ପିଲା ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼
ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଧାମନଗର ଥାନା ଖଡ଼ିପଦା ପଞ୍ଚାୟତ ଦକ୍ଷିଣକୁରୁଆ ଗାଁରେ ପିଲା ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକେ । ଜାନୁଆରି ୨୬ ତାରିଖ ସଂଧ୍ଯାରେ ଜଣେ ଯୁବକ ଗୋଟିଏ ବ୍ଯାଗ ଧରି ଗାଁରେ ପଶି ଯାଇଥିଲେ । ତେବେ ସଂପ୍ରୁକ୍ତ ଯୁବକ ଜଣଙ୍କୁ ପିଲା ଚୋର ବୋଲି ଭାବି ଦକ୍ଷିଣକୁରୁଆ ଗାଁର କିଛି ଯୁବକ ତାଙ୍କୁ ଧରି ଗାଁ ଦାଣ୍ଡରେ ବସାଇ ଦେଇ ପଚରାଉଚରା କରିଥିଲେ । ସେ କିଛି ନ କହିବାରୁ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏଥିରେ ତାଙ୍କ ଡାହାଣ ପଟ ଗାଲ ଓ ଆଖିପତା ଫାଟି ଯାଇଥିଲା । ଏନେଇ ଦକ୍ଷିଣ କୁରୁଆ ଅଞ୍ଚଳର କେହି ଜଣେ ଫୋନ୍ କରିବାରୁ ଧାମନଗର ଥାନାର ଏଏସ୍ଆଇ ମହେଶ୍ବର ପ୍ରଧାନ ପହଞ୍ଚି ଯୁବକ ଜଣଙ୍କୁ ଉଦ୍ଧାର କରି ଆଣିଥିଲେ । ଗାଲ ଫାଟି ରକ୍ତ ବୋହୁଥିବାରୁ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଚିକିତ୍ସା ପରେ ତାଙ୍କୁ ଧାମନଗର ଥାନାକୁ ନେଇ ରଖିଥିଲେ । ଆଜି ସକାଳୁ ପୋଲିସ ତାଙ୍କୁ ପଚାର ଉଚରା କରିଥିବାବେଳେ କୌଣସି ଉତର ଦେଇନଥିଲା । ସେ ଜଣେ ମାନସାଗ୍ରସ୍ଥ ରୋଗୀ ବୋଲି ଜଣା ପଡୁଥିବାବେଳେ ତାର ଆଧାର ଟେଷ୍ଟ କରି ସଠିକ ସ୍ଥାନରେ ଛଡାଯିବ ବୋଲି ଧାମନଗର ପୋଲିସ ପକ୍ଷରୁ ସୂଚନା ମିଳିଛି ।


