ପିଓକେକୁ ପ୍ରଦେଶର ମାନ୍ୟତା ଦେବ ପାକ୍!

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀର (ପିଓକେ) ର ତଥାକଥିତ ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦର ଖାନଙ୍କ ଏକ ବୟାନକୁ ନେଇ ଏବେ ପିଓକେବାସୀ ଆଶଙ୍କିତ ହୋଇପଡ଼ିଛନ୍ତି । ରାଜା ଫାରକୁ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଥିଲେ ଯେ ସେ ପିଓକେର ଶେଷ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ତାଙ୍କର ଏହି ବୟାନ ପରେ ପିଓକେର ଲୋକ ଆଶଙ୍କା କରୁଛନ୍ତି ଯେ ପାକ୍ ସରକାର ଏବେ ପିଓକେକୁ ଦିଆଯାଇଥିବା ଆଜାଦ କାଶ୍ମୀର ମାନ୍ୟତା ପ୍ରତ୍ୟାହାର କରିପାରନ୍ତି ଏବଂ ସେଠାରେ ପ୍ରଚଳିତ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦ ହଟାଇପାରନ୍ତି । ପାକ୍ ସରକାର ପିଓକେକୁ ଏକ ପ୍ରଦେଶର ମାନ୍ୟତା ଦେଇ ତାକୁ ଦେଶର ବାକି ଭାଗ ସହ ସମ୍ପୂର୍ଣ୍ଣ ଭାବେ ମିଶ୍ରଣ କରିପାରନ୍ତି । ଏହା ମଧ୍ୟ ଚର୍ଚ୍ଚା ହେଉଛି କି ପାକ୍ ସରକାର ପିଓକେକୁ ୨ ଭାଗ କରି ଗୋଟିଏ ଭାଗକୁ ପଞ୍ଜାବ ପ୍ରଦେଶ ଏବଂ ଅନ୍ୟ ଭାଗକୁ ଗିଲଗିଟ ବାଲତିସ୍ଥାନ ସହ ମିଶାଇପାରନ୍ତି ।
ପାକ ସରକାର ଏଭଳି କରିବାର ଦୁଇଟି ମୁଖ୍ୟ କାରଣ ଅଛି । ଗୋଟିଏ ହେଲା ଭାରତ ଭବିଷ୍ୟତରେ ପିଇକେକୁ ପାକ୍ କବଜାରୁ ମୁକ୍ତ କରିବାକୁ ଯୋଜନା କରୁଥିବାରୁ ତା’ର ଉଦ୍ୟମକୁ ଭଣ୍ଡୁର କରିବା । ଦ୍ୱିତୀୟଟି ହେଉଛି ମୋଦି ସରକାର ଯେପରି ଜମ୍ମୁ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରି ସେ ଭାରତ ସହିତ ପୂର୍ଣ୍ଣ ମିଶ୍ରଣ କରାଇଲେ, ଠିକ ସେହିଭଳି ପଦକ୍ଷେପ ନେଇ ଭାରତକୁ ଜବାବ ଦେବା ।
ଧାରା ୩୭୦ ପ୍ରତ୍ୟାହାର ପରେ ପାକ୍ ସେନା ଭାରତ ବିରୋଧରେ କିଛି ପଦକ୍ଷେପ ନେଇନାହିଁ । କାଶ୍ମୀର ପାଇଁ କିଛି ବି କରିପାରେ ବୋଲି ସାମ୍ନାରେ ବାହାସ୍ଫୋଟ ମାରୁଥିଲେ ବି ସତକଥା ହେଉଛି ଯେ ପାକ୍ ସେନା ଏହି ପ୍ରସଙ୍ଗରେ ଭାରତ ବିରୋଧରେ ଯୁଦ୍ଧ ଆରମ୍ଭ କରିବାକୁ ଚାହୁଁନାହିଁ । ପାକ୍ ସେନା ଭୟ କରୁଛି ଯେ ସେ ଏଲଓସି ନିକଟରେ ସୀମିତ ଯୁଦ୍ଧ ଆରମ୍ଭ କଲେ, ଭାରତୀୟ ସେନା ଏହି ବାହାନରେ ପିଓକେ ଭିତରକୁ ପଶିଯିବ ଏବଂ ଅନେକ ଅଞ୍ଚଳ ମାଡ଼ି ବସିବ । ତେଣୁ ଯୁଦ୍ଧ ନ କରି ରାଜନୈତିକ ଭାବେ ସିଏ ଗୋଟି ଚାଳନା କରିବାକୁ ଚାହୁଁଛି । ଏସବୁ ଯୋଗୁଁ ଆଗାମୀ କିଛି ଦିନ ଭିତରେ ପିଓକେକୁ ନେଇ ପାକ୍ କିଛି ବଡ଼ ଘୋଷଣା କରିପାରେ ବୋଲି ଅନୁମାନ କରାଯାଉଛି । ଏହି କାରଣରୁ ପିଓକେର ଅନେକ ନେତା ଦାବି କରିଛନ୍ତି ଯେ ରାଜା ଫାରୁକ ଯେଉଁ ବୟାନ ଦେଇଛନ୍ତି, ତା ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ ଏବଂ ସେ ପ୍ରକୃତରେ କ’ଣ ଆଶଙ୍କା କରୁଛନ୍ତି ତାହା ସାର୍ବଜନୀନ କରାନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ