‘ପିଏକ୍ସଇ’ ପ୍ରତିଷ୍ଠା ଦିବସ ଉପଲକ୍ଷେ ମିନି ମାରାଥନ ଓ ସ୍ୱଚ୍ଛତା ଅଭିଯାନ

ବାଲେଶ୍ୱର, (ସରୋଜ ପଣ୍ଡା):ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ଅନ୍ତର୍ଗତ ‘ପ୍ରୁଫ ଏଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ’, (ପିଏକ୍ସଇ)ର ୧୨୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭାଗ ପକ୍ଷରୁ ଏକ ମିନି ମାରାଥନ ଏବଂ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳେ ଆୟୋଜିତ ଏହି ଗଣଦୌଡ଼କୁ ‘ପିଏକ୍ସଇ’ର ନିର୍ଦ୍ଦେଶକ ଡି କେ ଜୋଶୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରତିରକ୍ଷା ପରୀକ୍ଷଣ କ୍ଷେତ୍ରରେ ୧୨୭ ବର୍ଷ ତଳେ ସ୍ଥାପିତ ‘ପିଏକ୍ସଇ’ ସଂସ୍ଥା ଗୁଣାତ୍ମକ ସେବା ଦ୍ୱାରା ଏହା ସମଗ୍ର ବିଶ୍ୱରେ ଅଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛି ବୋଲି ଶ୍ରୀ ଜୋଶୀ ମତ ପ୍ରକାଶ କରିଥିଲେ । ତେବେ ଦେଶରେ ପ୍ରତିରକ୍ଷା ପାଇଁ ଆବଶ୍ୟକ ଯୁଦ୍ଧାସ୍ତ୍ର ତଥା ଯନ୍ତ୍ରପାତି ନିର୍ମାଣ ଏବଂ ପରୀକ୍ଷଣ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳ ମାଧ୍ୟମରେ କରାଯିବା ଦ୍ୱାରା ସରକାରଙ୍କ ‘ମେକ ଇନ ଇଣ୍ଡିଆ’ ଅଭିଯାନରେ ଏହି ପିଏକ୍ସଇ ଉଲ୍ଲେଖନୀୟ ଅବଦାନ ଦେଇପାରିଛି ବୋଲି ସେ କହିଥିଲେ । ଆଗାମୀ ଦିନରେ ବି ଏହି ସଂସ୍ଥା ତାର ଗୌରବ ଅତୁଟ ରଖିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏହି ମାରାଥନ ବାଲେଶ୍ୱର ଷ୍ଟେସନ ଛକ ସ୍ଥିତ ପିଏକ୍ସଇ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା ସହିତ ରେଳ ଷ୍ଟେସନ ନିକଟରେ ପହଂଚିଥିଲା । ଲେଫ୍ଟନାଂଟ କର୍ଣ୍ଣେଲ ଗୁଣାକର ବାରିକଙ୍କ ନେତୃତ୍ୱରେ ପିଏକ୍ସଇର ଶତାଧିକ ଅଧିକାରୀ ଏବଂ କର୍ମଚାରୀ ଏହି ମାରାଥନରେ ଅଂଶଗ୍ରହଣ ସହିତ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ସଚେତନତା କରାଇଥିଲେ । ସେମାନେ ବିଭିନ ପ୍ଲାକାର୍ଡ ପ୍ରଦର୍ଶନ ମାଧ୍ୟମରେ ସହରବାସୀଙ୍କୁ ସ୍ୱଚ୍ଛତା ଏବଂ ନିଜ ଅଂଚଳକୁ ପ୍ଲାଷ୍ଟିକ ମୁକ୍ତ କରିବା ନିମନ୍ତେ ପରାମର୍ଶ କରାଇଥିଲେ । ଏହି ଅବସରରେ ପିଏକ୍ସଇର ଅଧିକାରୀ ଏବଂ କର୍ମଚାରୀମାନେ ରେଳ ଷ୍ଟେସନ ଠାରେ ସ୍ୱଚ୍ଛତା ଅଭିଯାନରେ ସମଗ୍ର ଅଂଚଳର ସଫେଇ କରିଥିଲେ । ପ୍ରତିଷ୍ଠା ଦିବସ ପାଳନ ଅବସରରେ ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର ଆୟୋଜନ ଭଳି ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସମ୍ପର୍କରେ ବୈଜ୍ଞାନିକ ଡକ୍ଟର ହିମାଂଶୁ ଶେଖର ପଣ୍ଡା ସୂଚନା ଦେଇଥିଲେ । କର୍ଣ୍ଣେଲ ସୁମନ ଦତ, ବୈଜ୍ଞାନିକ ଅର୍କଦେବ ବାନାର୍ଜୀ, ରତ୍ନାକର ସତୁଆ ମହାପାତ୍ର, ସନ୍ତୁ ଚର୍କବର୍ତୀ ପ୍ରମୁଖଙ୍କ ସମେତ ପିଏକ୍ସଇ ୱାର୍କସ କମିଟିର ସଦସ୍ୟମାନେ ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ