ପାରଳାରେ ଲୋକଙ୍କୁ ମିଳୁନି ପିଇବା ପାଣି, ହେଲେ ପାଇପ୍ ଫାଟି ରାସ୍ତାରେ ଭାସୁଛି ପାଣି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରରେ କିଛି ଦିନ ହେଲା ପୌରାଞ୍ଚଳରେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ | ସହରର ଲୋକଙ୍କୁ ପିଇବା ପାଇଁ ମୁନ୍ଦାଏ ପାଣି ମିଳୁ ନ ଥିବା ବେଳେ ପାଇପ ଫାଟି ରାସ୍ତାରେ ଭାସୁଛି ପାଣି. ଏନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ହେବା ସହ ତୁରନ୍ତ ବିହିତ ପଦକ୍ଷେପ ପାଇଁ ସାଧାରଣରେ ଦାବି ହୋଇଛି. ଅଭାବ ବର୍ଷା ଯୋଗୁଁ ପାରଳାର ଲାଇଫଲାଇନ କୁହାଯାଉଥିବା ମହେନ୍ଦ୍ରତନୟା ନଦୀ ଶୁଷ୍କ ହୋଇପଡ଼ିଛି। ଏହା ସହ ବିଭିନ୍ନ ଜଳାଶୟ ମଧ୍ୟ ଶୁଖୁଗଲାଣି। ଗ୍ରୀଷ୍ମର ଆଗମନରେ ଏପରି ପରିସ୍ଥିତି ଉପୁଜିଛି I ବର୍ତ୍ତମାନ ଏପରି ପରିସ୍ଥିତି ଉପୁଜିଛି ଯେ, ଦିନେ ଛାଡ଼ି ଦିନେ କିମ୍ବା କେଉଁ କେଉଁ ଅଞ୍ଚଳରେ ଦୁଇ ଦିନକୁ ଥରେ ପିଇବା ପାଣି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଛଡାଯାଉଛି। ଗତ ତିନି ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ଜଳରାଶି ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ହୋଇନାହିଁ। ଏପରି ଜଳ ସଂକଟ ସ୍ଥଳରେ ସହରର ମୁଖ୍ୟରାସ୍ତା ତଥା ବାଟଗୌଡ ସାହିଠାରୁ କଲେଜ ଛକ ମଧ୍ୟରେ ପୋଷ୍ଟ ଅଫିସ ନିକଟରେ ଏକ ପାଇପ୍ ଫାଟିଯିବାରୁ ଶହ ଶହ ଲିଟର ପାଣି ବୋହି ରାସ୍ତାରେ ଭାସୁଥିବା ସୁଥିବାର ଲକ୍ଷ୍ୟ କରାଯାଇଛି। ଦୀର୍ଘ ଦିନ ହେଲା ଏପରି ପାଣି ବୋହି ଯାଉଥିଲେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ। ଅଭିଯୋଗ କଲେ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗ ସଜାଡୁ ନ ଥିବା ଅଞ୍ଚଳବାସୀ କହିଛନ୍ତି। ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଜନ ସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଏ. ବେହେରାଙ୍କ ଦୃଷ୍ଟି ଆକାଶଣ କରିବାରେ, ସେ କହିଥିଲେ ମୁ ନୂତନ ଭାବେ ଦାୟିତ୍ୱ ବହନ କରିଛି. ତଥାପି ସମ୍ପୃକ୍ତ ଘଟଣା ନେଇ ତୁରନ୍ତ ଆବଶକ୍ୟ ପଦକ୍ଷେପ ଗ୍ରହଣ କରିବି. ପ୍ରକାଶ ଯେ, ମୁଖ୍ୟ ପାଇପ୍ ଲାଇନରୁ ରାସ୍ତାର ଅନ୍ୟପଟେ ଥିବା ଏକ ଘରକୁ ସଂଯୋଗ ହୋଇଥିବା ପାଇପ୍ ଲାଇନ୍ ଫାଟି ଯାଇଛି। ନିର୍ଗତ ହେଉଥିବା ପାଣି ରାସ୍ତାରେ ଭାସୁଥିବା ଯୋଗୁଁ ବାଟଗୌଡ଼ ସାହି ଛକ ପର୍ଯ୍ୟନ୍ତ କର୍ଦ୍ଦମାକ୍ତ ହୋଇପଡୁଛି। ପଥଚାରୀ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଗୋଟିଏ ପଟେ ଜଳକଷ୍ଟ ଅନ୍ୟପଟେ ଜଳନଷ୍ଟ ହେଉଥିବା ଦେଖ୍ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।


