ପାଠପଢ଼ା ଖର୍ଚ୍ଚ ବନ୍ଦ କରିଦେଲା ମା, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ଛାତ୍ରୀ
ହାଟଡିହିି, (ବିକାଶ ବିଶ୍ୱାଳ):ଶିକ୍ଷୟତ୍ରୀ ମା’ ଠାରୁ ନିଜର ପାଠପଢ଼ା ଖର୍ଚ୍ଚଲାଗି ଦାବିକରି ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି ଚର୍ଚ୍ଚାରେ ଥିବା ଛାତ୍ରୀ ଜଣକ ଏବେ ମା’ ଠାରୁ ଅବହେଳାର ଶୀକାର ହୋଇ ପୁଣି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଶୁଭଲକ୍ଷ୍ମୀ ଜେନାଙ୍କ ଅଭିଯୋଗ ଅନୁଯାଇ ତାଙ୍କ ବାପା ଭଗବାନ ଜେନା ଜଣେ ଗରିବ ଚାଷୀ ହୋଇଥିବାବେଳେ ମା ସରୋଜିନୀ ଦାସ ଜଣେ ଶିକ୍ଷୟତ୍ରୀ । ମା ପଙ୍କଜିନୀ ଦାସ ଗତ ୨୦୧୮ ମସିହାରୁ ଅନ୍ୟ ଜଣେ ଯୁବକ ସହିତ ସମ୍ପର୍କ ରଖି ତାଙ୍କ ପରିବାରକୁ ଛାଡି ଆତ୍ମଗୋପନ କରି ରହୁଛନ୍ତି । ପରିବାରର ଆର୍ଥିକ ଦୁରାବସ୍ଥା ଯୋଗୁଁ ସେ ପାଠପଢ଼ାରେ ନାନା ଅସୁବିଧା ଭୋଗ କରୁଥିଲେ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଦେ୍ର୍ଦଶରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ତାଙ୍କ ମା’ଙ୍କ ଠାରୁ ସେ ପାଠପଢ଼ା ଲାଗି ଗତ ୨୦୨୨ ନଭେମ୍ବର ମାସଠାରୁ ୨୦୨୩ ଫେବୃୟାରୀ ମାସ ପର୍ଯ୍ୟନ୍ତ ପାଠପଢ଼ା ଖର୍ଚ୍ଚ ବାବଦକୁ ପ୍ରତିମାସ ୬ହଜାର କରି ଆର୍ଥôକ ସହାୟତା ପାଇ ପାରିଥିଲେ । କିନ୍ତୁ ଗତ ମାର୍ଚ୍ଚ ଓ ଏପ୍ରିଲ ଦୁଇମାସର ଖର୍ଚ୍ଚ ଆଉ ମା’ ଦେଇ ନାହାନ୍ତି । ଯାହା ଫଳରେ ଶୁଭଲକ୍ଷ୍ମୀ ରହୁଥିବା ମେସର ୧୦ହଜାର ଟଙ୍କା ବାକି ହୋଇ ଗଲାଣି । ଗୋଟିଏପଟେ ବାପା ଅର୍ଥ ଦେବାପାଇଁ ଅକ୍ଷମ ଥିବାବେଳେ ମା’ ଟଙ୍କା ବନ୍ଦ କରିଦେବାରୁ ଶୁଭଲକ୍ଷ୍ମୀର ପାଠ ପଢ଼ାରେ ବ୍ୟାଘାତ ଘଟୁଛି ଓ ସେ ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କର ମାସିକ ଭରଣପୋଷଣ ଦେବାରେ ତୁରନ୍ତ ବ୍ୟବସ୍ଥା କରିବାକୁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିବେଦନ କରିଛନ୍ତି ।