ପିତୃପକ୍ଷ : ଶ୍ରାଦ୍ଧତର୍ପଣ

ବିପିନ ବିହାରୀ ମହାନ୍ତି

ପିତୃପକ୍ଷ କ’ଣ? : ଆଶ୍ୱିନ ପ୍ରତି ପଦାଠାରୁ ଅମାବାସ୍ୟ ଯାଏଁ : ଆଶ୍ୱିନ କୃଷ୍ଣପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ପକ୍ଷର ଯେ କୌଣସି ଦିନ ଯେ କୌଣସି ବ୍ୟକ୍ତି ପରଲୋକାଗତ ପିତୃପୁରୁଷଙ୍କୁ ନିର୍ଦ୍ଧିଷ୍ଟ ତିଥିରେ ଶ୍ରାଦ୍ଧ ଦେବା ବ୍ୟତୀତ ତିଥିବାର ନକ୍ଷେତ୍ର ବିଚାରକୁ ନନେଇ ଶ୍ରାଦ୍ଧ ଦେଇପାରେ । ଏହି ଶ୍ରାଦ୍ଧରେ ପିତୃପୁରୁଷଙ୍କୁ ତାଙ୍କ ପୂର୍ବ ଧରିତ୍ରୀ ନିବାସର ଏନ୍ତୁଡ଼ିଶାଳ ବା ଷଠି ଘରକୁ ଆହ୍ୱାନକରାଯାଏ ଯେଉଁଠି ସେ ତାଙ୍କ ବଂଶଜମାନଙ୍କ ସହିତ ଦେଢ଼ମାସ ଅର୍ଥାତ୍ ଆସିବା ଦିନଠାରୁ କାର୍ତ୍ତିକ ଦିପାବଳୀ ଯାଏଁ ଅବସ୍ଥାନ କରନ୍ତି ।
ଆଶ୍ୱିନ କୃଷ୍ଣପକ୍ଷଙ୍କୁ ପିତୃପକ୍ଷ କହିବାର ଯଥାର୍ଥ କ’ଣ? :
ଆଶ୍ୱିନମାସରେ ମା’ ଦୁର୍ଗା ଧରାବତରଣ କରନ୍ତି । ଏହା ସହିତ ଅନ୍ୟାନ୍ୟ ପାର୍ବଣ ଅଛି । ପାର୍ବଣ ସହିତ ପ୍ରକୃତି ଶ୍ରୀ ମଣ୍ଡିତ । ଏଣୁ ଏହା ଦେବ-ଦେବୀ ଓ ପିତୃପୁରୁଷଙ୍କ ପୂଜ୍ୟାର୍ଥେ ଏକ ଅନୁକୂଳ ସମୟ । ମହାଭାରତରେ ଅଛି କର୍ଣ୍ଣଙ୍କର ବୀରଗତି ପରେ ଯେତେବେଳେ ସ୍ୱର୍ଗକୁ ଗଲେ, ସେଠି ଖାଲି ତାଙ୍କୁ ସ୍ୱର୍ଣ୍ଣ ଓ ଅନ୍ୟାନ୍ୟ ସଂପଦ ମିଳିଲା । କାରଣ ସେଥିଲେ ଦାନୀ କର୍ଣ୍ଣ । ଯାହା ଦେଇଥିବ, ତାହାହିଁ ପାଇବ । ସେ ମର୍ତ୍ତ୍ୟଲୋକରେ ଥିବାବେଳେ ପ୍ରଚୁର ସ୍ୱର୍ଣ୍ଣ ଓ ସଂପଦ ଦାନ କରିଥିଲେ; କିନ୍ତୁ ବ୍ରାହ୍ମଣ, ଭୋକିଲା ବା ଗୋରୁମାନଙ୍କୁ ଭୋଜନ ଦାନ କରିନଥିଲେ । ସେଥିପାଇଁ ତାଙ୍କୁ ଖାଦ୍ୟ ନମିଳି ସଂପଦ ମିଳିଲା । ସେ ଯମଙ୍କ ପାଖକୁ ଗଲେ । ଦୁଃଖ କହିଲେ । ଯମ ତାଙ୍କୁ ଏହି ପିତୃପକ୍ଷରେ ମର୍ତ୍ତ୍ୟକୁ ପଠାଇଲେ । ଏଠି ସେ ଭୋଜନ ଦାନକଲେ ଓ ସ୍ୱର୍ଗେ‘ରି ନିଜେ ଭୋଜନ କଲେ । କର୍ଣ୍ଣକୁ ନେଇ ଏହାକୁ କେହି ପିତୃପକ୍ଷ କୁହନ୍ତି । ମାତ୍ର ଏହା ଯୁକ୍ତିଯୁକ୍ତ ନୁହେଁ । ଏହାର କାରଣ ଅସ୍ପଷ୍ଟ ଏବଂ ଗବେଷଣା ସାପେକ୍ଷ ।
କେବେଠୁ ପାଳିତ ହୁଏ ପିତୃପକ୍ଷ ?:
ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ରଙ୍କର ପିତୃଶ୍ରାଦ୍ଧ ତଥା ସୀତାଙ୍କ ବାଲିପିଣ୍ଡଦାନ କଥା ଆମେ ଜାଣୁ । ଦ୍ୱାପର ଯୁଗରେ ପିଣ୍ଡଦାନ କଥା ଅଛି । ଏହା ସତ୍ୟ ଯୁଗରୁ ହୋଇପାରେ । ସାଧାରଣ ଭାବରେ କହିଲେ କୋଉମାନଧାତା ଯୁଗରୁ ହୋଇପାରେ । ତେବେ ସଂକ୍ଷେପରେ ଏତିକି କୁହାଯାଇପାରେ ଯେ ଏହି ଶ୍ରାଦ୍ଧାନୁଷ୍ଠାନ ବୈଦିକ ରୀତିରେ ଅନୁଷ୍ଠିତ ହେଉଥିବାରୁ, ଏହା ବୈଦିକ ଯୁଗରୁ ପ୍ରଚଳିତ ଅଛି ବୋଲି କୁହାଯିବ । ମୁଖ୍ୟତଃ ଏହା ହିନ୍ଦୁମାନଙ୍କର ଏକ ଅନୁଷ୍ଠାନ ।
ପିତୃପକ୍ଷରେ କେଉଁମାନଙ୍କୁ ଶ୍ରାଦ୍ଧଦିଆଯାଏ ?:
ଶ୍ରାଦ୍ଧ ତିନିପ୍ରକାର : ମାସିକିଆ, ବାର୍ଷିକ ଦିନିକିଆ ଏବଂ ପିତୃପକ୍ଷ ମହାଳୟା ବା ପାର୍ବଣ ଶ୍ରାଦ୍ଧ । ମହାଳୟାର ଅନ୍ୟନାମ ମଉଳା ଶ୍ରାଦ୍ଧ । ମହାଳୟା ଶ୍ରାଦ୍ଧରେ ତିନି ପିତୃ ପୁରୁଷ, ତିନି ମାତୃପୁରୁଷ ଏବଂ ଏକ ଲୁପ୍ତ ପୁରୁଷଙ୍କୁ ମିଶାଇ ଏମିତି ୭ଟି ପିଣ୍ଡଦାନ କରାଯାଏ । ଗୁରୁ, ପରିଚିତ ବ୍ୟକ୍ତି ଅଥବା ପରିବାରର କେହି ଆତ୍ମୀୟ ସ୍ୱଜନ ଶ୍ରାଦ୍ଧ କ୍ରିୟାରୁ ବଂଚିତ ଥିଲେ, ସେମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଶ୍ରାଦ୍ଧ ଦିଆଯାଏ, ତାକୁ ଲୁପ୍ତପୁରୁଷ ଶ୍ରାଦ୍ଧ କୁହନ୍ତି । ଅନ୍ୟାନ୍ୟ ଶ୍ରାଦ୍ଧରେ କେବଳ ବ୍ୟକ୍ତି ବିଶେଷଙ୍କୁ ଦିଆଯାଏ । ତେବେ ପିଣ୍ଡଦାନର ପ୍ରଥମ ଆହୂତ ଦେବତା ହେଉଛନ୍ତି ବୈଶ୍ୱଦେବ, ବିଷ୍ଣୁଙ୍କର ଭିନ୍ନରୂପ ।
ଶ୍ରାଦ୍ଧତର୍ପଣ କ’ଣ?:
ଶ୍ରଦ୍ଧାରୁ ଶ୍ରାଦ୍ଧ : ଶ୍ରଦ୍ଧାର ଅର୍ଘ୍ୟ ଅର୍ପଣ ହିଁ ଶ୍ରାଦ୍ଧ । ଏଥିରେ ପିତୃପୁରୁଷ ତାଙ୍କ ଜୀବଦଶାର ଭୋଜନ କରୁଥିବା ପଦାର୍ଥ, ବସନ ଏବଂ ଅନ୍ୟାନ୍ୟ ସବୁକିଛି ଅନ୍ତର୍ଭୁକ୍ତ । ତା’ ସହିତ ସମ୍ମାନ ଓ ଭକ୍ତି । ତର୍ପଣ କହିଲେ ତୃପ୍ତିଦାନ । ପିଣ୍ଡକୁ ଦାନ : ଖାଦ୍ୟ ସହ ତୃପ୍ତିପାଇଁ ଅନ୍ୟାନ୍ୟ ହିଁ ପିଣ୍ଡ-ତର୍ପଣ ବା ଶ୍ରାଦ୍ଧ ତର୍ପଣ ।
ଶ୍ରାଦ୍ଧ ଦେବା ବ୍ୟକ୍ତି କିଏ?
ସାଧାରଣତଃ ପିତାଙ୍କର ଜ୍ୟେଷ୍ଠପୁତ୍ର, ତାଙ୍କ ଅନୁପସ୍ଥିିତିରେ ଜ୍ୟେଷ୍ଠବ୍ୟକ୍ତି ଶ୍ରାଦ୍ଧ ଦେଇପାରିବେ । ଅନ୍ୟମାନେ, ଯିଏକି ଅନୁମୋଦିତ ବ୍ୟକ୍ତି ମଧ୍ୟ ଦେଇପାରିବେ । ଯିଏ ଶ୍ରାଦ୍ଧ ଦେବେ, ସେ ପିତୃପକ୍ଷରେ ଶୁଦ୍ଧତା ବା ଶୌଚତା ଆଚରଣ କରିବେ । ବିଶେଷକରି କ୍ଷୌର ହେବା, ଅନ୍ୟପାକରେ ଭୋଜନ କରିବା ଇତ୍ୟାଦି ନିଷେଧ ଅଛି ।
ପିଣ୍ଡଦାନର ମୁଖ୍ୟ ଉଦ୍ଦେଶ୍ୟ :
ପରାଗତ ଆତ୍ମାକୁ ତୃପ୍ତି ବା ମୁକ୍ତିପାଇଁ ସାହାଯ୍ୟ କରିବା । ମୃତ୍ୟୁପରେ ଆତ୍ମା ତା’ କର୍ମଫଳକୁ ନେଇ ତିିନିଲୋକ ଯାଇପାରେ : ମୃତ୍ୟୁ ବା ପ୍ରେତଲୋକ, ଦେବଲୋକ ଏବଂ ସ୍ୱର୍ଗଲୋକ । ସ୍ୱର୍ଗ ଲୋକ ଯିବାରେ ଆତ୍ମା ନିର୍ବାଣ ପ୍ରାପ୍ତି ବା ମୋକ୍ଷହୁଏ । ଆଉ ଦୁଃଖ, ସୁଖ, ଶୋକ ଓ ଯନ୍ତ୍ରଣାକୁ ପୁର୍ନଜନ୍ମ ନାହିଁ : ଚିରଶାନ୍ତି । ଏଥିରୁ ପ୍ରମାଣିତ ଯେ ମୋକ୍ଷାତ୍ମା ପାଇଁ ପିଣ୍ଡଦାନର ଆବଶ୍ୟକତା ନାହିଁ । ତେବେ ଆମେ ଜୀବନ୍ତ ମର୍ତ୍ତ୍ୟବାସୀ ଏକଥା କିମିତି ଜାଣିବୁ ଯେ କିଏ ମୁକ୍ତିପାଇଲା ବା ନପାଇଲା? ଏଥିପାଇଁ ଏ ଶ୍ରାଦ୍ଧ ‘ଛାୟା ଆତ୍ମା’କୁ ଦିଆଯାଏ । ଏହା ଉଭୟ ପଟକୁ ପାଇବ ।
ଶ୍ରାଦ୍ଧତର୍ପଣ କରାଯାଏ କେଉଁଠି ?
ଏମିତି କହିଲେ ଲୋକଟିର ମୃତ୍ୟୁଠାରୁ ବିଭିନ୍ନ ଦିବସ ଧରି ଶ୍ରାଦ୍ଧ-ତର୍ପଣ ହୁଏ । ଦଶ ଖଟିବା, ଦଶ ଆଟିକା ପୋଖରୀ ବା ନଦୀରେ ଭାଙ୍ଗିବା ଇତ୍ୟାଦି ଶ୍ରାଦ୍ଧର ଅନ୍ତର୍ଗତ । ଏହା ନିଜ ବାସଭବନ, ପୋଖରୀତୁଠ, ନଦୀକୁଳ, ସମୁଦ୍ରତଟ, ଇତ୍ୟାଦି ସ୍ଥାନରେ ଦିଆଯାଇପାରେ ।ଶାସ୍ତ୍ରମତେ ତ୍ରିବେଣୀ ଧାର, ଗୟା, ବଦ୍ରିନାଥ ବ୍ରହ୍ମକୁଣ୍ଡଳ ଏବଂ ଜଗନ୍ନାଥ ମନ୍ଦିରର ବେଢ଼ା ବା ବାଇଶିପାହାଚକୁ ମୋକ୍ଷଧାମ ବୋଲି ବିଚାର କରାଯାଏ । ତେବେ ବାଇଶିପାହାଚ ଶ୍ରାଦ୍ଧକୁ ଅନେକ ଧାର୍ମିକ ବିଶେଷଜ୍ଞ ଗ୍ରହଣ କରନ୍ତି ନାହିଁ । କୁହନ୍ତି : ପ୍ରେତାତ୍ମାମାନେ ଜଗନ୍ନାଥ ବେଢ଼ା ଭିତରେ ପ୍ରବେଶ କରିପାରନ୍ତି ନାହିଁ । ପିଣ୍ଡ ପାଇବେ କିପରି । ଆଉ କେହି ମତ ଦିଅନ୍ତି : ଆତ୍ମା ଅଶିରୀରୀ । ଆତ୍ମାର ପରମାତ୍ମା ସହିତ ନିଗୁଢ଼ ସଂପର୍କ । ଜଗନ୍ନାଥ ପରମାତ୍ମା । ତେଣୁ ଗ୍ରହଣୀୟ । ତେବେ ଏ ବିତର୍କ ନେଇ ଏତିକି କହିବା ଯେ : ମନ ନିର୍ମଳ ଥିଲେ ଗୋବର ଗାଡ଼ିଆ ଗଙ୍ଗା । ଆଉ ଗୋଟିଏ କଥା ଗୁରୁତ୍ୱପୂର୍ଣ୍ଣ ଯେ ପିଣ୍ଡରେ ମହାପ୍ରସାଦ ବାଢ଼ିଲେ ପିତୃପୁରୁଷମାନେ ତାହାକୁ ପାଇ ମୋକ୍ଷ ହୁଅନ୍ତି ।
ପିଣ୍ଡଦାନ ଏବଂ ଅସ୍ଥିବିିସର୍ଜନ ମ୍ମରେ ପାର୍ଥକ୍ୟ କ’ଣ ?
ଏମିତିରେ ଉଦ୍ଦେଶ୍ୟ ଏକ : ପିତୃପୁରୁଷଙ୍କୁ ତୃପ୍ତିଦାନ, ମୋକ୍ଷପାଇଁ ମାର୍ଗ ପ୍ରସ୍ତୁତି । ତେବେ ଅସ୍ଥିବିସର୍ଜନ ଏକ ଭୌତିକ କଥା । ଏହା ଆତ୍ମାଧାରୀ ଦେହର ମୋକ୍ଷତାକୁ ବୁଝାଏ । ମୃତ୍ୟୁବ୍ୟକ୍ତିର ଦହନ ଜନିତ ଦେହାବଶେଷ ହିଁ ଅସ୍ଥି: ଚିତାଭସ୍ମ । ମୃତ ବ୍ୟକ୍ତିକୁ ଶ୍ମଶାନକୁ ନେଲାବେଳେ ଯେଉଁ ଅନ୍ନ ଦିଆଯାଏ, ଏହାହିଁ ତା’ ପାଇଁ ଆଧାର, କବର ପାଇବା ବ୍ୟକ୍ତିପାଇଁ ତା’ କବର ଭିତରେ ମଧ୍ୟ ଖାଦ୍ୟ, ବସ୍ତ୍ର, ଜଳ, ଅଳଙ୍କାର ଦେଇ କବର ଦିଆଯାଏ । ତେଣୁ ଅସ୍ଥି ବିସର୍ଜନ ବେଳେ ପିଣ୍ଡଦାନ ବ୍ୟବସ୍ଥା ଅଛି । ଏହାର ପରାଗତ ଆତ୍ମାର ତୃପ୍ତିପାଇଁ ଭୋଜନ ।
ପିତୃପକ୍ଷରେ କେତେଦିନ କୋଉଠି ରୁହନ୍ତି ପିତୃପୁରୁଷ ?
ରହଣି ଦୁଇପ୍ରକାର । ଦୀପାବଳୀ ପରଠାରୁ ପିତୃପକ୍ଷ ଆରମ୍ଭ ଯାଏଁ ରୁହନ୍ତି ବିଶ୍ୱ ବ୍ରହ୍ମାଣ୍ଡରେ ଆମକୁ ଅଜ୍ଞାତ ସ୍ଥାନରେ, ପିତୃପୁରୁଷମାନଙ୍କ ଗୋଷ୍ଠୀରେ । ଦ୍ୱିତୀୟଟି ହେଲା ଆମ ଆବାହନର ପିତୃପକ୍ଷର ଦିନଠାରୁ ଦିପାବଳୀ ଯାଏଁ, ଆମ ରୋଷେଇଘରେ, ଇଶାନ କୋଣରେ । ସେଇଠି ଆମେ ନିିତିଦିନ ଖାଦ୍ୟ ପଦାର୍ଥ ସମର୍ପଣ କରୁ, ଧୂପଦେଉ, ଦୀପଜାଳୁ । ଏମିତିରେ ଆମେ ସଦାଦିନ ତାଙ୍କ ସେବାରେ ଅଛୁ । ଭୋକିଲା ରଖୁନାହୁଁ । ସବୁ ଭଲ ମନ୍ଦ ଆଣି ଇଶାନରେ ସମର୍ପଣ । ତା’ପରେ ଆଉ ଯାହା ।
ପିତୃପକ୍ଷ ଅମାବାସ୍ୟା (ପିତୃପକ୍ଷ) ଏବଂ ଦିପାବଳୀ ମଧ୍ୟରେ ପାର୍ଥକ୍ୟ :
ପିତୃପକ୍ଷ ହେଉଛି ଆହ୍ୱାନ ସମୟ । ଅନ୍ତରୀମ ଦିପାବଳୀ ଯାଏଁ ରହଣି । ଦିପାବଳୀ ପିତୃପୁରୁଷଙ୍କର ବିଦାୟ ବେଳା । ମହାଳୟା, ଶ୍ରାଦ୍ଧରେ ସଙ୍ଖୁଡ଼ି ଲାଗି, ସଙ୍ଖୁଡ଼ି ପରିବର୍ତ୍ତେ ତଣ୍ଡୁଳ ଇତ୍ୟାଦି ଏବଂ ବ୍ରାହ୍ମଣର ଆବଶ୍ୟକତା ଅଛି । ଦିପାବଳୀରେ ସଙ୍ଖୁଡ଼ି ପରିବର୍ତ୍ତେ, ଶୁଖିଲା ଭୋଗ । ବ୍ରାହ୍ମଣର ଜରୁରତ ନାହିଁ । କର୍ତ୍ତା ନିଜେ ସମର୍ପଣ କରିଦିଏ ।
ଶେଷପର୍ବ: ଦିପାବଳୀ :
ଦିପାବଳୀ ଦିନ ଆମେ ବଡ଼ ବଡ଼ିଆଙ୍କୁ ସଂ୍ମାବେଳେ କାଉଁରୀଆ କାଠି ଆଲୋକରେ ବିଦାୟ ଦେଉ, ଜ୍ଞାତିକୁଟୁମ୍ବଙ୍କ ଗହଣରେ । ତା’ ପୂର୍ବରୁ ତାଙ୍କ ପାଇଁ ଉଦ୍ଦିଷ୍ଟ ଆବଶ୍ୟକୀୟ ଭୋଗରାଗ ସାରି ଦେଉ । ଗଲାବେଳେ ପ୍ରଥମେ ତାଙ୍କୁ ତାମୁଳ ସମର୍ପଣ କରୁ ଏଇଥିପାଇଁ ଯେ ସ୍ୱର୍ଗରେ ତାମୁଳ / ପାନ ରସ ନାହିଁ । ଦେବତାମାନେ ତିନୋଟି ଲୋଭରେ ପୃଥିବୀରେ ଜନ୍ମନିଅନ୍ତି । ସେଗୁଡ଼ିକ ହେଲା ଶାରୀରିକ ଦାମ୍ପତ୍ୟପ୍ରେମ, ବାତ୍ସଲ୍ୟ ମମତା ଏବଂ ମୁଖବାସ ତାମୁଳ ବା ପାନ ରସ ନାହିଁ । ଏହାପରେ ଆକାଶକୁ ଆଲୋକ ଜାଳି ତାଙ୍କୁ ଦେଖାଇ କହୁ :
ବଡ଼ ବଡ଼ିଆ ହୋ, ଅନ୍ଧାରେ ଆସି ଆଲୋକେ ଯାଅ
ଗୋଷ୍ଠକୁ ଯାଅ, ଖିରିଖାଅ… ,
ଗଙ୍ଗା ଯାଅ, ଗୟା ଯାଅ, ବାଇଶି ପାହାଚେ ଗଡ଼ ଗଡଉ ଥାଅ,
ସ୍ୱର୍ଗେ ଯାଅ, ଅମୃତ ଭୋଜନ କରୁଥାଅ ।
ଅର୍ଥାତ୍ ଆସିଥିଲ ଅନ୍ଧାରେ ଯାଅ ଆଲୋକରେ (ମୁକ୍ତିପଥେ) ଯେଉଁ ମେଳରୁ ଆସିଥିଲ, ସେହି ମେଳକୁ ଫେରିଯାଅ, ଖିରିଖାଅ, ଗଙ୍ଗା ଯାଅ, ଗୟା ଯାଅ ଓ ବାଇଶି ପାହଚେ ମଧ୍ୟ ଦେଇ ମୁକ୍ତିମାର୍ଗ/ ମୋକ୍ଷ ମାର୍ଗ ଦେଖ; ଅମୃତ ଭୋଜନ କର; ସ୍ୱର୍ଗପ୍ରାପ୍ତି ହୁଅ ।
କେଉଁ ଅତୀତରୁ ଲମ୍ବିଥିବା ଏ ପରମ୍ପରାର ଗତିଆଉ କେତେବାଟ କହିହେବ ନାହିଁ । ତେବେ ପିତୃଋଣ ଶୁଝିବା ତଥା ତାଙ୍କ ମୋକ୍ଷପ୍ରାପ୍ତିରେ ସହାୟକ ହେବାରେ ଯେ ପୁତ୍ରର ଏ ଦୃଷ୍ଟିରୁ ଆବଶ୍ୟକତା ଅଛି, ଏକଥାକୁ କେହି ଅସ୍ୱୀକାର କରିବେ ନାହିଁ । । ପୁତ୍ରହିଁ କୁଳ ଉଦ୍ଧାରର ଏକମାତ୍ର ରାସ୍ତା ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ