ପିତାମାତା ଙ୍କ ସ୍ମୃତିରେ ବିଦ୍ୟାଳୟକୁ ପାନୀୟ ଜଳ ପ୍ରକଳ୍ପ ଦାନ କଲେ ଦେବୀପ୍ରସାଦ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କଥାରେ ଅଛି ଭଲ କାମ କରିବା ପାଇଁ ଅନ୍ତରାତ୍ମାରୁ ବାର୍ତ୍ତା ଆସିଥାଏ ଆଉ ସେହି ବାର୍ତ୍ତା କୁ ଯିଏ ସମାଜର ସ୍ୱାର୍ଥ ପାଇଁ ବିନିଯୋଗ କରିଥାଏ ତାକୁ ପ୍ରକୃତ ସମାଜସେବା କୁହାଯାଏ । ସମାଜସେବା ବ୍ୟକ୍ତି,କାଳପାତ୍ର ଓ ଅର୍ଥ ଦେଖିନଥାଏ କେବଳ ଜଣେ ସମାଜସେବୀ ନିଜ ଆନ୍ତରିକ ମନୋଭାବରେ ନିଜକୁ ସମାଜସେବା ରେ ଉତ୍ସର୍ଗୀକୃତ କରିଥାଏ । ସେହିପରି ଜଣେ ସମାଜସେବୀ ଭି.ଦେବୀପ୍ରସାଦ ପାତ୍ର (ବାବୁ) ।ବେଲଗୁଣ୍ଠା ବାଙ୍କ ବଜାର ନିବାସୀ ସ୍ଵର୍ଗତ ଭି.ବାସୁଦେବ ପାତ୍ର ଓ ଭି.ସରୋଜିନୀ ପାତ୍ରଙ୍କ ସୁଯୋଗ୍ୟ ସନ୍ତାନ ଦେବୀ ପ୍ରସାଦ। ଯୁବାବସ୍ଥାରୁ ହିଁ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସୁଛନ୍ତି ।ବେଲଗୁଣ୍ଠା ତଥା ଘୁମୁସର ଅଞ୍ଚଳର ବିଭିନ୍ନ ସଂସ୍ଥା ସହିତ ଜଡିତ ହୋଇ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସମାଜ ସେବାକୁ ପ୍ରୋତ୍ସାହନ ଦେଇଆସୁଛନ୍ତି । ଭଞ୍ଜନଗର ରୋଟାରୀ କ୍ଳବ୍ ସଭାପତି ଭାବେ ବିଭିନ୍ନ ଜନହିତକର କାର୍ଯ୍ୟ ହାତକୁ ନେଇ ଘୁମୁସର ଅଞ୍ଚଳରେ ନିଜ ବଳିଷ୍ଠ ନେତୃତ୍ବର ପ୍ରମାଣ ଦେଇଥିଲେ ।ବେଲଗୁଣ୍ଠା ଅଞ୍ଚଳର ବିଭିନ୍ନ ସଂସ୍ଥା କୁ ମଧ୍ୟ ଅନୁଦାନ ଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆଜି ଶ୍ରୀ ପାତ୍ର ବେଲଗୁଣ୍ଠା ପଟେଲ୍ ରୋଡ୍ ପ୍ରାଥମିକ ବିଦ୍ୟାଳୟରେ କୋମଳମତୀ ଛାତ୍ରଛାତ୍ରୀଙ୍କ ପାଇଁ ନିଜ ପିତାମାତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରଦାନ କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି । ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରି ଶ୍ରୀ ପାତ୍ର ଏହାକୁ ଛାତ୍ର ଛାତ୍ରୀଙ୍କ ପାଇଁ ଉଛର୍ଗୀକୃତ କରିଥିଲେ । କାର୍ଯ୍ୟକ୍ରମରେ ବେଲଗୁଣ୍ଠାର ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର ଉଦ୍ଘାଟକ ଭାବେ ଯୋଗ ଦେଇଥିବା ବେଳେ ବିଜେଡି ରାଜ୍ୟ ମୁଖପାତ୍ର ତଥା ହାଇକୋର୍ଟ ଆଇନଜୀବୀ ଓମ୍ ପ୍ରକାଶ ସାହୁ, ପୁର୍ବତନ କାଉନସିଲର ଜିତେନ୍ଦ୍ର କୁମାର ସୁବୁଦ୍ଧି, ପ୍ରଧାନ ଶିକ୍ଷୟିତ୍ରୀ ଯାମିନି ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପାନୀୟ ଜଳ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ । ଶ୍ରୀ ପାତ୍ରଙ୍କ ଏହି ମହତ କାର୍ଯ୍ୟ ପାଇଁ ଅତିଥି ମାନେ ତାଙ୍କୁ ଭୁୟସୀ ପ୍ରଶଂସା କରିବା ସହିତ ଏହା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀ ପାତ୍ରଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପୁର୍ବତନ ପରିଚାଳନା କମିଟି ସଭାପତି ପ୍ରକାଶ ଚନ୍ଦ୍ର ଡାକୁଆ, ଗଣମାଧ୍ୟମ ପ୍ରତିନିଧି ସୁଶାନ୍ତ ବେହରା, ଶିବରାମ ଚୌଧୁରୀ, ସତ୍ୟନାରାୟଣ ସିଅ, ଶ୍ରୀ ପାତ୍ରଙ୍କ ପରିବାର ବର୍ଗ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।


