ପୁଣି ଜବତ ଖଣିଜ ଚୋରି, ଆନ୍ତଃ ରାଜ୍ୟ ଖଣି ମାଫିଆ ସକ୍ରିୟ ଚେଇଁ ଶୋଇଛି ଖଣି ବିଭାଗ
ଯୋଡା, (ସମୀର କୁମାର ଦାସ):ସମଗ୍ର ଓଡିଶାରେ ଚୋରା ଖଣିଜ କାରବାର ଏବଂ ଖଣି ଖନନ ଉପରେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଚୋରି ରୋକିବା ପାଇଁ ଯେତିକି ନିୟମ ପ୍ରଣୟନ କରୁଛନ୍ତି ଏହି ନିୟମକୁ ଫୁ କରି ଚୋରା କାରବାର ସେତେ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଲୁହା ପଥରର ଚାହିଦା ମୁତାବିକ ଖଣିଜ ଉତୋଳନ ହେଉ ନଥିବାରୁ ଚୋରା ଖଣିଜ କାରବାର ଅହେତୁ ବୃଦ୍ଧି ପାଇବାରେ ଲାଗିଛି । ରବିବାର ଦିନ ଦ୍ୱିପ୍ରହର ବେଳେ ବଡବିଲ ରେଳ ସାଇଡିଂ ଠାରେ ପୂର୍ବରୁ ଖଣି ବିଭାଗ ଦ୍ୱାରା ଜବତ ହୋଇଥିବା ଲୁହା ପଥରକୁ ଲୋଡର୍ ମେସିନ ସାହାଯ୍ୟରେ ବହୁ ଚକ ବିଶିଷ୍ଟ ୪ଟି ଟ୍ରେଲର୍ ଭାରିଯାନରେ ବୋଝେଇ କରାଯାଇ ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯାଉଥିବା ବେଳେ ବଡବିଲ ପୋଲିସ ଏହି ଗାଡି ଗୁଡିକକୁ ଜବତ କରିବାରେ ସକ୍ଷମ ହୋଇଛି । ୪ଟି ଟ୍ରେଲର ଗୁଡିକର ନଂ ହେଲା ଏନଏଲ୦୧ଏନ ୫୫୫୧, ଜେଏଚ୦୨ଏଆର ୩୯୨୯, ଏନଏଲ୦୧ଏନ ୫୨୨୭, ଏନଏଲ୦୧ଏଡି ୧୯୮୫ । ଏବଂ ଏହି କାରବାରରେ ବ୍ୟବହାର କରାଯାଉଥିବା ଲୋଡର୍ ମେସିନ ନଂ ଜେଏଚ୦୬ସି ୪୩୫୧ ସହିତ ଏକ ବାଇକ ନଂ ଓଡି୦୯କେ ୩୯୨୫ କୁ ଜବତ କରିଛି । ଏବଂ ଏହି କାରବାରରେ ସମ୍ପୃକ୍ତି ଅଭିଯୋଗରେ ଜିତେନ୍ଦ୍ର ଝା, ମହମ୍ମଦ ଇକବାଲ କ୍ୟୁରେସି, ଗଙ୍ଗାଧର ମହାନ୍ତ, ଏତୱା ନାଗ, ବିକ୍ରମ ଯାଦବ, ରାମ ପରୱେଶ ଯାଦବଙ୍କୁ ଗିରଫ କରି କେସ୍ ନଂ ୪୯/୨୧ ରୁଜୁ କରି ଦଫା ୩୭୯/ ୪୧୧/ ୪୨୦/ ୪୬୮/ ୪୭୧/ ୧୨୦-ବି/୩୪ ଆଇପିସି ବଳରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ବେଳେ ଏହି କାରବାରରେ ଅନ୍ୟ ଏକ ପ୍ରମୁଖ ଅଭିଯୁକ୍ତ ଥିବା ଲିପୁନ ଚୌଧୁରୀ ଫେରାର ଥିବା ପୋଲିସ ସୂଚନା ଦେଇଛି । ସୂଚନା ଯୋଗ୍ୟ ଯେ ଏହି ବଡବିଲ ରେଳ ସାଇଡିଂରେ ବଡବଡ ରାଜନେତାମାନଙ୍କର ଲୋଡିଂ ବ୍ୟବସାୟ ଚାଲିଛି । ପୋଲିସ ଏହାର ତଦନ୍ତକୁ ବ୍ୟାପକ କଲେ ଅନେକ ତଥ୍ୟ ତଥା ବଡବଡ ଚୋରା ବେପାରୀ ସମ୍ନାକୁ ଆସି ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେଣେ ଏହି କାରବାରରେ ଅଭିଯୁକ୍ତମାନେ ଖଣି ବିଭାଗ ଦ୍ୱାରା ପ୍ରଦତ ଅନୁମୋଦନ କାଗଜ ପୋଲିସକୁ ଦେଖାଇଥିଲେ । ଏବଂ ପୋଲିସ ଏହାକୁ ଯାଂଚ କରିବା ବେଳେ ତାହା ନକଲି ବୋଲି ଜଣାପଡିଥିବା ବଡବିଲ ଥାନା ସବ୍ଇନ୍ସିପେକ୍ଟର ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଏ ନେଇ ଯୋଡା ଖଣି ଯୁଗ୍ମ ନିର୍ଦ୍ଦେଶକ ସଲିଲ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ସେ ପୋଲିସଠୁ ଖବର ପାଇଛନ୍ତି ଏବଂ ଖଣି ବିଭାଗ ଅଧିକାରୀଙ୍କୁ ଏହାର ସବିଶେଷ ଯାଂଚ କରିବା ପାଇଁ ପଠାଇଛନ୍ତି ବୋଲି କହିଥିଲେ । ଯୋଡା ଖଣି ମଣ୍ଡଳରେ ଲକ୍ଷାଧିକ ମେଟ୍ରିକ ଟନ୍ ଲୁହା ପଥର ଜବତ ହୋଇ ବିଭିନ୍ନ ରେଳ ସାଇଡିଂ ଓ ଅନ୍ୟାନ୍ୟ ସ୍ଥାନ ଗୁଡିକରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ବେଳେ ଏହାର ସଠିକ ତଥ୍ୟ ଖଣି ବିଭାଗ ନିକଟରେ ନାହିଁ । ଏବଂ ଖଣି ବିଭାଗ ଦ୍ୱାରା ଜବତ ହୋଇଥିବା ଖଣିଜକୁ ରାଜ୍ୟ ସରକାରଙ୍କର ବ୍ୟବସାୟକ ସଂସ୍ଥା ଓଡିଶା ଖଣି ନିଗମକୁ ହସ୍ତାନ୍ତର କରାଯାଇ ଏହି ଜବତ ଖଣିଜକୁ ନିଲାମ କରାଯିବାର ନିୟମ ରହିଥିବା ବେଳେ ଏହା କାହିଁକି ହେଉନାହିଁ, ଖଣି ବିଭାଗର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଯୋଗ୍ୟ ଯେ ବାଂଶପାଣି, ନୟାଗଡ, କଳାପାହାଡ ପ୍ରଭୃତି ଅଂଚଳରେ ଥିବା ଜବତ ଖଣିଜ ଚୋରି ହେଉଥିବା ବେଳେ ବନ ବିଭାଗ ଓ ଯୋଡା ପୋଲିସ ଧରିବାରେ ସକ୍ଷମ ହୋଇଥିଲେ ।