ପୁଲିସ ଓ ଅବକାରି ବିଭାଗର ନୀରବତାକୁ ନେଇ ଆନ୍ଦୋଳନ ଧମକ
ହାଟଡ଼ିହି : ସୋସୋ ଥାନା ଠୁଣିଗାଁ ଗ୍ରାମରେ ବ୍ୟାପକ ଚୋରା ଦେଶୀ ମଦ କାରବାର ଯୋଗୁଁ ଗାଁରେ ନାହିଁ ନଥିବା ଅସୁବିଧା ଦେଖାଦେଇଛି । ଘରେ ଘରେ ପାଟିତୁଣ୍ଡ ସାଙ୍ଗକୁ ନିତିଦିନ ଗାଁରେ ହଣାକଟା, ପିଟାମରା ହେବା ଯୋଗୁଁ ଗାଁରେ ଅଶାନ୍ତି ଦେଖାଦେଇଛି । ଏହାକୁନେଇ ଗ୍ରାମ ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମା କୁଣ୍ଡଳାଇ ସ୍ୱାୟଂ ସହାୟକ ଗୋଷ୍ଠୀ, ଥାନପତି ସ୍ୱୟ ସହାୟକ ଗୋଷ୍ଠୀ, ବନଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏକତ୍ରିତ ହୋଇ ଗାଁରୁ ମଦ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏପରିକି ଗତକାଲି ଗାଁର ମହିଳାମାନେ ଏନେଇ ଚୋରା ମଦ ବିକ୍ରୀ କରୁଥିବା ଲୋକମାନଙ୍କୁ ମଦ ବିକ୍ରୀ ନକରିବା ପାିଁ ବାରଣ କରିଥିଲେ ମଧ୍ୟ ଉକ୍ତ ଲୋକମାନେ ମହିଳାଙ୍କ କଥାକୁ ଶୁଣି ନଥିଲେ । ଫଳରେ ଗାଁର ଟୁକୁନୁ ପାଲିଆ, ସୁନି ସାହୁ, ଟିକିଲି ନାଇକ, ଜମୁନା ଖଟୁଆ, ମାତାଜି ଖଟୁଆ, ମିଟି ନାଇକ, ଟିକି ନାଇକ, କାଞ୍ଚନ ନାଇକ, ରୀନା ନାଇକ, ସୁଲୋଚନା ନାଇକ, ବିଳାସିନି ନାଇକ, ଶାରୀ ନାଇକ, ତୁଳସୀ ନାଇକ, ସଞ୍ଜୁ ନାଇକ, ପ୍ରମିଳା ମଢ଼େଇ, ଶାନ୍ତୀ ବେହେରା, ମମତା ଖଣ୍ଡେଇ, ଆରତୀ ବେହେରା, କଲ୍ୟାଣୀ ନାଇକ, ଅପୁ ନାଇକଙ୍କ ସମେତ ୫୦ରୁ ଉର୍ଦ୍ଧ ମହିଳା ଏକଜୁଟ ହୋଇ ଗ୍ରାମରେ ଚୋରା ମଦ ବିକୁଥିବା ଲୋକଙ୍କ ଘରେ ଚଢ଼ାଉକରି ୫୦ଲିଟରରୁ ଉର୍ଦ୍ଧ ଦେଶିମଦ ଜବଦ କରିଥିଲେ । ଯଦି ପ୍ରଶାସନ କିମ୍ବା ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯାଏ ତେବେ ମହିଳାମାନେ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜଂଗଲ ସୁରକ୍ଷା ସମିତିର କର୍ମକର୍ତ୍ତା ପ୍ରେମାନନ୍ଦ ମିଶ୍ର ଚେତାବନୀ ଦେଇଛନ୍ତି ।