ପିଲାଙ୍କ ପାଠପଢା ପାଇଁ ବିଧବା ମହିଳାଙ୍କ ଜିଲ୍ଲା ପ୍ରଶାସନକୁ ଗୁହାରୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜଣେ ଅସହାୟ ବିଧବା ମହିଳା ପିଲାଙ୍କ ପାଠପଢା ନିମନ୍ତେ ଆଜି ଜିଲ୍ଲା ପ୍ରଶାସନକୁ ଗୁହାରୀ କରିଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମର ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ବିଧବା ପତ୍ନୀ ମମତା ପରିଡା(୩୫) ଆଜି ପିଲାମାନଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଭେଟି ଜଣାଇଥିଲେ ଯେ ତାଙ୍କ ସ୍ୱାମୀ ଗୋବିନ୍ଦ ଦୀର୍ଘଦିନ ଧରି କିଡନୀ ରୋଗରେ ପିଡିତ ଥାଇ ଗତ ନଭେମ୍ବରମାସ ୭ତାରିଖରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ବଡଝିଅ ଭାଗ୍ୟଶ୍ରୀ (୧୮)କେନ୍ଦ୍ରାପଡା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଦ୍ୱିତୀୟ ବର୍ଷ କଳାରେ ଶିକ୍ଷା ଲାଭ କରୁଥିବା ବେଳେ ମଝିଆଁ ପୁଅ ସୁମନ(୧୦) ୪ର୍ଥ ଶ୍ରେଣୀରେ ଓ ୭ବର୍ଷର ସାନପୁଅ ଜଗବନ୍ଧୁ ପ୍ରଥମ ଶ୍ରେଣୀରେ ପାଠ ପଢୁଛି । ଦୈନିକ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିବା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଅତ୍ୟନ୍ତ ଅସହାୟ ହୋଇ ପଡିଛନ୍ତି । ତାଙ୍କ ମୁଣ୍ଡ ଉପରେ ପରିବାର ପ୍ରତିପୋଷଣ ସହ ପିଲାମାନଙ୍କ ପାଠପଢା ଖର୍ଚ୍ଚ ବୋଝ ଉପରେ ଆହୁରି ବୋଝ ସଦୃଶ ହୋଇଯାଇଛି । ଏଭଳି ପରିସ୍ଥିତିରେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଭେଟି ନିବେଦନ କରିଛନ୍ତି । ସେ ଜଣେ ଭୂମିହୀନ, ଗରିବ ଓ ଅସହାୟ ମହିଳା ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରାଯିବାକୁ ସାଧାରଣରେ ଦାବି ହୋଇଛି । ଏଥିସହିତ ତାଙ୍କୁ ବିଧବା ଭତ୍ତା ପ୍ରଦାନ କରାଯିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ମମତା ଭେଟି ନିବେଦନ କରିଥିବା ଜଣାପଡିଛି ।


