ପାରଳାର ପୂର୍ବତନ ବିଧାୟକ ସୂରିୟା ରାଓ କଂଗ୍ରେସରୁ ଇସ୍ତଫା ଦେଲେ ବିଜେଡିରେ ଯୋଗ ଦେବା ସମ୍ଭାବନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାଣୀପେଣ୍ଠ ଗ୍ରାମର ନିଜସ୍ୱ ବସଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାରଳା ଆସନର ପରାଜିତ କଂଗ୍ରେସ ବିଧାୟକ ପ୍ରାର୍ଥୀ କେ. ସୁରିୟା ରାଓ କଂଗ୍ରେସ ଦଳରୁ ଆଜି ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ବିଧିବଦ୍ଧ ଭାବେ ଆଜି ତାଙ୍କର ଇସ୍ତଫାପତ୍ର ପିସିସି ଓ ଏଆଇସିସିକୁ ପଠାଇ ଦେଇଥିବା କହିଛନ୍ତି । ଶ୍ରୀ ରାଓ ତାଙ୍କ ପରାଜୟ ପାଇଁ ପିସିସି ଓ ଏଆଇସିସିକୁ ମୁଖ୍ୟତଃ ଦାୟୀ କରି କହିଲେ ଯେ, କଂଗ୍ରେସ ପ୍ରାର୍ଥୀ ଭାବେ ମୋର ନାମ ଘୋଷଣା ଶେଷ ପର୍ଯାୟରେ କରାଗଲା । ଏଥି ପୂର୍ବରୁ କଂଗ୍ରେସର ବିଦ୍ରୋହି ପ୍ରାର୍ଥୀ କଂଗ୍ରେସରୁ ଟିକେଟ ନପାଇ ହାତ ଚିହ୍ନର ଶୋଭାଯାତ୍ରା କରି ପ୍ରାର୍ଥୀପତ୍ର ଦାଖଲ କରିବା କଂଗ୍ରେସ ଭୋଟକୁ ଅଧିକ ମାତ୍ରାରେ ବିଭାଜନ କଲା । ସେହିପରି ବିଜେପି ଓ ବିଜେଡି ଦଳର ପ୍ରାର୍ଥୀଙ୍କ ପ୍ରଚାର ସକାଶେ ଷ୍ଟାର କ୍ୟାମ୍ପନର ଭାବେ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ଆସିଥିବା ବେଳେ କଂଗ୍ରେସ ଦଳର ପିସିସି କିମ୍ବା ଏଆଇସିସିରୁ ଜଣେ ହେଲେ ଷ୍ଟାର କ୍ୟାମ୍ପାନେର ଏଠାକୁ ଆସିଲେ ନାହିଁ । କଂଗ୍ରେସ ଦଳ ପ୍ରତ୍ୟେକ କ୍ଷେତ୍ରରେ ମୋର ପରାଜୟ ପାଇଁ କାରଣ ସାଜିଛି । କଂଗ୍ରେସର ଦୁର୍ଗଭାବେ ପରିଚିତ ପାରଳାଖେମୁଣ୍ଡି ବିଧାନସଭା ଆସନରେ ମୋର ପରାଜୟର ମୁଖ୍ୟ କାରଣ ମୋ ଦଳ କଂଗ୍ରେସର ନେତୃବୃନ୍ଦମାନେ ହିଁ ଦାୟୀ । ତେଣୁ ଏଭଳି ଦଳରେ ରହିବା ଉଚିତ ନୁହେଁ । ତେଣୁ ମୁଁ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଲି । ଏହି ଖବରଦାତା ସମ୍ମିଳନୀରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ ଯେ ମୁଁ ଦଳ ପରିବର୍ତ୍ତନ କରିବି କିନ୍ତୁ ଜନସାଧାରଣଙ୍କ ଓ ମୋର ହଜାର ହଜାର ସମର୍ଥକଙ୍କ ମତାମତ ପରେ କେଉଁ ଦଳକୁ ଯିବି ତାହା ସ୍ଥିର କରିବି । ତେବେ ଗତକାଲି ପାରଳାଖେମୁଣ୍ଡି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂରିୟା ରାଓ କହିଥିଲେ କଂଗ୍ରେସ ଛାଡିବା ନିଶ୍ଚିତ । ବିଜେପି ଦଳକୁ ଯିବା ସମ୍ବାବନା ନାହିଁ । ବିଜେଡି ଦଳକୁ ଯାଇପାରନ୍ତି କି ବୋଲି ପ୍ରଶ୍ନର ଉତ୍ତର ଦେଇ ପରୋକ୍ଷରେ ବିଜେଡି ଯିବା ନେଇ ଶ୍ରୀ ରାଓ ସୂଚନା ଦେଇଥିଲେ । ଏଥିସହ ଶ୍ରୀ ରାଓଙ୍କ କେତେକ ଦୃଢ ସମର୍ଥକ ମତ ଦେଇଛନ୍ତି ଯେ ଓଡିଶାରେ ନବୀନ ସରକାରଙ୍କ ପ୍ରଗତି ଓ ଉନ୍ନତି ସହ ବିଜୟ ଧାରା ଲାଗିରହିଛି । ପାରଲା ବିଧାନସଭା ଆସନର ଉନ୍ନତି ଓ ଲୋକଙ୍କ ବିବିଧ ସମସ୍ୟାର ସମାଦାନ ପାଇଁ ସୂରିୟା ରାଓ ବିଜେଡିରେ ଯୋଗ ଦେବା ଉଚ୍ଚିତ । ତେଣୁ ଆଗାମୀ ଦିନରେ ସୂରିୟା ରାଓ ବିଜେଡିରେ ଯୋଗ ଦେବା ନିଶ୍ଚିତ ବୋଲି ପାରଳା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।