋଭ କରାଯିବା ପରେ କେବଳ ପ୍ରତିଶୃତି ପାଉଥିବା ବ୍ୟତିତ କୈାଣସି ସମସ୍ୟା ସମାଧାନର ଆଶା ଦେଖାଯାଉନାହିଁ । ଏସବୁର ପୁଞ୍ଜିଭୁତ ଅସନ୍ତୋଷ ଦୁର୍ବାର ଆନ୍ଦୋଳନ ପାଇଁ ବାଟ କଢାଇ ନେବ ବୋଲି ଶ୍ରୀ ତ୍ରିପାଠୀଙ୍କ ସମେତ ସୁକାନ୍ତ ବାରିକ, ରଞ୍ଜିତା ମଳିକ, ଭାଗ୍ୟଧର ବେହେରା, ଫକୀର ମାହାଳି, ରମେଶ ବାରିକ, ମନ୍ମଥ ପଣ୍ଡା, ଅଜୟ ସେଠୀ ପ୍ରମୁଖ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଶେଷରେ ପ୍ରଦିପ୍ତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।