ପୁଣି ବର୍ଷକର ଅପେକ୍ଷା:ବିଦାୟ ନେଲେ ଧନଦାତ୍ରୀ ମା ମହାଲକ୍ଷୀ
ଆସିକା, (ଯୁଗାବ୍ଦ ନ୍ୟୁଜ):ଶେଷ ହୋଇଯାଇଛି ଆସିକା ଏନ୍ଏସି ଅଧୀନସ୍ଥ ହାଟପଦା ବ୍ୟବସାୟୀ ସଂଘର ଚଳିତ ବର୍ଷର ମା ମହାଲକ୍ଷ୍ମୀଙ୍କ ପୂଜା । ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା ପଦ୍ମାଳୟା । ସରିଛି ମାଣବସା ଚତୁର୍ଥ ତଥା ଶେଷ ପାଳି ମାର୍ଗଶିର ମାସ ଗୁରବାର । ପୂଜାମଣ୍ଡପରେ ହସହସ ମୁହଁରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଇ ଧରାପୃଷ୍ଠରୁ ମେଲାଣୀ ନେଇଛନ୍ତି ଧନଦାତ୍ରୀ ମା ମହାଲକ୍ଷ୍ମୀ । ଦୀର୍ଘ ପ୍ରାୟ ୮ ଦିନବ୍ୟାପୀ ସହାସ୍ୟବଦନରେ ଦର୍ଶନ ଦେଇ ଅଜସ୍ର ଆଶୀର୍ବାଦ ଢାଳିନେଇ ଶୁକ୍ରବାର ଆସିକା ଏନ୍ଏସି ଅଧୀନସ୍ଥ ହାଟପଦା ବ୍ୟବସାୟୀ ସଂଘର ପୂଜା ମଣ୍ଡପରୁ ବିଦାୟ ନେଇଛନ୍ତି ମା ମହାଲକ୍ଷ୍ମୀ । କମଳିନୀ ମା ମହାଲକ୍ଷ୍ମୀଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ଆସିକା ହାଟପଦା ବ୍ୟବସାୟୀ ସଂଘର କାର୍ଯ୍ୟକର୍ତ୍ତା । ଶୁକ୍ରବାର ପୂର୍ବାହ୍ନରେ ଆସିକା ହାଟପଦା ବ୍ୟବସାୟୀ ସଂଘ ପକ୍ଷରୁ ମହାଆଡମ୍ବର ସହକାରେ ମା ମହାଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆସିକା ହାଟପଦା ବ୍ୟବସାୟୀ ସଂଘର ଅସ୍ଥାୟୀ ମଣ୍ଡପରେ ପୂଜାପାଇ ଆସୁଥିବା ମା ମହାଲକ୍ଷ୍ମୀଙ୍କ ଭସାଣୀ ପର୍ବ ଶୁକ୍ରବାର ପୂର୍ବାହ୍ନରେ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରତ୍ୟେକବର୍ଷ ଭଳି ଚଳିତବର୍ଷ ମଧ୍ୟ ଆସିକା ହାଟପଦା ବ୍ୟବସାୟୀ ସଂଘର ଅସ୍ଥାୟୀ ପୂଜା ମଣ୍ଡପରେ ଗତ ତୃତୀୟ ପାଳି ଗୁରବାର ଠାରୁ ପୂଜା ପାଇ ଆସୁଥିବା ମା’ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଏକ ବିରାଟ ଶୋଭାଯାତ୍ରାରେ ଘଣ୍ଟ, ଘଣ୍ଟା ଓ ବାଦ୍ୟର ତାଳେ ତାଳେ ନଗର ପରିକ୍ରମା କରାଯାଇ ଗୋପାଳପୁର ସମୂଦ୍ରରେ ବିସର୍ଜନ କରାଯାଇଥିବା ଦେଖିବାକୁ ମିଳିଥିଲା । ଆସିକା ହାଟପଦା ବ୍ୟବସାୟୀ ସଂଘ ପୂଜା କମିଟି ପକ୍ଷରୁ ମା ମହାଲକ୍ଷ୍ମୀଙ୍କ ଭସାଣୀ ପର୍ବକୁ ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ କରିବାକୁ ବହୁବିଧ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିଲା । ମା’ ମହାଲକ୍ଷ୍ମୀଙ୍କ ମେଲାଣି ପାଇଁ ଶୁକ୍ରବାର ସ୍ଥାନୀୟ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଥିଲା । ଶ୍ରଦ୍ଧାଳୁ ଭକ୍ତଙ୍କୁ ଯେତିକି ଉତ୍ସାହ ଆଣିଦେଇଥିଲା ସେତିକି ଭାବବିହ୍ୱଳ ମଧ୍ୟ କରିଦେଇଥିଲା ମେଲାଣି ମୁହୂର୍ତ୍ତ । କାରଣ ମା’ ମହାଲକ୍ଷ୍ମୀଙ୍କ ଧରାପୃଷ୍ଠକୁ ଆଗମନ ପାଇଁ ପୁଣି ବର୍ଷେ ଅପେକ୍ଷା କରିବାକୁ ପଡିବ । ଭକ୍ତବତ୍ସଳା ମା ମହାଲକ୍ଷ୍ମୀଙ୍କ ଭସାଣୀ ପର୍ବକୁ ଶୃଙ୍ଖଳିତ ଭାବେ ସମାପ୍ତ କରିବା ଲାଗି ହାଟପଦା ବ୍ୟବସାୟୀ ସଂଘ ପକ୍ଷରୁ ଆଧ୍ୟାତ୍ମିକପ୍ରେମୀ ଗଣପତି ରେଡି, ଟି.ଜିନୁବାବୁ ରେଡି, ଏନ୍.ଶୁକଦେବ ରେଡି, ଏନ୍.ବସନ୍ତ ରେଡି, ଏମ୍.ମୁନା ସେନାପତି, ମହେଶ୍ୱର ବେହେରା, ଏନ୍.ପ୍ରଫୁଲ ରେଡି, ବି.ଶ୍ରୀକାନ୍ତ ରେଡି, କାଳିଆ ପଣ୍ଡା, କେ.ବିକ୍ରମ ରେଡି, ତପୁ ପାଢୀ, ବାଲାଜୀ ରେଡି, ଅଶ୍ୱିନୀ ବିଶ୍ୱାଳ, କୋରେଶୁ ସାସମଲ, ପି.ନାଗେଶ୍ୱର ପାତ୍ର, ଦଣ୍ଡଧର ରେଡି, ହରି ରେଡି, ପ୍ରଦୀପ ପଣ୍ଡା, ଗଙ୍ଗା ନାହାକ, ଧ୍ରୁବ ନାହାକ, ଟିଟୁ ରେଡି, ବିଜୟ ନାହାକଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଆଗେଇ ଆସିଥିଲା ବେଳେ ଅଭିଜ୍ଞ ପଣ୍ଡିତ ରତ୍ନାକର ଦାଶ, ସୀତାରାମ ଦାଶ, ବିକ୍ରମାଦିତ୍ୟ କର, ଓମ୍ ସାମନ୍ତରାଙ୍କ ବେଦ ଉଚ୍ଚାରଣରେ ପୂଜାମଣ୍ଡପ ପ୍ରକମ୍ପିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଏନ୍ଏସି ଅଧୀନସ୍ଥ ହାଟପଦା, ବଜାର ସାହି, ଲକ୍ଷ୍ମୀ ବଜାର ଓ ବ୍ଳକ ଅଧୀନସ୍ଥ ମୁକୁନ୍ଦପୁର, କାଳଷଣ୍ଢପୁର, କର୍ଣ୍ଣୋଳୀ ଗ୍ରାମ ସମେତ ଆଖପାଖ ଗ୍ରାମାଂଚଳରେ ମାଣବସା ଗୁରବାର ଅବସରରେ ମା ମହାଲକ୍ଷ୍ମୀ ପୂଜା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂପନ୍ନ ହୋଇଥିଲା ବେଳେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଐତିହ୍ୟ, ସଂସ୍କୃତି ଓ ଭାଇଚାରାକୁ ପାଥେୟ କରି ଆସିକା ଅଞ୍ଚଳବାସୀ ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କ ପାଦପଦ୍ମରେ ଗୋଟିଏ ମନ ଓ ଗୋଟିଏ ପ୍ରାଣରେ ସମର୍ପିତ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।