ପି.ଏମ୍. ବିଶ୍ୱକର୍ମା ଯୋଜନାର ସଫଳ ରୂପାୟନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପି.ଏମ୍.ବିଶ୍ୱକର୍ମା ଯୋଜନାର ସମୃଦ୍ଧି ଓ ହିତାଧିକାରୀଙ୍କୁ ସଚେତନତା ନିମନ୍ତେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୁଲ୍ୟା ଭବନ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନେ ବିଶ୍ୱକର୍ମା ଭାବରେ ସ୍ୱୀକୃତି ପ୍ରଦାନ ପାଇବା ପାଇଁ ପିଏମ୍ ବିଶ୍ୱକର୍ମା ପ୍ରମାଣପତ୍ର ଏବଂ ପରିଚୟ ପତ୍ ପ୍ରଦାନ, କିଛିଦିନ ମୌଳିକ ପ୍ରଶିକ୍ଷଣ ପରେ ଦକ୍ଷତା ଯାଞ୍ଚ, ଉନ୍ନତ ପ୍ରଶିକ୍ଷଣ, ପ୍ରଶିକ୍ଷଣ ଭତ୍ତା, ବନ୍ଧକ ମୁକ୍ତ ଋଣ ସହାୟତା ଇତ୍ୟାଦି ବିଷୟ ଉପରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ସଚେତନତା କରାଯାଇଛି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ପ୍ରଥମେ ପଞ୍ଜୀକରଣ କରିବାକୁ ହେବ । ଏହି ଯୋଜନାରେ କାରିଗର ତଥା ଶିଳ୍ପୀ ଅର୍ଥାତ୍ ଟେଲର, ରାଜମିସ୍ତ୍ରୀ, ବଢ଼େଇ, ବାରିକ, ଝୁଡି ବୁଣାଳି, କତା ବୁଣାଳି, ଝାଡୁ ନିର୍ମାତା, ସଉପ ନିର୍ମାତା, ମାଳାକାର, ଧୋବା, ମାଛଧରା ଜାଲ ବୁଣାଳି, କମାର, ବଣିଆ, କୁମ୍ଭାର, ମୂର୍ତ୍ତିକାର, ପଥର ଖୋଦଳକାରୀ, ହାତୁଡି ଓ ସାଜଞ୍ଜମ ନିର୍ମାତା, ମୋଚି, କଣ୍ଢେଇ ଏବଂ ଖେଳନା ନିର୍ମାତା, ତାଲା ନିର୍ମାତା, ଅସ୍ତ୍ରଶସ୍ତ୍ର ନିର୍ମାତା ଓ ଡଙ୍ଗା ନିର୍ମାତା ଆଦି ବୃତ୍ତିର ହିତାଧିକାରୀ ଅଛନ୍ତି । ଏହି ଯୋଜନାରେ ଏହି ବର୍ଗର ହିତାଧିକାରୀଙ୍କ ପାଇଁ ରହିଥିବା ବିଭିନ୍ନ ସହାୟତା ଉପରେ ରାଜ୍ୟ ଓ ଜିଲ୍ଲାର ଏମ୍ଏସ୍ଏମ୍ଇ ବିଭାଗର ଅଧିକାରୀମାନେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍ ଯୋଗଦେଇ ଏହି ଯୋଜନାକୁ ସଫଳ ରୂପାୟନ କରିବାକୁ ହେଲେ ସବୁବର୍ଗର ହିତାଧିକାରୀଙ୍କୁ ସଚେତନତା ହେବାକୁ ପଡିବ ତେବେ ଏହି ଯୋଜନା ନିଶ୍ଚିତ ଭାବେ ସଫଳ ହୋଇପାରିବ । ଏହି ଯୋଜନାରେ ଥିବା ସହାୟତାର ଉପଯୁକ୍ତ ଲାଭ ଉଠାଇ ନିଜର ଜୀବିକାକୁ ଅଗ୍ରାଧିକ କରିବା ପାଇଁ ସେ ଉପସ୍ଥିତ ସମସ୍ତ ହିତାଧିକାରୀଙ୍କୁ ଆହ୍ୱାନ ଦେଇଥିଲେ । ରାଜ୍ୟ ଏମ୍ଏସ୍ଏମ୍ଇ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପି.କେ.ଗୁପ୍ତା ଓ ସହକାରୀ ନିର୍ଦ୍ଦେଶକ ସୁବାସ କୁମାର ସାହୁ ଏବଂ ଗଞ୍ଜାମ ଜିଲ୍ଲା ଜିଏମ୍ (ଡିଆଇସି) ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀଙ୍କୁ ଏହି ଯୋଜନାର ସମସ୍ତ ସ୍କିମ୍ ବିଷୟରେ ସଚେତନତା କରିଥିଲେ । ଶେଷରେ ରାଜ୍ୟ ଏମ୍ଏସ୍ଏମ୍ଇ ବିଭାଗର ସହକାରୀ ନିର୍ଦ୍ଦେଶକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।