ପିମ୍ପୁଡ଼ିିଠୁ ଛୋଟ ରୋବଟ୍ କରିବ ଶରୀର ଭିତରର ଚିକିତ୍ସା
ଚିକିତ୍ସା କ୍ଷେତ୍ରରେ ରୋବଟ୍ର ଉପଯୋଗ ବୃଦ୍ଧି ପାଉଥିବାରୁ ଏବେ ବୈଜ୍ଞାନିକମାନେ ନୂଆ ନୂଆ ରୋବଟ ବିକାଶ କରିବାରେ ଲାଗିଛନ୍ତି । ଏବେ ବୈଜ୍ଞାନିକମାନେ ବିକାଶ କରିଥିବା ଛୋଟ ରୋବଟ୍ର ଆକାର ପିମ୍ପୁଡିଠାରୁ ବି ଛୋଟ । ବିଶ୍ୱର ସବୁଠାରୁ ଛୋଟ ଏହି ଉଡ଼ନ୍ତା ରୋବଟ୍ ଶରୀର ଭିତରେ ସହଜରେ ଚିକିତ୍ସା କରିପାରିବ । ଏହା ଅଲଟ୍ରାସାଉଣ୍ଡ ୱେଭ୍ରେ କିମ୍ୱା ଛୋଟ ସ୍ପିକରରୁ ଉତ୍ପନ୍ନ କମ୍ପନରେ ପରିଚାଳିତ ହେବ । ଆମେରିକାର ଜର୍ଜିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଗବେଷକମାନେ କହନ୍ତି, ଏହି ରୋବଟ ପରିବେଶ ସୁରକ୍ଷା ଲାଗି କାର୍ଯ୍ୟ କରିବା ସହ ମଣିଷ ଶରୀରରେ ସର୍ଜରୀ ପରେ ଭିତରେ ରହିଥିବା କ୍ଷତ ଉପଶମ କରିବାରେ ସାହାଯ୍ୟ କରିବ । ଏହି ରୋବଟ ବିଭିନ୍ନ ପ୍ରକାର କମ୍ପନରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ସକ୍ଷମ ବୋଲି ମାଇକ୍ରୋମେକାନିକ୍ସ ଆଣ୍ଡ୍ ମାଇକ୍ରୋ ଇଞ୍ଜିନିୟରିଂ ଜର୍ନାଲରେ ପ୍ରକାଶ ପାଇଛି । କମ୍ପନକୁ ନିୟନ୍ତ୍ରଣ କରି ଚିକିତ୍ସକମାନେ ଏହାକୁ ଚଳାଇପାରିବେ । ଏହି ସୁପର ରୋବଟ୍ର ଲମ୍ୱ ପାଖାପାଖି ୨ମିଲିମିଟର । ଏକ ସେକେଣ୍ଡ୍ରେ ଲମ୍ୱଠାରୁ ପ୍ରାୟ ୪ଗୁଣ ଅଧିକ ଦୂର ଯାଇପାରିବ ଏହି ରୋବଟ । ଏହି ରୋବଟରେ ପେଜାଇଲେକ୍ଟ୍ରିକ୍ ଏକ୍ୟୁଟର ଲଗାଯାଇଛି ଯାହା କମ୍ପନ ସୃଷ୍ଟିକରିବ ଓ ଏହି କମ୍ପନ ସାହାଯ୍ୟରେ ରୋବଟ କାର୍ଯ୍ୟକ୍ଷମ ହେବ । ଏହାର ଆକାର ବହୁତ ଛୋଟ ହୋଇଥିବାରୁ ଏଥିରେ ବ୍ୟାଟେରୀ ଲଗାଇବା ସମ୍ଭବ ନୁହେଁ । ବୈଜ୍ଞାନିକମାନେ ପ୍ରତ୍ୟେକ ରୋବଟକୁ ଭିନ୍ନ ଭିନ୍ନ ଆକାରରେ ନିର୍ମାଣ କରିଛନ୍ତି । ଏହାର ଗୋଡ ଓ ଶରୀରକୁ ଭିନ୍ନ ଭିନ୍ନ ଡିଜାଇନରେ କରାଯାଇଛି । ଏହାଦ୍ୱାରା ଏଗୁଡିକ ଭିନ୍ନ ଭିନ୍ନ କମ୍ପନ ଦ୍ୱାରା ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିପାରିବେ ଏବଂ ନିୟନ୍ତ୍ରଣ କରିବା ବି ସହଜ ହୋଇପାରିବ । କେତେକ ରୋବଟର ଗୋଡ ୪ଟି ଓ କେତେକର ଛଅଟି ରଖାଯାଇଛି । ଗୋଡ ଆଧାରରେ ଏମାନଙ୍କ ଗତି ବି ଭିନ୍ନ ହୋଇଥାଏ ।