ପୁରୀ କୁ ଅତ୍ୟାଧୁନିକ ସୁବିଧା ଥିବା ନୂତନ ଜଗନ୍ନାଥ ଏକ୍ସପ୍ରେସ ବସ୍ ର ଶୁଭାରମ୍ଭ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ରାଜ୍ୟରେ ୧୨ ଟି ଜିଲ୍ଲା ସଦର ମହକୁମାରୁ ପୁରୀ ଅଭିମୁଖେ ଅତ୍ୟାଧୁନିକ ସୁବିଧା ଥିବା ସୁପର ଏକ୍ସପ୍ରେସ ବସ୍ ଆଜି ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୧୨ ଟି ଜିଲ୍ଲାରେ ଏହି ବସ୍ ସେବା ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହରରୁ ଏହାକୁ ଶୁଭାରମ୍ଭ କରାଯାଇଛି। ଭଞ୍ଜନଗର ବସ୍ ଷ୍ଟାଣ୍ଡ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଥିଲେ। ଏଥିରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ,ଭଞ୍ଜନଗର ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ,ଗଞ୍ଜାମ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ,ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର, ଓଏସ୍ଆର୍ଟିସି ଜିଲ୍ଲା ପରିଚାଳକ ଅରୁଣ କୁମାର ସାହୁ,ସହକାରୀ ପରିଚାଳକ ସାଇ ପ୍ରସାଦ ପଣ୍ଡିତ ରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଏଭଳି ଅଭିନବ ଯୋଜନା ଫଳରେ ରାଜ୍ୟର ପ୍ରତିଟି ଅନୁକୋଣରୁ ଜନସାଧାରଣ ପୁରୀ ଯିବା ସହଜ ହେବା ସହ ସୁବିଧାରେ ଜଗା ଦର୍ଶନ କରିପାରିବେ ବୋଲି ପ୍ରକାଶ କରିଥିଲେ।ପ୍ରାୟ ୩ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଥାଇ ଏହି ସୁପର ଡିଲକ୍ସ୍ ବସ୍ ସେବା ଆରମ୍ଭ ହୋଇଥିବା ବେଳେ ସରକାରୀ ଧାର୍ଯ୍ୟ ଅନୁଯାୟୀ ଏହାର ଟିକଟ ରହିବ ବୋଲି ଜଣାପଡିଛି। ଯାହା ଫଳରେ ସାଧାରଣ ଯାତ୍ରୀ ସହଜରେ ଜଗଦର୍ଶନ କରିବାକୁ ଯାଇ ପାରିବେ ବୋଲି ଅତିଥି ମାନେ ସୂଚନା ଦେଇଥିଲେ।


