ପିତେଇଝୋଳାରେ ନୃସିଂହ ଠାକୁରଙ୍କ ସାମ୍ବରୁମ ଯାତ୍ରା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଗତ କାଲି ରାତ୍ରିରେ ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ପଞ୍ଚାୟତର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ପିତେଇଝୋଳା ଗ୍ରାମରେ ନୃସିଂହ ଠାକୁରଙ୍କ ସାମ୍ବରୁମ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଦୀର୍ଘ 11 ବର୍ଷ ପରେ ଗ୍ରାମରେ ଏହି ନିଆରା ପର୍ବ ଅନୁଷ୍ଠିତ ହେଉଥିବାରୁ ସବୁବେଳେ ଲୋକଙ୍କ ନଜରରୁ ଦୂରରେ ଥିବା ଦୂର୍ଗମ ଅଞ୍ଚଳଟି କାଲି ସନ୍ଧ୍ୟା ସମୟରୁ ହିଁ ଜନ ଗହଳିରେ ଚଳଚଞ୍ଚଳ ହୋଇଉଠିଥିଲା I ସୂଚନା ଅନୁସାରେ ବହୁ ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ୍ ଅଞ୍ଚଳରୁ ଚାଲି ଆସିଥିବା ଏକ ତେଲୁଗୁ ଗୋଲା ସମ୍ପ୍ରଦାୟର ବଂଶଧର ଜେ ରଘୁ ପାତ୍ର, ଜେ ମୋଚିଆ ପାତ୍ର, ଜେ ରାମ ପାତ୍ର, ଜେ ପଞ୍ଚୁ ପାତ୍ର, ଜେ ଭାଗିରଥୀ ପାତ୍ର, ଜେ କାଶୀ ପାତ୍ର, ଜେ ଅର୍ଜୁନ୍ ପାତ୍ର ପ୍ରମୁଖ ପିତେଇଝୋଳା ଗ୍ରାମ ସମେତ ବେଲଗୁଣ୍ଠା, ମଙ୍ଗଳପୁର ,କଞ୍ଚୁଡୁ ପ୍ରଭୃତି ଗ୍ରାମରେ ବାସ କରନ୍ତି I ସେମାନେ ବିଭିନ୍ନ୍ ମାନସିକ ପୂରଣ, ବିଶ୍ୱ ଶାନ୍ତି ଏବଂ ସମାଜ ମଙ୍ଗଳ ପାଇଁ 4/5 ବର୍ଷରେ ଥରେ ଶୁଭ ଲଗ୍ନ ଦେଖି ସାମ୍ବରୁମ ଯାତ୍ରା ଆୟୋଜିତ କରିଥାନ୍ତି I କିନ୍ତୁ ଦୀର୍ଘ 11 ବର୍ଷ ହେବ ଶୁଭ ଲଗ୍ନ ବାହାରିନଥିବା ବେଳେ ଚଳିତ ବର୍ଷ ସୀମାଞ୍ଚଳମ୍ ପୂଜକ ତଥା ଦାସୁଡ଼ୁ ମୋହନ ପାତ୍ରଙ୍କ ଠାରୁ ଶୁଭ ଲଗ୍ନ ଆଣି ଗ୍ରାମରେ ଯାତ୍ରା ଆୟୋଜିତ କରାଯାଇଥିଲା I ଏହି ଯାତ୍ରା ପାଇଁ ସୁଦୂର ଇଚ୍ଛାପୁରରୁ ଠାକୁରଙ୍କ ଦଶାବତାର କପଡ଼ା ସମେତ ଅନ୍ୟାନ୍ୟ ପୂଜା ସାମଗ୍ରୀ ଆସିଥାଏ I ଗତକାଲି ପରମ୍ପରା ମୁତାବକ ଦାସୁଡ଼ୁ ମୋହନ ପାତ୍ର ଆସି କର୍ତ୍ତା ଜେ ଭାଗିରଥୀ ପାତ୍ରଙ୍କ ଘରୁ ଠାକରଙ୍କୁ ଆବାହନ କରିବା ସହ ଗ୍ରାମର ମହିଳା ମାନେ ନିର୍ଜଳ ଉପବାସ ରହି ଦୀପ ଜଳାଇ ନେଉଆଳି ବା ଠାକରଙ୍କୁ ସ୍ୱାଗତ କରିଥିଲେ I ଏହାପରେ ରାତ୍ରି ସାରା ଠାକୁରଙ୍କ ସମ୍ମୁଖରେ ମାନସିକ ଧାରୀ ମାନେ ଗୋଲା ସମ୍ପ୍ରଦାୟର ପରମ୍ପରାଗତ ନୃତ୍ୟଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଏହି କାର୍ଯ୍ୟକ୍ରମ ପାଇଁ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଅଞ୍ଚଳର ଗୋଲା ଧର୍ମର ଗୁରୁ ଏବଂ କଳାକାର ମାନେ ଯୋଗ ଦେଇଥିଲେ I ନିକଟସ୍ଥ ଗ୍ରାମ ଗୁଡିକରୁ ଶହ ଶହ ଲୋକ ଏହି ଯାତ୍ରା ଦେଖିବା ସହ ପ୍ରସାଦ ସେବନ ମଧ୍ୟ କରିଥିଲେ I ରାତି ପାହିବା ପରେ ଭକ୍ତମାନେ ନିଜ ମାନସିକ ସହ ଠାକୁରଙ୍କୁ ଏକ ପେଡି ଭିତରେ ରଖି ପୁନଶ୍ଚ ଭାଗିରଥୀ ପାତ୍ରଙ୍କ ଘରେ ଅବସ୍ଥାପିତ କରିଥିଲେ I ବିଶ୍ୱାସ ଅଛି ଯାତ୍ରା ଦିନ ଠିକ୍ ରାତି 12 ଟା ସମୟରେ ଦାସୁଡ଼ୁ ଠାକୁରଙ୍କୁ କୃଷ୍ଣ କୃଷ୍ଣ ବୋଲି ଡାକିଲେ ଠାକୁର ଓ କରିଥାନ୍ତି I ପିତେଇଝୋଳା ଗ୍ରାମର ଜନ ସଂଖ୍ୟା ମାତ୍ର 11 ଜଣ ହୋଇଥିବାରୁ ଏହି ଯାତ୍ରାରେ ନିକଟସ୍ଥ ବୋରି,କୁମୁଣ୍ଡି ,ବିଞ୍ଝଗିରି ,ଗୋପନଗର ଏବଂ ଚଢିଆପଲ୍ଲୀ ଗ୍ରାମର ଲୋକେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ବାସୁଦେବ, ଶିବରାମ ପ୍ରଧାନ, ମଙ୍ଗୁଳୁ ପ୍ରଧାନ, ସନ୍ତୋଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ