ପୀତାମ୍ବର ଦାସଙ୍କ କ୍ଷୁଦ୍ର ନାଟକ ‘ଜେଜିମା’ ଓ ‘ପରିବର୍ତ୍ତନ’ଲୋକାର୍ପିତ
ବାଲେଶ୍ୱର, (ସରୋଜ ପଣ୍ଡା):ଶିଶୁ ସାହିତ୍ୟିକ ପୀତାମ୍ବର ଦାସଙ୍କ ଦୁଇ କ୍ଷୁୂଦ୍ର ନାଟକ ‘ଜେଜିମା’ ଓ ‘ପରିବର୍ତ୍ତନ’ ସ୍ଥାନୀୟ ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ସଭାଗୃହରେ ଲୋକାର୍ପିତ ହୋଇଯାଇଛି । ଆୟୋଜିତ ଉତ୍ସବକୁ ବିଶିଷ୍ଟ ଶିକ୍ଷାବିତ ଡ. ପ୍ରହ୍ଲାଦ ଚରଣ ମହାନ୍ତି ଉଦଘାଟନ କରିବା ସହିତ ପୀତାମ୍ବର ଦାସଙ୍କ ନୂତନ ସ୍ୱାଦଯୁକ୍ତ କ୍ଷୁଦ୍ର ନାଟକ ଓଡ଼ିଆ ଶିଶୁ ସାହିତ୍ୟ ସମୃଦ୍ଧିରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ମଞ୍ଚାସୀନ ଅତିଥିମାନେ ଦୁଇ ପୁସ୍ତକକୁ ଉନ୍ମୋଚନ କରିବା ସହ ଦୁଇ କ୍ଷୁଦ୍ର ନାଟକର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । କବି ବ୍ରଜେନ୍ଦ୍ର ନାଥ ଗିରିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ଡ. ମନ୍ମଥ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୀ ଦାସଙ୍କ ଶିଶୁ ସାହିତ୍ୟର ବିଭିନ୍ନ ଧାରା ଓ କ୍ଷୁଦ୍ର ନାଟକ ଦେଉଥିବା ସାମାଜିକ ବାର୍ତ୍ତା ସମ୍ପର୍କରେ ଆଲୋକପାତ କରିଥିଲେ । ‘ସମାଜ’ ବାଲେଶ୍ୱର ବ୍ୟୁରୋ ମୁଖ୍ୟ କୁଳମଣି ବାରିକ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଦାସଙ୍କ ପ୍ରତିଟି ସାହିତ୍ୟରେ ଥିବା ମୌଳିକ ତଥା ଶିକ୍ଷଣୀୟ ବିଷୟବସ୍ତୁ ଶିଶୁ ସାହିତ୍ୟ ପାଇଁ ନୂଆ ଦିଶା ସଦୃଶ ହୋଇଛି ବୋଲି କହିଥିଲେ । ଶିକ୍ଷାବିତ ଡ. ରାଧାରଂଜନ ପଟ୍ଟନାୟକ, ଅଧ୍ୟାପକ ଡ. ଦିଲୀପ ରଥ, ଧ୍ୱନିପ୍ରତିଧ୍ୱନି ଖବରକାଗଜର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ଶିଶୁ ସାହିତ୍ୟିକ ଶ୍ରୀଦାସଙ୍କ ସାହିତ୍ୟ କୃତିର ଭିତ୍ତିଭୂମି ଓ ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ତାଙ୍କ ଦ୍ୱାରା ରଚିତ ଭାବପୂର୍ଣ୍ଣ ତଥା ସକାରାତ୍ମକ ବର୍ତ୍ତା ସମ୍ବଳିତ ଦୁଇ କ୍ଷୁଦ୍ର ନାଟକ ପାଠକଙ୍କ ମନକୁ ଛୁଇଁବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ଶିଶୁ ସାହିତ୍ୟକ ତଥା ଦୁଇ କ୍ଷୁଦ୍ର ନାଟକର ରଚୟିତା ଶ୍ରୀ ଦାସ ଏଥିରେ ନିଜର ଲେଖକୀୟ ଅନୁଭୁତି ସମ୍ପର୍କରେ କଥା ରଖିଥିଲେ । ଅଧ୍ୟାପକ ପ୍ରଦୀପ୍ତ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଲକ୍ଷ୍ମୀଧର ପରିଡ଼ା ପ୍ରାକ ସୂଚନା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।