ପୁଣି ଆନ୍ଦୋଳନକୁ ଓହ୍ଲାଇବ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୨୦୧୩ ମସିହାର ଚୁକ୍ତିଭିତ୍ତିକ ନିଯୁକ୍ତି ଆଇନକୁ ରଦ୍ଦ କରାଯାଇଛି । ତଦନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ସଂଖ୍ୟା ୨୯୦୭୬ ତା ୧୬.୧୦.୨୦୨୨ରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଉକ୍ତ ବିଜ୍ଞପ୍ତି ଅନୁଯାୟୀ ୨୦୧୩ ମସିହାର ନିୟମ ଅନୁଯାୟୀ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରଥମ ନିଯୁକ୍ତିକୁ ଗଣନା କରି ସେମାନଙ୍କୁ ସେହି ସମୟର ବାର୍ଷିକ ବେତନ ବୃଦ୍ଧି କରି ସେମାନଙ୍କୁ ନିୟମିତ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ନା ଚୁକ୍ତିଭିତ୍ତିକ ନିଯୁକ୍ତି ବାତିଲ ହୋଇଛି ନା ନିୟମିତ ହୋଇଛନ୍ତି ଚୁକ୍ତିରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ । ୨୦୦୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ନିଯୁକ୍ତି ହୋଇ ଆସୁଛନ୍ତି ଏବଂ ସେମାନଙ୍କ ୬ ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ କରିବା ପରେ ସେମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ମିଳିଛି । ଯେଉଁମାନେ ମାତ୍ର ୧୫୦୦ ଟଙ୍କା ପାରିତୋଷିକରେ ଓଡ଼ିଶାର ଆର୍ôଥକ ସଙ୍କଟ ସମୟରେ କାର୍ଯ୍ୟ କରି ସରକାରଙ୍କ ରୋଜକୋଷକୁ ଭରଣା କଲେ, ସେମାନଙ୍କୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି ଯେଉଁଥିପାଇଁ ପ୍ରାଥମିକ ଶିକ୍ଷକମାନଙ୍କ ମନରେ ତୀବ୍ର ଅସନ୍ତୋଷର ବାତାବରଣ ଦେଖାଦେଇଥିଲା । ପୁନଶ୍ଚ ଅନ୍ୟ ବିଭାଗର ୫୬ ହଜାର କର୍ମଚାରୀଙ୍କ ୬ ବର୍ଷର ଚୁକ୍ତି କାର୍ଯ୍ୟକାଳକୁ ୬ଟି ଇନ୍‌କ୍ରିମେଣ୍ଟ ଦେଇ ସରକାର ୧୩୦୦ କୋଟି ବ୍ୟୟ ବରାଦ କରିଥିବା ବେଳେ ୧ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ମାତ୍ର ୮୦୦ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ କୁଣ୍ଠିତ ହେଉଛନ୍ତି । ଭାରତବର୍ଷର ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦିଆଯାଉଥିବା ବେଳେ ସପ୍ତମ ବେତନ କମିଶନ ଅନୁଯାୟୀ ମାତ୍ର ୨୨୦୦ ଗ୍ରେଡ ପେ ଦେଇ ଆମ ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କୁ ଦରମା ଦିଆଯାଇଛି । ୨୦୦୫ ମସିହା ପରେ ନିଯୁକ୍ତି ପାଇଥିବା ଶିକ୍ଷକ କର୍ମଚାରୀମାନେ ଅବସର ପରେ ନୂତନ ପେନସନ ଯୋଗୁ ସେମାନଙ୍କ ଅବସରର ଅବଶିଷ୍ଟ ସମୟ କଷ୍ଟରେ ବିତାଇବାକୁ ପଡୁଛି । ସରକାରଙ୍କ ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ବୈମାତୃକ ମନୋଭାବର ପ୍ରତିବାଦରେ ନଭେମ୍ବର୨୭ ତାରିଖ ଦିନ ୩ ଦଫା ଦାବି ହାସଲ ପାଇଁ ଏକଲକ୍ଷରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ବିଧାନସଭା ସମ୍ମୁଖରେ ମହାସମାବେଶ କରିଥିଲେ । ନଭେମ୍ବର ୩୦ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କଲା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅର୍ଥ ବିଭାଗ ପ୍ରମୁଖ ସଚିବ, ଉନ୍ନୟନ ବିଭାଗ ପ୍ରମୁଖ ସଚିବ, ସାଧାରଣ ପ୍ରଶାସନ ପ୍ରମୁଖ ସଚିବ ଓ ଗଣଶିକ୍ଷା ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା ଓ ଆସନ୍ତା ଡିସେମ୍ବର ୧୬ରୁ ୨୦ ତାରିଖ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ବସାଇ ନିଷ୍ପତ୍ତି ନିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାରୁ ମିଳିତ ଶିକ୍ଷକ ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା । ଗତ ଡିସେମ୍ବର ୨୧ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ଓ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୨୯ ତାରିଖ ଦିନ ଅର୍ଥବିଭାଗର ପ୍ରମୁଖ ସଚିବ, ଉନ୍ନୟନ ବିଭାଗ ପ୍ରମୁଖ ସଚିବ, ସାଧାରଣ ପ୍ରଶାସନ ପ୍ରମୁଖ ସଚିବ, ଗଣଶିକ୍ଷା ସଚିବ ଓ ମିଳିତ ପ୍ରାଥମିକ ମହାସଂଘର ନେତୃମଣ୍ଡଳୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ମହାସଂଘର ସମସ୍ତ ନେତୃତ୍ୱ ଦାବିଗୁଡ଼ିକୁ ଦସ୍ତାବିଜ ସହ କମିଟିରେ ଉପସ୍ଥାପନ କରିଥିଲେ । ମୁଖ୍ୟ ଶାସନ ସଚିବ ଗୋଟିଏ କିମ୍ବା ଦୁଇଟି ଉଚ୍ଚସ୍ତରୀୟ ବୈଠକ ପରେ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସରକାର ଏବେ ଦାବି ପୂରଣ ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ମହାସଂଘର ସଦସ୍ୟମାନଙ୍କ ମନରେ କ୍ଷୋଭପ୍ରକାଶ ପାଇଛି । ଯେପରି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡ଼ିଶାରୁ ଠିକା ନିଯୁକ୍ତି ଉଠାଇବା ସହ ଠିକାରେ ପାଇଥିବା କର୍ମଚାରୀଙ୍କୁ ୬ଟି ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିଛନ୍ତି, ସେହିଭଳି ପ୍ରାଥମିକ ଶିକ୍ଷାରୁ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ବାତିଲ କରି ଚୁକ୍ତିରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ, ୬ ଓ ୮ ବର୍ଷ କାର୍ଯ୍ୟ କରିଥିବା ଶିକ୍ଷା ସହାୟକ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା ଓ ସମସ୍ତ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ତାଙ୍କ ପିତା ପ୍ରବାଦପୁୁରୁଷ ବିଜୁବାବୁଙ୍କ ଜନ୍ମଜୟନ୍ତୀ ମାର୍ଚ୍ଚ ୫ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିବାକୁ ମହାସଂଘ ଅନୁରୋଧ କରିଛି । ନଚେତ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବାଧ୍ୟ ହୋଇ ସବୁବର୍ଗର ଶିକ୍ଷକ ଓ ସମସ୍ତ ପ୍ରାଥମିକ ଶିକ୍ଷକ ସଂଗଠନକୁ ଏକାଠି କରି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଭୁବନେଶ୍ୱର ଖାରବେଳନଗରସ୍ଥିତ ଶ୍ରମିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ମଣ୍ଡଳୀ ସଦସ୍ୟ ରାଜେଶ ମହାନ୍ତି, ସୁଶାନ୍ତ କୁମାର ବେହେରା, ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ମଣ୍ଡଳୀ ବଭୂପ୍ରସାଦ ସାହୁ, ବଙ୍କିମ ଚନ୍ଦ୍ର ସାଗର, ଖଗେନ୍ଦ୍ରନାଥ ପାଲ, ପଶ୍ଚିମ ଓଡ଼ିଶା ଶିକ୍ଷକ ଫୋରମ ସଦସ୍ୟ ପ୍ରମୋଦ କୁମାର ପ୍ରଧାନ, କନିଷ୍ଠ ଶିକ୍ଷକ ସଂଘ ମହାସଚିବ ଆଦିତ୍ୟ ନାରାୟଣ ସ୍ୱାଇଁ, ଷ୍ଟିୟରିିଂ କମିଟି ସଦସ୍ୟ ସୁଧାଂଶୁ ଭୁଷଣ ନାୟକ, ବିକ୍ରମ ରଥ, ନିତେନ ଚନ୍ଦ୍ର ସାହୁ, ଅକ୍ଷୟ ମଲ୍ଲିକ, ପ୍ରମୋଦ ଭଞ୍ଜ, ଉତ୍ତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ