“ପିଲାଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ନିର୍ଭୟାକଢି, ମୋ ଗେହ୍ଲାଝିଅ ଏବଂ ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ମାନ୍ୟବର ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ବାଲ୍ୟ ବିବାହ ଓ କନ୍ୟାଭୃଣହତ୍ୟା ଭଳି ଦୁଇଟି ସାମାଜିକ ସମସ୍ୟା କୁ ସମ୍ପୂର୍ଣ୍ଣରୂପେ ଜିଲ୍ଲାରୁ ଦୂରୀକରଣ ପାଇଁ ଜିଲ୍ଲାରେ ଦୁଇଟି ଅଭିନବ କାର୍ଯ୍ୟକ୍ରମ ନିର୍ଭୟା କଢି ଓ ମୋ ଗେହ୍ଲାଝିଅ ହାତକୁ ନିଆଯାଇଛି । ଗତ ତିନି ମାସରେ ହୋଇଥିବା ନିର୍ଭୟାକଢି ଓ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କଲା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର ଜିଲ୍ଲାରେ ନିର୍ଭୟାକଢି ଏବଂ ଆଦ୍ବିକା ଫଳରେ ଜିଲ୍ଲାରେ ବାଲ୍ୟ ବିବାହ ଦିନକୁ ଦିନ କମୁଛି ଯାହା ଆମେ ଜାତୀୟ ପରିବାର ସର୍ବେକ୍ଷଣ-୫ (୨୦୨୦-୨୧) ରୁ ଜାଣିପାରିଛୁ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରୁ ଆରମ୍ଭ କରି ଗ୍ରାମ ସ୍ତର ପର୍ଯ୍ୟନ୍ତ ସଠିକ ନିୟମରେ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ୍ ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ବାଲ୍ୟ ବିବାହକୁ ଦୂର କରିବା ପାଇଁ ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନିର୍ଭୟା କଢି କାର୍ଯ୍ୟକ୍ରମ ସଂମ୍ପର୍କରେ ଅବଗତ କରାଇବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।ଅଧାରୁ ପାଠ ଛାଡୁଥିବା ପିଲାମାନେ ବିଶେଷ ଭାବରେ ବାଲ୍ୟ ବିବାହର ଶିକାର ହୋଇଥାଆନ୍ତି ।ତେଣୁ ସେହି ପିଲାମାନଙ୍କୁ ଚିହ୍ନଟ କରି ବିଦ୍ୟାଳୟ କୁ ନିୟମିତ ସେମାନେ ଯେପରି ଆସିବେ ସେ ଦିଗରେ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଶ୍ରୀମତୀ ଖେସ୍ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ଶନିବାର ଦିନ ଅଙ୍ଗନଓ୍ବାଡି କର୍ମୀ ମାନେ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ।ଯେଉଁ ଛାତ୍ରୀ ବିଦ୍ୟାଳୟରେ କ୍ରମାଗତ ଦଶଦିନ ଅନୁପସ୍ଥିତ ରହିବ ତା ବିଷୟରେ ତଦାରଖ କରିବା ପାଇଁ ନିଷ୍ପତ୍ତି ନିଆଯଇଥିଲା ।ଜିଲ୍ଲାରେ ବାଲ୍ୟ ବିବାହକୁ ନାଁ କରିଥିବା କିଶୋର କିଶୋରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ ଯୋଡିବା ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା । କନ୍ୟାଭୃଣହତ୍ୟା ଭଳି କୁତ୍ସିତ ପ୍ରଥାକୁ ଦୂର କରିବା ପାଇଁ ଜିଲ୍ଲାରେ ଚାଲୁଥିବା ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମକୁ ଆହୁରି ଅଧିକ ବ୍ୟାପକ କରାଯିବା ଉଚିତ ଏବଂ କନ୍ୟାଭୃଣହତ୍ୟା କରୁଥିବା ଲୋକ ଏବଂ କରାଉଥିବା ସଂସ୍ଥା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲାରେ ଶିଶୁ ଶ୍ରମିକ ଚିହ୍ନଟ ହେଉଥିବା ପିଲାମାନଙ୍କୁ ସଠିକ୍ ଭାବେ ଥଇଥାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥଲା ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ଆକ୍ସନ୍ ଏଡ୍ ର ଜିଲ୍ଲା ସଂଯୋଜକ ଦେବ ବ୍ରତ ମାହୁନ୍ତ, ମିଶନ୍ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାସ୍ବତ ସାହୁ, ଓରମାସ୍ ର ଡେପୁଟି ସି.ଇ.ଓ , ସମସ୍ତ ସମନ୍ବୀତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ, ସି.ଡବ୍ଲ୍ୟୁ.ସି. ର ସି.ଏଚ୍ ଜ୍ୟୋତି, ଚାଇଲଡ୍ ଲାଇନ୍ ର କର୍ମକର୍ତ୍ତା, ଜିଲ୍ଲାର ପ୍ରମୁଖ ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଓ ସଂପୃକ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ