ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି

ନିମାପଡ଼ା, (ସନ୍ତୋଷ ଦାଶ):ଗ୍ରୀଷ୍ମ ପ୍ରବାହ ବଢିବା ସାଙ୍ଗକୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି ।ଭୂତଳ ଜଳସ୍ତର ହ୍ରାସ ପାଇବା ଫଳରେ ଏହି ଅଞ୍ଚଳରେ ପାନୀୟ ଜଳସଙ୍କଟ ଦେଖାଦେଲାଣି । ନଦୀ, ନାଳ, କୂଅ, ପୋଖରୀ ସବୁ ଶୁଖିଲା ପଡ଼ିଥିବା ବେଳେ ନଳକୂପ ଗୁଡ଼ିକ ରେ ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି। ବ୍ଲକ ପକ୍ଷରୁ ଦୀର୍ଘ ଦୁଇ ବର୍ଷ ହେଲା ବସୁଧା ଯୋଜନାରେ ଯେଉଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେଉଛି ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଫଳରେ ଚାରିଛକ, ତୁଳସୀପୁର, ବାହାରେଣା, ତମ୍ପାଳୋ, ସାଇଲୋ, ବାମନାଳ, ବଳଙ୍ଗା, କେତକୀପାଟଣା,ଖେଲାର,ଦହିଜଙ୍ଗ,ଶ୍ରୀମୁଖ ପ୍ରଭୁତି ଅଞ୍ଚଳ ରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଜଳସ୍ତର କମିବା ଫଳରେ ନଳକୂପ ଗୁଡିକରୁ ଆବଶ୍ୟକତା ଠାରୁ କମ୍ ପରିମାଣର ଜଳ ନିର୍ଗତ ହେଉଛି ।କେତେକ ସ୍ଥାନରେ ନଳକୂପ ଶୁଖିଲା ପଡ଼ିଥିବା ଦେଖିବାକୁ ମିଳିଛି ।ଏହି ଅଞ୍ଚଳ ଏକ କୃଷି ପ୍ରଧାନ ଅଞ୍ଚଳ ।ଚଳିତ ବର୍ଷ କେନାଲରେ ପାଣି ଛଡା ଯାଇନଥିବା ବେଳେ ବହୁ ଉଠା ଜଳସେଚନ ପଏଣ୍ଟ ମାଧ୍ୟମରେ ପାଣି ଉଠାଇ ଚାଷୀ ମାନେ କୃଷିକାର୍ଯ୍ୟ କରୁଥିବାରୁ ଜଳସ୍ତର କମିବାର ଆଉ ଏକ କାରଣ ବୋଲି ଅନୁମାନ କରାଯାଉଛି ।ସେହିପରି ଚାରିଛକ ବଜାରରେ ଥିବା ଏକ ମାତ୍ର ନଳକୂପ ରୁ ପାଣି ବାହାରୁ ନାହିଁ । ବସୁଧା ଯୋଜନାରେ ନିର୍ମିତ ଦୁଇଟି ଷ୍ଟାଣ୍ଡ ପୋଷ୍ଟ ପାଣିଟାଙ୍କୀ ଅଚଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।ପାନୀୟ ଜଳ ଯୋଗାଇ ଦେବା ପାଇଁ ନୂତନ ଭାବେ ସ୍ଥାନୀୟ ବ୍ରହ୍ମକୁଣ୍ଡି ପ୍ରକଳ୍ପ ରୁ ପାଇପ ବିଛା ଯାଇ ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଟ୍ୟାପ ଲଗା ଯାଇଥିବା ବେଳେ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଚାରିଛକ ବଜାର ରେ ଥିବା ପ୍ରାୟ ୫ ଶହରୁ ଉର୍ଦ୍ଧ ବ୍ୟବସାୟୀ , ବଜାର କୁ ଆସୁଥିବା ବ୍ୟକ୍ତି ଓ ବଜାର ଦେଇ ଯାତାୟାତ କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ଜଳ କଷ୍ଟ ଭୋଗୁଛନ୍ତି । ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରବୀର କୁମାର ବଳ ଙ୍କୁ ପଚାରିବାରେ ନିର୍ମାଣଧୀନ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ଓ ଏହି ପ୍ରକଳ୍ପ ଗୁଡ଼ିକ ଶେଷ ହେଲେ ଏହି ଅଞ୍ଚଳ ର ପାନୀୟ ଜଳ ସମସ୍ୟା ଦୂର ହୋଇ ପାରିବ ବୋଲି କହିଛନ୍ତି। ଅଚଳ ନଳକୂପ ଗୁଡ଼ିକର ମରାମତି କରିବା ଓ ଟ୍ୟାଙ୍କର ମାଧ୍ୟମରେ ଜନ ସାଧାରଣ ଙ୍କୁ ଆବଶ୍ୟକସ୍ଥଳେ ପାନୀୟ ଜଳ ଯୋଗାଇଦେବା ଗ୍ରାମ ପଞ୍ଚାୟତ ର ଦାୟିତ୍ଵ ବୋଲି ସେ କହିଛନ୍ତି । ତୁରନ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ସହ ନଳକୂପ ଗୁଡ଼ିକର ମରାମତି ଓ ଏହି ଅଞ୍ଚଳ ର କେନାଲ ଗୁଡ଼ିକରେ ପାଣି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ