ପିଆଇବି ପକ୍ଷରୁ “ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କ ଭୂମିକା” ଶୀର୍ଷକ ୱେବିନାର ଅନୁଷ୍ଠିତ

ଭୁବନେଶ୍ୱର,(ୱାଇଏନ୍ଏସ୍): ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ (୩୧ ଅକ୍ଟୋବର)ର ଅବ୍ୟବହିତ ପୂର୍ବରୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଓଡ଼ିଶା ଶାଖା ପକ୍ଷରୁ “ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କ ଭୂମିକା” ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ, ଲେଖକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ପ୍ରଫେସର. ପ୍ରଫୁଲ୍ଲ କୁମାର ମହାନ୍ତି, ବିଶିଷ୍ଟ ସାମ୍ବାଦିକ, ଲେଖକ ତଥା ସୁବାର୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ଅଂଶଗ୍ରହଣ କରିଥିଲେ ।
ପ୍ରାରମ୍ଭରେ ୱେବିନାରର ଅଧ୍ୟକ୍ଷତା କରି ଶ୍ରୀ ମାଲବ୍ୟ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହିତ ମହାନ ରାଷ୍ଟ୍ରନୀତିଜ୍ଞ ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଜୀବନାଦର୍ଶ ଉପରେ ସମ୍ୟକ ଆଲୋକପାତ କରିଥିଲେ । ଶ୍ରୀ ମାଲବ୍ୟ କହିଥିଲେ ଯେ ସର୍ଦ୍ଦାର ପଟେଲଙ୍କର ଅଖଣ୍ଡ ଭାରତ ଗଠନରେ ମହାନ ଯୋଗଦାନ ରହିଥିଲା । ତାଙ୍କ ବିଷୟରେ ଥରେ ମହାତ୍ମା ଗାନ୍ଧୀ କହିଥିଲେ ଯେ ଯେତେବଡ଼ ସମସ୍ୟା ହେଉ ପଛେ ତା’ର ସମାଧାନ କେବଳ ସର୍ଦ୍ଦାର ପଟେଲଙ୍କ ଦ୍ୱାରା ହୋଇପାରିବ । ସେ ଭାରତୀୟ ପ୍ରଶାସନିକ ସେବାର ସ୍ଥପତି ଥିଲେ, ଏହାକୁ ସେ ସ୍ୱଚ୍ଛତା, ପାରଦର୍ଶିତା ଓ ନିରପେକ୍ଷତାରେ ଆଧାରରେ ଗଠନ କରିଥିଲେ ।
ମୁଖ୍ୟ ବକ୍ତା ଶ୍ରୀ ମାଝୀ ଭାରତର ସାଂସ୍କୃତିକ ଓ ରାଜନୈତିକ ଅଖଣ୍ଡତାର ଇତିହାସ ଉପରେ ଆଲୋକପାତ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତର ସାଂସ୍କୃତିକ ଐକ୍ୟ ପଶ୍ଚିମରେ ଆଫଗାନିସ୍ତାନ ଠାରୁ ଆରମ୍ଭ କରି ପୂର୍ବରେ ଚୀନ ପର୍ଯ୍ୟନ୍ତ ଏବଂ ଦକ୍ଷିଣରେ ବାଲି ଦ୍ୱୀପ, ଇଣ୍ଡୋନେସିଆ ପର୍ଯ୍ୟନ୍ତ ବ୍ୟାପି ରହିଥିଲା । କିନ୍ତୁ ଏହି ଭାରତ ବର୍ଷକୁ ରାଜନୈତିକ ଏକତା ପ୍ରଦାନ କରିବା ଲାଗି ଇତିହାସର ମହାନ ଶାସକ ଅଶୋକ ଏବଂ ପରେ ମୋଗଲ ସମ୍ରାଟ ଆକବର ମଧ୍ୟ ସମର୍ଥ ହୋଇପାରିନଥିଲେ । ଯାହାଫଳରେ ବିଭାଜିତ ଭାରତ ବର୍ଷକୁ ବାଣିଜ୍ୟ କରିବା ଲାଗି ଆସିଥିବା ଇଂରେଜମାନେ ଏହାର ଲାଭ ଉଠାଇ ସମ୍ପୂର୍ଣ୍ଣ ଭାରତ ବର୍ଷରେ ସେମାନଙ୍କର ଉପନିବେଶବାଦକୁ ପ୍ରସାରିତ କରିଥିଲେ । ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ତୀବ୍ର ଆକାର ଧାରଣ କରିବା ପରେ ଇଂରେଜମାନେ ଭାରତକୁ ସ୍ୱାଧୀନତା ଦେବାକୁ ବାଧ୍ୟ ହୋଇଥିଲେ । ଏହାପରେ ଶହ ଶହ ଦେଶୀୟ, ଗଡ଼ଜାତ ରାଜ୍ୟରେ ବିଖଣ୍ଡିତ ହୋଇ ରହିଥିବା ଭାରତକୁ ଗୋଟିଏ ଭୂଖଣ୍ଡରେ ପରିଣତ କରିବାର ଗୁରୁଦାୟିତ୍ୱ ଲୌହପୁରୁଷ ସର୍ଦ୍ଦାର ପଟେଲଙ୍କୁ ମିଳିଥିଲା, ଯାହାକୁ ସେ ସଠିକ ଭାବେ ନିର୍ବାହ କରିଥିଲେ । ତାଙ୍କର ସଫଳ ଉଦ୍ୟମ କ୍ରମେ ୫୬୨ଟି ଦେଶୀୟ ରାଜ୍ୟ ଅଖଣ୍ଡ ଭାରତରେ ସାମିଲ ହୋଇଥିଲା ସେହିପରି ଓଡ଼ିଶାରେ ମଧ୍ୟ ୨୬ଟି ଦେଶୀୟ ରାଜ୍ୟ ମୂଳ ଭାରତ ଭୂଖଣ୍ଡ ସହ ମିଶିଥିଲେ । ବିଶେଷ କରି ଜୁନାଗଡ଼, ହାଇଦ୍ରାବାଦ ଭଳି ଦେଶୀୟ ରାଜ୍ୟକୁ ଭାରତରେ ମିଶାଇବା କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ସର୍ଦ୍ଦାର ପଟେଲ କଶ୍ମୀର ବ୍ୟାପାରରେ ସମ୍ପୃକ୍ତ ହୋଇଥିଲେ ଆଜି ଏହା ଏକ ସମସ୍ୟା ହୋଇ ରହିନଥାନ୍ତା । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ସର୍ଦ୍ଦାର ପଟେଲ ପିଲାଦିନୁ ବେଶ ଦୃଢ଼ମନା ଥିଲେ । ତାଙ୍କର ବାଲ୍ୟ ଜୀବନ, ବିଲାତରେ ଓକିଲାତି, ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ, ଅହମ୍ମଦାବାଦ ମହାନଗରର ପ୍ରଶାସକ ଦାୟିତ୍ୱ ନିର୍ବାହ, ଭାରତର ଉପପ୍ରଧାନମନ୍ତ୍ରୀ ଭାବେ ଗୃହ ମନ୍ତ୍ରଣାଳୟର ଗୁରୁଦାୟିତ୍ୱ ତୁଲାଇବା ଆଦି ଦେଶବାସୀ, ବିଶେଷ କରି ବର୍ତମାନର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ସ୍ରୋତ ବୋଲି ପୂର୍ବତନ ସାଂସଦ ଶ୍ରୀ ମାଝୀ କହିଥିଲେ । ସେ ଆହୁରି କହିଥିଲେ ଯେ ସ୍ୱାଧୀନତା ପରବର୍ତୀ ଭାରତ ବର୍ଷରେ ସର୍ଦ୍ଦାର ପଟେଲଙ୍କୁ ଯେତିକି ସମ୍ମାନ ମିଳିବା କଥା ତାହା ମିଳିପାରିନାହିଁ । ଅଖଣ୍ଡ ଭାରତ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ବର୍ତମାନର ପିଢ଼ିଙ୍କୁ ଅବଗତ କରାଇବା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ସେହିପରି ଅନ୍ୟତମ ବକ୍ତା ପ୍ରଫେସର ମହାନ୍ତି ସର୍ଦ୍ଦାର ପଟେଲଙ୍କୁ ଆଧୁନିକ ଅଖଣ୍ଡ ଭାରତ ଏବଂ ଆଧୁନିକ ଭାରତୀୟ ପ୍ରଶାସନିକ ସେବାର ସ୍ଥପତି ଭାବେ ଅଭିହିତ କରିଥିଲେ । ସେ କହିଥିଲେ ଯେ ଭାରତର ବିଭାଜନ ସର୍ଦ୍ଦାର ପଟେଲଙ୍କୁ ଅଶେଷ ଯନ୍ତ୍ରଣା ଦେଇଥିଲା । ତଥାପି ସେ ଭାରତର ରାଜନୈତିକ ଐକ୍ୟ ପ୍ରତି ବଳିଷ୍ଠ ଯୋଗଦାନ ଦେଇଯାଇଛନ୍ତି । ସର୍ଦ୍ଦାର ପଟେଲଙ୍କୁ ଦୂରରେ ରଖାଯିବା ଯୋଗୁ କଶ୍ମୀର ପ୍ରସଙ୍ଗ ଆଜି ଏକ ସମସ୍ୟା ଭାବେ ଉଭା ହୋଇଛି । ପିଓକେ ଓ ଅକସାଇ ଚୀନ ଭାରତ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି । ବର୍ତମାନର ଯୁବପିଢ଼ି ସର୍ଦ୍ଦାର ପଟେଲଙ୍କ ରାଷ୍ଟ୍ର ଗଠନରେ ବଳିଷ୍ଠ ଯୋଗଦାନକୁ ସ୍ମରଣ କରିବା ସହିତ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରଫେସର ମହାନ୍ତି ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓଡ଼ିଶା ସହିତ ସର୍ଦ୍ଦାର ପଟେଲଙ୍କ ସମ୍ପର୍କର ଅବତାରଣା କରିଥିଲେ । ସେ କହିଥିଲେ ଯେ ସର୍ଦ୍ଦାର ପଟେଲ ଯେତେବେଳେ ବିଲାତକୁ ଓକିଲାତି ପଢ଼ିବା ପାଇଁ ଯାଇଥିଲେ ଓଡ଼ିଆ ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ବିଶ୍ୱନାଥ ମିଶ୍ର ତାଙ୍କର ସହପାଠୀ ଥିଲେ । ୧୯୩୭ ମସିହାରେ ସର୍ଦ୍ଦାର ପଟେଲ ଓଡ଼ିଶା ଆସି ଡେଲାଙ୍ଗର ବେରବୋଇ ଠାରେ ଏକ ଜନସଭାରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସେ ସାଧାରଣ ଜନତାଙ୍କ ପ୍ରତି ଗଡ଼ଜାତ ରାଜାମାନଙ୍କର ଅତ୍ୟାଚାରର ପ୍ରତିବାଦ କରିଥିଲେ । ସର୍ଦ୍ଦାର ପଟେଲ ଭାରତୀୟତାର ଯେଉଁ ଗର୍ବବୋଧ ଜାଗ୍ରତ କରିଥିଲେ ତାହା ବର୍ତମାନ ପିଢ଼ି ନିକଟରେ ଦେଖିବାକୁ ମିଳୁନାହିଁ ବୋଲି ଶ୍ରୀ ଶତପଥୀ କହିଥିଲେ । ଏହି ୱେବିନାରକୁ ପତ୍ର ସୂଚନା କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ ଚୌଧୁରୀ ପରିଚାଳନା କରିଥିବା ବେଳେ ପିଆଇବିର ଉପନିର୍ଦ୍ଦେଶକ ଗିରିଶ ଚନ୍ଦ୍ର ଦାଶ, ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ ଚନ୍ଦ୍ର ମିଶ୍ରଙ୍କ ସମେତ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ, କର୍ମଚାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ