ପିଲିବନ୍ଧ ପାର୍କରେ ସଫେଇ କାର୍ଯ୍ୟକ୍ରମ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏଥିରୁ ବାଦ ପଡ଼ିନାହିଁ। ସହରଟି କିପରି ସୌନ୍ଦର୍ଯ୍ୟପୂର୍ଣ୍ଣ ହେବ, ସେଥି ନେଇ ପ୍ରଶାସନ ତରଫରୁ ଦୁଇ ଦୁଇଟି ପାର୍କ ଯଥା ସପ୍ତାଶ୍ଚର୍ଯ୍ୟ ପାର୍କ ଓ ପିଲିବନ୍ଧ ପାର୍କ ନିର୍ମାଣ କରାଯାଇଛି। ଏହି ପାର୍କ କିପରି ପରିଷ୍କାର ପରିଚ୍ଛନ୍ନ ରହିବ ଓ ଲୋକଲୋଚନକୁ ଆସିବ ସେହି କଥା ଚିନ୍ତା କରି ଆଜି ଛତ୍ରପୁର ଏନଏସି ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶନ୍ନ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଓ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ସହାୟତାରେ ଏକ ସ୍ୱଚ୍ଛତା ଅଭିଯାନ ସ୍ଥାନୀୟ ପିଲିବନ୍ଧ ପାର୍କରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନଏସି ତରଫରୁ ପରିମଳ ବିଶେଷଜ୍ଞ ସୁମିତ କୁମାର ବେହେରା, ପରିମଳ ଇନ୍ସପେକ୍ଟର ପ୍ରଭାକର ବେହେରା, ଠିକାଦାର ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ସମାଜସେବୀ ଏସ ରାମକୃଷ୍ଣ ରେଡ୍ଡୀ, ମନୋଜ ମିଶ୍ର, ଏସ. ରବି, ଛତ୍ରପୁର ଓକିଲ ସଂଘର ଉପସଭାପତି ଚୈତନ୍ୟ ପ୍ରଧାନ, ଲସିତ ବେହେରା, ମାଧବ ସାସମଲ, ଅଭିଜିତ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳିତ କରିଥିଲେ।