ପୁରୁଣା ଚିରାଫଟା ପ୍ୟାଣ୍ଟ, ସାର୍ଟକୁ ନୂଆ ରୂପ ଦେଉଛନ୍ତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସଂପ୍ରତି ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟାଗର ବିଷ ବଳୟରେ ସାରା ବିଶ୍ୱ । ଜଳ, ସ୍ଥଳ, ଆକାଶ ଓ ବାୟୁମଣ୍ଡଳ ଜହର ହେବାରେ ଲାଗିଛି । କେବଳ ମନୁଷ୍ୟ ନୁହେଁ, ସମଗ୍ର ପ୍ରାଣୀଜଗତ ବିଲୁପ୍ତ ପଥରେ ଦ୍ରୁତ ରୂପେ ଆଗେଇ ଚାଲିଛି । ଯାହାକୁ ଅସ୍ୱୀକାର କରି ହେବ ନାହିଁ । ଏଥିରୁ ମୁକୁଳିବା ପାଇଁ ଏନେଇ ବିଶ୍ୱସ୍ତରରେ ଘନ ଘନ ବୈଠକ ଓ ଆଲୋଚନା ଜାରି ରହିଥିଲେ ସୁଦ୍ଧା ଅଦ୍ୟାବଧି ଏହ।।ର କୌଣସି ସୁଫଳ ମିଳିପାରି ନାହିଁ । ଦିନକୁ ଦିନ ପଲିଥିନ୍, ପ୍ଲାଷ୍ଟିକ୍ର ମାତ୍ରାଧିକ ବ୍ୟବହାର ଯୋଗୁଁ ଜଳବାୟୁ ପରିବର୍ତ୍ତନ ଉପରେ ଏହାର କୁ-ପ୍ରଭାବ ପଡ଼ିବା ଯୋଗୁଁ ପରିବେଶବିତ୍, ପରିବେଶ ବିଜ୍ଞାନୀଙ୍କ ଚିନ୍ତାର କାରଣ ପାଲଟିଯାଇଛି । ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ଏନେଇ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ଜଣାଶୁଣା ପରିବେଶବିତ୍ ସୁଶାନ୍ତ ସାହୁ ଏହାର ସମାଧାନ ଲାଗି ସାରା ବିଶ୍ୱକୁ ଦେଇଛନ୍ତି ଏକ ବଳିଷ୍ଠ ବାର୍ତ୍ତା । ଜଳବାୟୁ ପରିବର୍ତ୍ତନ ଜ୍ୱାଳାରୁ ମୁକ୍ତି ଓ ପଲିଥିନ୍ ବ୍ୟାଗର ବ୍ୟବହାରକୁ ହ୍ରାସ ଓ ପରିବେଶକୁ ସୁରକ୍ଷା ଦେବାପାଇଁ କିଛି ବର୍ଷ ହେଲା ନିଜ ଘରର ପୁରୁଣା ଚିରାଫଟା ପ୍ୟାଣ୍ଟ-ସାର୍ଟ ଓ ଜିନ୍ସକୁ ନେଇ ନୂଆ ରୂପ ଦେବାରେ ଲାଗିଛନ୍ତି । ଘର ପାଖ ଟେଲର ଦୋକାନରେ ଏ ପୁରୁଣା ପୋଷାକକୁ ସ୍ୱଳ୍ପ ଖର୍ଚ୍ଚରେ ସିଲାଇ ସେଥିରୁ ମନଛୁଆଁ ଆକର୍ଷଣୀୟ ମଜବୁତ୍ କପଡ଼ା ବ୍ୟାଗ ତିଆରି କରୁଛନ୍ତି । ନିଜେ ବ୍ୟବହାର କରିବା ସହ ସାଙ୍ଗ, ସାଥୀ, ବନ୍ଧୁ, ବାନ୍ଧବମାନଙ୍କୁ ଏ ବ୍ୟାଗ ଉପହାର ସ୍ୱରୂପ ଦେବା ସହ ପୁରୁଣା ବସ୍ତ୍ରର ଏଭଳି ଉପଯୋଗ କରିବା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛନ୍ତି । ଯଦ୍ୱାରା ଆମେ ବହୁମାତ୍ରାରେ ପଲିଥିନ୍ ବ୍ୟାଗକୁ କମାଇ ପାରିବା ବୋଲି ସୁଶାନ୍ତ ଆଶା ପ୍ରକଟ କରିଛନ୍ତି । ସୁଶାନ୍ତଙ୍କ ଏହି ଉଦ୍ୟମଟି ଛୋଟ ହୋଇପାରେ କିନ୍ତୁ ଏହା ଅନ୍ୟମାନଙ୍କ ପାଇଁ ବଡ଼ ଉଦାହରଣ ।