ପାରଳାଖେମୁଣ୍ଡି ହାଇଦ୍ରାବାଦକୁ ନୂତନ ଟ୍ରେନ୍ ଯାତାୟତ ପାଇଁ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓ ରାୟଗଡ ଜିଲ୍ଲା ଗୁଣୁପୁର ଅଭିମୁଖେ ଆସୁଥିବା କୌଣସି ଯାତ୍ରୀବାହୀ ଟ୍ରେନ୍ ହାଇଦ୍ରାବାଦ ପର୍ଯ୍ୟନ୍ତ ନଥିବାରୁ ଏହି ଅଞ୍ଚଳର ହଜାର ହଜାର ସଂଖ୍ୟକ ଯାତ୍ରୀ ଯାତାୟତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉପାନ୍ତ ଅଞ୍ଚଳ ଓଡିଶାର ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହ ସଂଲଗ୍ନ ହୋଇଥିବାରୁ ପଡୋଶୀ ଜିଲ୍ଲା ରାୟଗଡ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଓ ନିକଟସ୍ଥ ବିଜୟନଗରମ୍, ବିଶାଖାପାଟନା ଅଞ୍ଚଳର ବହୁ ସଂଖ୍ୟକ ଅଧିବାସୀ ନିଜନିଜର ଗୁଜାରଣ ମେଣ୍ଟାଇବା ପାଇଁ ହାଇଦ୍ରାବାଦ, ବୀଜୟୱାଡା, ଗୁଣ୍ଟୁର, ଚେନ୍ନାଇ, ବେଙ୍ଗୁଲୁର ଇତ୍ୟାଦି ସ୍ଥାନ ଉପରେ ନିର୍ଭର କରନ୍ତି । ଅଧିକାଂଶ ଆଦିବାସୀ ସଂପ୍ରଦାୟ ଓ ଗରୀବ ଶ୍ରେଣୀର ଜନସାଧାରଣ ପରିବାର ସହ ସେଠାରେ ଶ୍ରମିକ ଭାବେ ଓ ଅନ୍ୟାନ୍ୟ ଧନ୍ଦା କରି ପରିବାରର ଭରଣ ପୋଷଣ କରନ୍ତି । ଦ୍ଵିତୀୟରେ ଏହି ଅଞ୍ଚଳରେ ବହୁଳ ଭାବରେ ତେଲୁଗୁ ଭାଷାଭାଷୀ ବ୍ୟକ୍ତି ରହିଛନ୍ତି ଏବଂ ସେମାନଙ୍କର ବନ୍ଧୁବର୍ଗ ତଥା ସଂସ୍କୃତି ଇତ୍ୟାଦି ହାଇଦ୍ରାବାଦ ଅଞ୍ଚଳ ସହିତ ଜଡିତ । ଉଚ୍ଚଶିକ୍ଷା ସମାପ୍ତି ପରେ ଶିକ୍ଷିତ ଯୁବ ଗୋଷ୍ଠୀ ହାଇଦ୍ରାବାଦ ଅଞ୍ଚଳରେ ବିଭିନ୍ନ କମ୍ପାନୀ ଗୁଡିକରେ ବିଭିନ୍ନ ପଦପଦବୀ ଗୁଡିକରେ ଚାକିରି କରୁଅଛନ୍ତି । ଏହିସବୁ କାର୍ଯ୍ୟ ହେତୁ ଏହି ୪ଟି ଜିଲ୍ଲାର ଅଧିକାଂଶ ବ୍ୟକ୍ତି ପ୍ରତିଦିନ ହାଇଦ୍ରାବାଦ ଇତ୍ୟାଦି ସ୍ଥାନକୁ ଯାତାୟତ କରନ୍ତି । ହାଇଦ୍ରାବାଦ ଯିବାକୁ ହେଲେ ଏଠାରୁ ୬୦କି.ମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ପଲାସା ରେଳଷ୍ଟେସନକୁ ଯିବାକୁ ପଡିଥାଏ । ସେଦେଇ ଯାଉଥିବା ଟ୍ରେନ୍ ଗୁଡିକରେ ଅତ୍ୟଧିକ ଭିଡହେତୁ, ଯାତ୍ରୀମାନେ ପିଲା ,ଉର୍ଦ୍ଧ ବୟସ୍କ ବ୍ୟକ୍ତି ଓ ପରିବାର ସହ ଟ୍ରେନ୍ ରେ ଠିଆହୋଇ ପ୍ରାୟ ୨୦ ଘଣ୍ଟା ଯିବାକୁ ପଡିଥାଏ । ଅନ୍ୟପଟେ ଏହାର ସୁଯୋଗ ନେଇ ଟିକେଟ ମାଫିଆମାନେ ନିରହ ଆଦିବାସୀମାନଙ୍କ ଠାରୁ ଅତ୍ୟଧିକ ଅର୍ଥ ଆଦାୟ ସଂରକ୍ଷଣ ଟିକେଟ ପ୍ରଦାନ କରିଥାନ୍ତି । ୨୦୧୮ ମସିହାରୁ ବିଭିନ୍ନ ସଂଗଠନ ତରଫରୁ ବାରମ୍ବାର ଦାବୀ ସତ୍ତ୍ୱେ, ବିଭିନ୍ନ ଆଳ ଦେଖାଇ ରେଳମନ୍ତ୍ରଣାଳୟ ଯାତ୍ରୀମାନଙ୍କର ଏହି ଦୟନୀୟ ଅବସ୍ଥା ପ୍ରତି ଦୃଷ୍ଟି ଦେଉନାହାନ୍ତି । ବର୍ତ୍ତମାନ ନୂଆପଡା ଠାରୁ ଗୁଣୁପୁର ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗୀକାରଣ କାର୍ଯ୍ୟ ଶେଷହୋଇ ଦୂତଗାମୀ ଟ୍ରେନ୍ ଯାତାୟତ ହେବା ସହ ଏହାର ବେଗ ମଧ୍ୟ ବୃଦ୍ଧି କରାଯାଇଅଛି । ଏହି ୮୦କି.ମି ରାସ୍ତାମଧ୍ୟରେ ଅନ୍ୟୁନ ଦୁଇଟି ଷ୍ଟେସନ ତଥା କାଶୀନଗର ଓ ଗାଙ୍ଗବୋଡା ଷ୍ଟେସନରେ କ୍ରସିଂବ୍ୟବସ୍ଥା ହେଲେ ଅଧିକାଂଶ ଟ୍ରେନ୍ ଏହି ରାସ୍ତାରେ ଯାତାୟତ ହୋଇପାରିବ । ଯାତ୍ରୀମାନଙ୍କର ଏହି ସମସ୍ତ ସମସ୍ୟାର ଅବସାନ ନିମନ୍ତେ ତୁରନ୍ତ ଚଳିତ ବଜେଟରେ ଏହାକୁ ଅନୁମୋଦନ କରାଯାଇଛି , ହାଇଦରାବାଦରୁ ପାରଳାଖେମୁଣ୍ଡି, ଗୁଣୁପୁର ପର୍ଯ୍ୟନ୍ତ ଏକ ନୂତନ ଦୂତଗାମୀ ଟ୍ରେନ୍ (ବଂଶଧାରା ଏକ୍ସପ୍ରେସ୍) ରୂପେ ଚଳାଚଳ କଲେ ଓଡିଶା, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ର ଜନସାଧାରଣ ଉପକୃତ ହେବା ରାଜ୍ୟ ରକ୍ୟ ମଧ୍ୟରେ ଭାବ ବିନୀମୟ ଓ ସଂସ୍କୃତି ର ଆଦାନପ୍ରଦାନ ହୋଇପାରିବ ବୋଲି ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ପାଢୀ, ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ ଦାବି କରିଛନ୍ତି । ଏହାଦ୍ଵାରା ରେଳ ବିଭାଗର ରାଜସ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି ।