ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା କଂଚୁରୁ ଛକ ନିକଟରେ ଜଣେ ଯୁବକ ପାରିବାରିକ କଳହକୁ କେନ୍ଦ୍ର କରି ମଙ୍ଗଳବାର ରାତିରେ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛି । ମୃତକ ଜଣକ ହିନ୍ଦୋଳ ଅଂଚଳର ବାଲ୍ୟ ବିଷୋୟୀ (୨୭) । ପ୍ରକାଶ ଯେ, ଉଭୟ ସ୍ୱାମୀ-ସ୍ତ୍ରୀ ମୁମ୍ବାଇରେ କୌଣସି ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଯୁବକଙ୍କ ବାପା ଘର ସହିତ କଳି ଝଗଡ଼ା ହେବା ପରେ ଗତ କିଛି ମାସ ହେଲା ହିଞ୍ଜିଳି ଥାନା କଂଚୁରୁ ଛକ ନିକଟରେ ଭଡ଼ା ସୁତ୍ରରେ ଏକ ଘରେ ରହି ଆସୁଥିଲେ । ମଙ୍ଗଳବାର ସନ୍ଧ୍ୟାରେ ସ୍ୱାମୀ- ସ୍ତ୍ରୀ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ରାତିରେ ସ୍ତ୍ରୀ ଓ ୨ବର୍ଷର ପୁଅ ଶୋଇଥିବା ବେଳେ ଯୁବକ ଜଣକ ଘର ମଧ୍ୟରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା । ବୁଧବାର ସକାଳେ ହିଞ୍ଜିଳି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୨୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।