ପାରଳାରେ ପେଟ୍ରୋଲ ପମ୍ପରେ ଠକେଇ,ମେସିନକୁ ସିଲ ଓ ଜରିମାନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟିଡିସିସି ଦ୍ୱାରା ପରିଚାଳିତ ପ୍ରେଟ୍ରୋଲ ପମ୍ପର ଏକ ମେସିନ ଯେଉଁ ଥିରେ କି ପେଟ୍ରୋଲ ଭରିଲେ ଆବଶ୍ୟକତା ଠାରୁ କମ୍ ପେଟ୍ରୋଲ ଭର୍ତ୍ତି କରାଯାଉଥିବାର ଅଭିଯୋଗର ତଦନ୍ତ ପରେ ମେସିନକୁ ସିଲ କରାଯିବା ସହ ଜରିମାନା ଆଦାୟ ପାଇଁ ପଦକ୍ଷେପ ନିଆଯାଇଛି । ଜଣେ ଗ୍ରାହକ ପ୍ରତି ଦିନ ତାଙ୍କର ଦୁଇ ଗୋଟି ଗାଡିରେ ଏହି ପମ୍ପରୁ ୩ଶହ ୨୦ ଲିଟର ତେଲ ପକାଉଥିବାବେଳେ ସେ ହଠାତ ଗତକାଲି ମାପରେ ତ୍ରୁଟି ରହିଥିବା ଅଭିଯୋଗ କରିଥିଲେ । ଏପରିକି ୩୨୦ଲିଟର ତେଲରୁ ପ୍ରାୟ ୨୦ଲିଟର କମ୍ ରହୁଥିବାର ଅନୁମାନ କରି ମାପଚୁପ କରିଥିଲେ । ଏଥିରେ ୨୦ଲିଟର କମ୍ ରହିଥିବାର ଦେଖିବାକୁ ପାଇଥିଲେ । ଏହାକୁ ନେଇ ଉକ୍ତ ଗ୍ରାହକ ଜଣକ ପ୍ରଶାସନର ଦ୍ୱାରସ୍ତ ହେବାପରେ ଓଜନ ଓ ମାପ ବିଭାଗ ପକ୍ଷରୁ ଉକ୍ତ ପେଟ୍ରୋଲ ପମ୍ପ ଉପରେ ଚଢାଉ କରାଯାଇଥିଲା । ସେଠାରେ ମାପରେ କମ୍ ପେଟ୍ରୋଲ ବାହାରୁଥିବା ଦେଖିବାକୁ ମିଳିଥିଲା । ଏନେଇ ଓଜନ ଓ ମାପ ବିଭାଗର ଅଧିକାରୀ ବିଶ୍ୱଜିତ ଆପଟଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ତେଲ ପକାଇବାପାଇଁ ଯେଉଁ ମେସିନ ରହିଛି ସେ ଗୁଡିକ ୧୦ବର୍ଷକୁ ଥରେ ବଦଳାଇବାର ନିୟମ ରହିଛି । ମାତ୍ର ପେଟ୍ରୋଲ ପମ୍ପରେ ୨୦୦୨ ମସିହା ପରଠାରୁ ଉକ୍ତ ମେସିନ ବଦଳା ଯାଇ ନଥିବାରୁ ଏପରି ତ୍ରୁଟି ଦେଖା ଯାଇଛି । ତେବେ ଉକ୍ତ ମେସିନକୁ ସିଲ୍ କରାଯିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଏବଂ ଜରିମାନା ଆଦାୟ ହେବ ବୋଲି କହିଛନ୍ତି । ସେହିପରି ଉକ୍ତ ମେସିକୁ ବଦଳାଇବାପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।


