ପିଏଚ୍ଡି ପାଣି ପାଲଟିଛି ଜହର ନିଘୋଡ଼ ନିଦ୍ରାରେ ପ୍ରଶାସନ, ଅଭିଯୋଗ କଲେ ମିଳୁନି ସୁଫଳ
ପୁରୀ(ଜୁଗାବ୍ଦ ନ୍ୟୁଜ୍): ବାତ୍ୟା ଫାନିର ଏକ ମାସ ପରେ ବି ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ହୋଇନଥିବାବେଳେ ବର୍ତ୍ତମାନ ପାନୀୟ ଜଳ ଲୋକଙ୍କ ପାଇଁ ପାଲଟିଛି ଜହର । ପୁରୀର ବାଲିଘାଟ ଓ ସିଦ୍ଧମହାବୀର ଅଞ୍ଚଳରେ ଲଗାତର ଦୁଇଦିନ ଧରି ପିଏଚ୍ଡି ପାଇପ୍ରୁ କଳାପାଣି ବାହାରୁଥିବା ଜଣାପଡ଼ିଛି । ସେହି କଳାପାଣି ବ୍ୟବହାର କରିବା ଫଳରେ ଲୋକଙ୍କଠାରେ ଚର୍ମ ରୋଗ ଦେଖାଦେଇଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଏହି ଅଞ୍ଚଳରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ ଖେଳିଛି ପିଏଚ୍ଡି ବିଭାଗ । ଏନେଇ ସ୍ଥାନୀୟ ଲୋକ ଅଭିଯୋଗ କଲେ ବି କିଛି ସୁଫଳ ମିଳୁନି । ଅନ୍ୟପକ୍ଷରେ ସହରରେ ପିଏଚଡି ପକ୍ଷରୁ ପକାଯାଇଥିବା ପାଇପ୍ ଫାଟି ସେଥିରେ ନଳା ପାଣି ଆସି ଲୋକଙ୍କ ନିକଟରେ ପହଞ୍ଚୁଛି । ହେଲେ ତାହା କେଉଁଠି ଓ କିପରି ହେଉଛି ତାହା ଉପରେ ବିଭାଗୀୟ ଅଧିକାରୀଙ୍କ ନଜର ନାହିଁ । ଅନ୍ୟପଟରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଆଉ ଅଳ୍ପଦିନ ବାକି ଥିବାବେଳେ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଥିବା ଗଣମାଧ୍ୟମକୁ ସୂଚନା ଦେଉଛି । କିନ୍ତୁ ବାସ୍ତବରେ ପ୍ରସ୍ତୁତି କିପରି ଚାଲିଛି ତାହା ଏଥିରୁ ଜଣାପଡ଼ୁଛି । ଲୋକମାନେ ଅସହ୍ୟ ଗରମରେ ହନ୍ତସନ୍ତ ହେଉଥିଲା ବେଳେ ସେମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି । ତତ୍ ସହିତ ଲୋକମାନେ ବିଶୁଦ୍ଧ ପାଣି ପାଇଁ ଘରୋଇ ପାଣି ଯୋଗାଣରୁ ପାଣି କିଣି ବ୍ୟବହାର କରୁଛନ୍ତି । ତେବେ ଆଗକୁ ରଥଯାତ୍ରା ଥିଲା ବେଳେ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ତେବେ ଏଭଳି ପାଣି ଯୋଗାଣ ହେଲେ ସହରରୁ ତିକ୍ତ ଅନୁଭୂତିକୁ ନେଇ ଫେରିବେ ପର୍ଯ୍ୟଟକ । ସେହିପରି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ୍ ଅନ୍ତର୍ଗତ ଜୟପୁର ପଞ୍ଚାୟତରେ ଗତ କିଛି ଦିନ ତଳେ ଷ୍ଟାଣ୍ଡପୋଷ୍ଟରୁ ବାହାରିଥିଲା କଳାପାଣି । ସତ୍ୟବାଦୀର ଲକ୍ଷ ଲକ୍ଷ ଲୋକ ପିଇବା ପାଣି ଭାବରେ ବ୍ୟବହାର କରୁଥିଲା ବେଳେ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଲୋକଙ୍କ ଜୀବନ ସହ ଖେଳୁଛି ବିଭାଗ । ତେବେ ଦିନ ତମାମ ଉକ୍ତ ଅଞ୍ଚଳକୁ ପାଇପ ଯୋଗେ କଳା ପାଣି ଯୋଗାଇ ଦିଆଯାଇଥିଲା କେତେକ ଲୋକ ଏହାକୁ ବ୍ୟବହାର କରୁଥିଲା ବେଳେ ଅନେକ ଲୋକ ଏହାକୁ ଦୃଢ ବିରୋଧ କରିବାପରେ ଏହି ପାଣି ଯୋଗାଣ ବନ୍ଦ ରହିଥିଲା । ତେବେ ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।


