ଆସନ୍ତା ୮ ରୁ ବାଲେଶ୍ୱରରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ଅଖିଳ ଭାରତୀୟ କଂଗ୍ରେସ କମିଟି ତରଫରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଚାଲିଥିବା ଭାରତ ଯୋଡ଼ ଯାତ୍ରାର ଓଡ଼ିଶା ସଂସ୍କରଣ ଗତ ୩୧ ଅକ୍ଟୋବରରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱରଠାରୁ ଆରମ୍ଭ ହୋଇଛି । ଏହି ଯାତ୍ରା ଆସନ୍ତା ନଭେମ୍ବର ୮ ତାରିଖରେ ଭଦ୍ରକ – ବାଲେଶ୍ୱର ସୀମା ରାଣୀତାଲ ଠାରେ ବାଲେଶ୍ୱର ଜିଲ୍ଲାକୁ ପ୍ରବେଶ କରିବ । ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ସଂଜୀବ ଗିରି ପଦଯାତ୍ରାକୁ ବାଲେଶ୍ୱର ଜିଲ୍ଲାକୁ ସ୍ୱାଗତ ସହ ଜିଲ୍ଲାରେ ପରିକ୍ରମା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ୮ ତାରିଖରେ ଏହି ଯାତ୍ରା ବାଲେଶ୍ୱର ପ୍ରବେଶ କରିବା ପରେ ସୋର, ବାହାନଗା ଅତିକ୍ରମ କରି ୯ ତାରିଖ ଦିନ ସନ୍ଧ୍ୟାରେ ବାଲେଶ୍ୱର କୁରୁଡ଼ା ଠାରେ ରାତ୍ରି ବିଶ୍ରାମ କରିବେ । ୧୦ ତାରିଖ ଦିନ ଭାରତ ଯୋଡ଼ ଯାତ୍ରାର ବିଶ୍ରାମ ଦିବସ ଥିବାରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପୁଣି ୧୧ ତାରିଖ ଦିନ ସକାଳ ୭ ଘଟିକାରେ ଏହି ଯାତ୍ରା କୁରୁଡ଼ା ଛକ ଠାରୁ ଆରମ୍ଭ ହୋଇ ଆଇଟିଆଇ ଛକ, ପୋଲିସ ଲାଇନ ଛକ, ଷ୍ଟେସନ ଛକ, କ୍ୟାଥଲିକ ଚର୍ଚ୍ଚ, କଚେରୀ ରୋଡ, ଫାଣ୍ଡି ଛକ, ଫକୀର ମୋହନ ଗୋଲେଇ, ବସଷ୍ଟାଣ୍ଡ ଓ ନୁଆସାହି ଛକ ଦେଇ ଭୀମପୁରା ଛକଠାରେ ପହଂଚିବ । ସେଠାରେ ମଧ୍ୟାହ୍ନ ବିରତି ନେଇ ପୁଣି ଅପରାହ୍ନରେ ଯାତ୍ରା ରେମୁଣା ଗୋଲେଇ ଦେଇ ନହରପାଟଣା ଛକ ପର୍ଯ୍ୟନ୍ତ ଯିବ । ଶେଷରେ କଳମା ଠାରେ ମୟୁରଭଞ୍ଜକୁ ପ୍ରବେଶ କରିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଗିରି ସୂଚନା ଦେଇଥିଲେ । ପ୍ରଦେଶ କଂଗ୍ରେସ ସଭାପତିଙ୍କ ସହ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଡ଼ଃ. ଏ. ଚେଲ୍ଲାକୁମାର ମଧ୍ୟ ଯୋଗଦେବେ । ଏହି ଯାତ୍ରାରେ ବହୁସଂଖ୍ୟାରେ କର୍ମୀ ତଥା ସାଧାରଣ ଜନତା ଯୋଡି ହେବେ ବୋଲି ଶ୍ରୀ ଗିରି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ପ୍ରଦେଶ କଂଗ୍ରେସ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଅଣସଙ୍ଗଠିତ ଶ୍ରମିକ କଂଗ୍ରେସ ସଭାପତି ବିକାଶ ଦାସ, ଜିଲ୍ଲା କଂଗ୍ରେସ ଉପ ସଭାପତି ଗୋପୀନାଥ ପାଢ଼ୀ, ଜିଲ୍ଲା ସଂଖ୍ୟାଲଘୁ କଂଗ୍ରେସ ଅଧ୍ୟକ୍ଷ ଶେଖ ଅଜଗର ଅଲ୍ଲୀ, ରାଜ୍ୟ ସଂଖ୍ୟାଲଘୁ କଂଗ୍ରେସ ସମ୍ପାଦକ ଶେଖ ଭୋଳା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


