ପାଣି ପାଇଁ ବଣ ଜଙ୍ଗଲ ମଧ୍ୟରେ ଗ୍ରାମବାସୀ;ସରକାରଙ୍କ ଧୂଆଁ ବାଣ ଯୋଜନା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଭଲ ପିଇବା ଉପଯୋଗୀ ପାଣି ଟିକେ ପାଇଁ ବଣ ଜଙ୍ଗଲ ମଧ୍ୟରେ ଗ୍ରାମବାସୀ । ଏମିତି ଏକ ଦୁର୍ଶ୍ୟ ଦେଖିବାକୁ ମିଳିଛି ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ଗଞ୍ଜାମ ରେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଓ ବସୁଧା ଯୋଜନା ଅନ୍ୟତମ। ପ୍ରତ୍ୟେକ ଗ୍ରାମକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପ କରିଥିଲେ ମଧ୍ୟ ସେଥିରୁ ବାଦ ପଡିଛି ବରୁଣପୁର ଓ ସମାପଲ୍ଲୀ । ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡା ପଂଚାୟତର ବରୁଣପୁର ଓ ସମାପଲ୍ଲୀ ଗ୍ରାମରେ ବସବାସ କରନ୍ତି ପ୍ରାୟ ୫୫ ରୁ ଉର୍ଦ୍ଧ୍ବ ହରିଜନ ପରିବାର। ଆଉ ଏହି ଦୁଇ ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ପାଣି। ଭଲ ବ୍ୟବହାର ଉପଯୋଗୀ ଓ ପିଇବା ପାଣି ଟିକେ ପାଇଁ ଏଠାକାର ଲୋକମାନେ ଗ୍ରାମଠାରୁ ୧.୫ କିମି ଦୂର ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୂଅ ଉପରେ ନିର୍ଭରଶୀଳ।ବ୍ଲକ ଅଫିସ ଠାରୁ ମାତ୍ର ୧୧ କିମି ଦୂରରେ ଥିବା ଏଠାକାର ଲୋକ ଙ୍କ ଅବସ୍ଥା କହିଲେ ନସରେ। ଗ୍ରାମରେ ୩ଟି ନଳକୂପ ମଧ୍ୟ ଅଛି ହେଲେ ସେଥରୁ ଆଇରନ ଯୁକ୍ତ ପାଣି ବାହରୁଥିବାରୁ କୌଣସି କାଯ୍ୟକୁ ନୁହେଁ ଆଉ ଖରାଦିନ ଆସିଲେ ବଢିଯାଏ ଲୋକଙ୍କ ଦୁର୍ଦ୍ଦଶା। କାରଣ ଖରାଦିନେ ନଳକୂପ ଗୁଡିକ ଠିକ ସେ ଚାଲୁ ନଥିବାରୁ ବାଧ୍ୟ ହୋଇ ବଣ ଜଙ୍ଗଲ ମଧ୍ୟରେ ଥିବା ଏକ କୂଅ ଉପରେ ନିର୍ଭର କରନ୍ତି ଏ ଗ୍ରାମବାସୀ। ଏ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ କିଛି ବର୍ଷ ପୂର୍ବେ ବାହାଡ଼ାପଦର ଗ୍ରାମ୍ୟ ଜଳ ଯୋଗାଣ ତହସିଲ ଅଧିନ ରେ ଆସୁଥିବା ଏକ ପ୍ରକଳ୍ପ କୁ ମଙ୍ଗଳପୁର ଗ୍ରାମରେ ନିର୍ମାଣ କରାଯାଇଥିଲା। କିନ୍ତୁ ଉକ୍ତ ପାଇପ ଲାଇନ ଟି ବରୁଣପୁର ଓ ସମାପଲ୍ଲୀ କୁ ଦିଆଯାଇନଥିଲା। ବର୍ତ୍ତମାନ ଗ୍ରାମଠାରୁ ୨କିମି ଦୂର ମହାଗୁଡା ଠାରେ ଏକ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେଉଛି। ଯାହାର ପାଇପ ଲାଇନ ମଧ୍ୟ ବିଛାଇ ଦିଆ ଯାଇଛି। ହେଲେ ବରୁଣପୁର ଓ ସମାପଲ୍ଲୀ ଗ୍ରାମବାସୀ ଙ୍କୁ ଏହି ସୁବିଧା ସୁଯୋଗରୁ ବଂଚିତ କରାଯାଇଛି। ଏ ନେଇ ସ୍ଥାନୀୟ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଆମେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସ୍ବାଇଁ ଙ୍କୁ ଅବଗତ କରାଇବାରୁ ସେ କହିଛନ୍ତି କିଛି ବର୍ଷ ପୂର୍ବେ ମଙ୍ଗଳପୁର ଠାରେ ହୋଇଥିବା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ସମାପଲ୍ଲୀ ଗ୍ରାମକୁ ପାଣି ଯୋଗାଇବା ପାଇଁ ଚେଷ୍ଟା କରାଯାଇଥିଲା ମାତ୍ର ଉକ୍ତ ଗ୍ରାମଟି ଜଳ ପତନ ଠାରୁ ବହୁତ ଉଚ୍ଚା ଜାଗାରେ ଅବସ୍ଥାପିତ ଥିବାରୁ ପାଇପ ଲାଇନ ବିଛାଯାଇ ଜଳ ଯୋଗାଣ କରିବା ସମ୍ଭବ ହୋଇ ପାରିଲା ନାହିଁ। ବର୍ତ୍ତମାନ ମହାଗୁଡା ଠାରେ ନିର୍ମାଣଧୀନ ଜଳ ଯୋଗାଣ ପ୍ରକଳ୍ପଟି ମହାଗୁଡା ପାନ୍ୟ ଜଳ ଯୋଗାଣ ପ୍ରକଳ୍ପ ତହସିଲ ଅଧୀନରେ ଆସୁଥିବା ରୁ ସମାପଲି ଓ ବରୁଣପୁର ଗ୍ରାମକୁ ଦେବା ସମ୍ଭବ ନୁହେଁ। ଏଣୁ ଉକ୍ତ ୨ ଗ୍ରାମରେ ସୋଲାର ଜଳ ପ୍ରକଳ୍ପ ପାଇଁ ଉଛ ପଦସ୍ଥ ଅଧିକାରୀ ଙ୍କୁ ଅବଗତ କରାଯାଇଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ପୂରଣ ହେଉଛି ଏହି ଗ୍ରାମବାସୀ ଙ୍କ ଜଳକଷ୍ଟର ସମସ୍ୟା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ