ପାରିବାରିକ ବିବାଦ ଭାଇ ଓ ଜ୍ବାଇଁଙ୍କ ଆକ୍ରମଣରେ ୨ଭଉଣୀ ଆହାତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଝରିପଦର ଗ୍ରାମରେ ପାରିବାରିକ ବିବାଦ କୁ କେନ୍ଦ୍ରକରି ଭାଇ ଦେବେନ୍ଦ୍ର ସେଠୀ ଏବଂ ଜ୍ବାଇଁ ବଳରାମ ସେଠୀ ଙ୍କ ଆକ୍ରମଣରେ ଭଉଣୀ ରଶ୍ମିତା ସେଠୀ ଏବଂ ମାମି ସେଠୀ ଆହାତ ହୋଇଥିବା ଅଭିଯୋଗ ହୋଇଛି।ରଶ୍ମିତା ବୁଧବାର ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା (ନଂ.୪୯୦/୨୪) ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ଦେବେନ୍ଦ୍ର ଙ୍କୁ ତାଙ୍କ ବାପା ଗୋବିନ୍ଦ ଭୂ – ସମ୍ପତ୍ତି ପ୍ରଦାନ କରିଥିଲେ ମଧ୍ୟ ସେ ତାଙ୍କୁ ଭରଣ ପୋଷଣ କରୁନାହାନ୍ତି। ବୃଦ୍ଧ ଗୋବିନ୍ଦ ଗାଁ ରେ ବିବାହ କରିଥିବା ଝିଅ ଘରେ ରହୁଛନ୍ତି।ଘଟଣାକୁ କେନ୍ଦ୍ରକରି ବାପ – ପୁଅ ଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ଗାଁ ରେ କୁଳ ଭଦ୍ରଲୋକଙ୍କ ଉପସ୍ଥିତିରେ ଅନେକଥର ସଭା କରାଯାଇଥିଲେ ମଧ୍ୟ ବିବାଦର ସମାଧାନ ହୋଇପାରିନଥିଲା। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ବାପା ଙ୍କ ଭରଣ ପୋଷଣ କୁ ନେଇ ୨ ଭଉଣୀ କଥା ହେଉଥିବା ବେଳେ ଭାଇ ଦେବେନ୍ଦ୍ର ଏବଂ ଜ୍ବାଇଁ ବଳରାମ ସେଠାରେ ପହଞ୍ଚି ଉଭୟଙ୍କୁ ଅଶ୍ଳିଳ ଭାଷା ରେ ଗାଳି ଗୁଲଜ କରିଥିଲେ।ପ୍ରତିବାଦ କରିବାରୁ ବଳରାମ ଏକ ଲୁହା କୋଡ଼ି ରେ ମାମି ଙ୍କୁ ଆକ୍ରମଣ କରିଥିଲେ।ମାମି ଙ୍କ ଡ଼ାହାଣ ହାତ ରେ ଆଘାତ ଲାଗିବାରୁ ରକ୍ତସ୍ରାବ ହୋଇଥିବା ଏତଲାରେ ଉଲ୍ଲେଖ ରହିଛି।ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ଘଟଣାର ତଦନ୍ତ କରୁଛନ୍ତି।