ପାରଳାର ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କ ପକ୍ଷରୁ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଗାନ୍ଧୀ ଛକସ୍ଥ ଗୌରହରିପାଠାଗାର ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଗୁରୁବୀର ସିଂ, ଗଜପତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଡିଏସ୍ଓ ପ୍ରଭାକର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଗୌରହରି ପାଠାଗାରର ରମେଶ ପାଢୀ ପ୍ରମୁଖ ଉପସ୍ଥିତଥିଲେ । ସେହିପରି ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇ ଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମହାତ୍ମା ଗାନ୍ଧୀଙ୍କ ସତ୍ୟ ନିଷ୍ଠା ଓ ଅହିଂସା ଦ୍ୱାରା ଅନୁପ୍ରାଣିତ ହେବା ସଙ୍ଗେ ସଙ୍ଗେ ନିଜ କାର୍ଯ୍ୟାଳୟ ତଥା ଜିଲ୍ଲାର ଶିକ୍ଷାର ଉନ୍ନତି ନିମନ୍ତେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ଆହ୍ୱାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ, ସଞ୍ଜୟ ପାତ୍ର, ସୁରେନ୍ଦ୍ର ପାତ୍ର, ଇସଆନ ଚାନ୍ଦ ଓଂକାର ପ୍ରମୁଖ ଉପସ୍ଥିତଥିଲେ । ସେହିପରି ମହିଳା ମହାବିଦ୍ୟାଳୟ ଠାରେ ମଧ୍ୟ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।