ପାରଳା ମୁନିସିପାଲିଟିରେ ଚାଲିଛି ସଫେଇ ବ୍ୟବସ୍ଥା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ମୁନିସିପାଲିଟି ତରଫରୁ ସହର ଡ୍ରେନଜେ ବ୍ୟବସ୍ଥା ରହିଛି. ବିଭିନ୍ନ କାରଣରୁ ପ୍ରତ୍ୟେକ ଦିନ ଅଳିଆ, ଆବର୍ଜନା ଓ ବିଭିନ୍ନ ବସ୍ତୁକୁ ଡ୍ରେନରେ ଢାଳି ଦିଆଯାଉଛି. ଯଦ୍ୱାରା ସାମାନ୍ୟ ବର୍ଷା ହେଲେ ଡ୍ରେନରେ ଥିବା ଏହି ଆବର୍ଜନାଗୁଡିକ ସହରରେ ଥିବା ସମସ୍ତ ରାସ୍ତାଘାଟରେ ଭାସିଵା ସହ ପରିବେଶ ଦୂଷିତ ହେଉଛି. ସହରରେ ପାରଳା ମୁନିସିପାଲିଟି ତରଫରୁ ସଫେଇ କରି ପରିବେଶକୁ ସଫାସୁତୁରା କରିବା ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି. ହେଲେ ଠିକା ସଂସ୍ଥା ତାର କିଛି ଲୋକଙ୍କୁ ଦାୟିତ୍ୱ ଦେଇ ବିଭିନ୍ନ ସମୟରେ ଡ୍ରେନଜ ଏବଂ ବିଭିନ୍ନ ଅଞ୍ଚଳର ଆବର୍ଜନାକୁ ସଫା କରାଯାଉନାହିଁ. ତଦ୍ୱାରା ପରିବେଶ ଓ ପରିମଳ ବ୍ୟବସ୍ଥା ପାରଳା ସହରରେ ଭୁଶୁଡି ପଡିଛି. ପାରଳା ମୁନିସିପାଲିଟି ଠିକା ସଂସ୍ଥାକୁ ସଫେଇ ଦାୟିତ୍ୱ ଟେକି ଦେଇ ଠିକ ଭାବେ ସଫେଇ ହେଉନଥିବା ପ୍ରତେକ୍ଷରେ ଦୃଶ୍ୟମାନ ହେଲେ ସୁଧା କୌଣସି ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ଅବସ୍ଥା ଦିନକୁ ଦିନ କଦର୍ଯ୍ୟ ହେବାରେ ଲାଗିଛି. ଠିକସଂସ୍ଥାର ମର୍ଜିରେ ପାରଳାର ସଫେଇ ବ୍ୟବସ୍ଥା ଚାଲିଛି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି. ପୂର୍ବରୁ ପ୍ରତି ସପ୍ତାହରେ ସହରର ନାଳ ସଫା କରିବା ସହ ମଶା ମରା ଔଷଧ ସିଞ୍ଚନ କରାଯାଉଥିଲା. କିନ୍ତୁ ବର୍ତ୍ତମାନ ପୌରପାଳିକା ଏହାକୁ ବନ୍ଦ କରିଦେଇଥିବା ମନେ ହେଉଛି. ବିଭିନ୍ନ ସାହି ଗୁଡିକରେ ନାଳ ଉପରେ ଢାଙ୍କୁଣୀ ଦେଇ ମୁହଁ ବନ୍ଦ କରିଦିଆଯାଇଛି. ହେଲେ ନାଳ ଖୋଲାଥିବା ଅଞ୍ଚଳରେ ଆବର୍ଜନା ବାହାରେ ଭାସୁଛି. ପୂର୍ତ୍ତ ବିଭାଗ ସହରର କିଛି ପ୍ରମୁଖ ଅଞ୍ଚଳର ନାଳ ଗୁଡିକୁ ରାସ୍ତା ତିଆରି ନାମରେ ବନ୍ଦ କରିଦେଇଥିବାବେଳେ ଏହାର ଆଉ ପୁନଃରୁଦ୍ଧାର କରାଯାଉନାହିଁ. ଫଳରେ ନର୍ଦମା ପାଣି ରାସ୍ତାରେ ଭାସୁଛି. ସହରର ସମସ୍ତ ଦୋକାନୀ ଅଳିଆ ଆବର୍ଜନା ବାହାରେ ପକାଉଥିବାବେଳେ ପୌରପାଳିକାର ନିୟମକୁ ମାନୁନାହାନ୍ତି. ବାରମ୍ବାର ସଚେତନ ପରେ ମଧ୍ୟ ସେମାନେ ରାତିରେ ଦୋକାନ ବନ୍ଦ କଲାବେଳେ ଅଳିଆକୁ ରାସ୍ତାରେ ପକାଇ ଦେଇ ଯାଉଛନ୍ତି. ଫଳରେ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଵାସହ ସହରର ଆବର୍ଜନାପୂର୍ଣ୍ଣ ହୋଇ ରହିବା ଯୋଗୁଁ ପରିବେଶ ଦୂଷିତ ହେଵାସହ ଗନ୍ଧମୟପରିବେଶ ସୃଷ୍ଟି ହେଉଛି. ପଟେ ସହରର ସଫେଇ ପାଇଁ ଯେଉଁ ଠିକା ସଂସ୍ଥା ଦାୟିତ୍ୱ ନେଉଛନ୍ତି, ସେମାନେ ସୁପରଭାଇଜରକୁ ଦାୟିତ୍ୱ ଦେଇ ଖସି ଯାଉଛନ୍ତି. ପାରଳା ମୁନିସିପାଲିଟିର ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇବା ପାଇଁ ରହିଛନ୍ତି ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ. ଏଥିସହ ରହିଛନ୍ତି ନବ ନିର୍ବାଚିତ କାଉନସିଲ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ. ଏମାନେ ସମସ୍ତେ ପାରଳାଖେମୁଣ୍ଡି ସହର ମଧ୍ୟରେ ବସବାସ କରି ଆସୁଛନ୍ତି. ଆବର୍ଜନାପୂର୍ଣ୍ଣ ହୋଇ ରହିଥିବା ଏମାନେ ପ୍ରତେକ୍ଷ୍ୟ ଭାବେ ଦେଖି ଆସୁଛନ୍ତି. ତଥାପି କୌଣସି ପଦକ୍ଷେପ କାହିଁକି ଗ୍ରହଣ କରୁନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି.


