ଆୟବା ପଞ୍ଚାୟତ କଂଗ୍ରେସ ସଭାପତି ଅନନ୍ତ ସ୍ୱାଇଁଙ୍କ ବିୟୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଆୟବା ଗ୍ରାମପଞ୍ଚାୟତର କଂଗ୍ରେସ ସଭାପତି ଅନନ୍ତ ସ୍ୱାଇଁଙ୍କର ଆଜି ଅପରାହ୍ନରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତ ସ୍ୱାଇଁ ଗତ ୨୦୨୨ରେ କଂଗ୍ରେସ ପକ୍ଷରୁ ୮ନମ୍ବର ଜୋନରେ କଂଗ୍ରେସ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିଲେ । ସେ ଆଜି ଗରାପୁରସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଦଳର ଏକ ପ୍ରସ୍ତୁତି ବୈଠକରେ ଯୋଗଦେଇ ଘରକୁ ଫେରୁଥିବା ବେଳେ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ନିକଟରେ ପରିସ୍ରା ଯାଇଥିଲେ । ସେହି ସମୟରେ ତାଙ୍କର ବାନ୍ତି ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ ଦାସ, ଫକିର ଚରଣ ଖଟୁଆ, ରାଜେଶ ମହାନ୍ତି, ଚିତ୍ରସେନ ପରିଡା, ମହେନ୍ଦ୍ର ପରିଡା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।


