ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ରାଇକିଆ, (ଆଦିତ୍ୟ ପ୍ରସାଦ ପାଢ଼ୀ): କନ୍ଧମାଳ ଜିଲା ରାଇକିଆ ଠାରେ ଭାରତ ନିର୍ମାଣ ଆଜାଦି ସେବା ସଙ୍ଗଠନ (ବାସ) ପକ୍ଷରୁ ଶୁକ୍ରବାର ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ୨୦୧୯ ଫେବୃଆରୀ ୧୪ ରେ ଆତଙ୍କବାଦୀ ଆକ୍ରମଣରେ ପୁଲୱାମାଠାରେ ଭାରତ ସେନାବାହିନୀ ର ୪୦ ଜଣ ସହିଦ ହୋଇଥିଲେ । ଏହି ଦିବସକୁ ସ୍ମୁତି ଚାରଣ ପାଇଁ ଏହାକୁ କଳା ଦିବସ ରୂପେ ପାଳନ କରାଯାଉଛି । ରାଇକିଆ ବାସ ଟିମ ତରଫରୁ ସେହି ଦିବସ ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବାସ ଟିମର ସଦସ୍ୟ ମାନଙ୍କ ସହ ବହୁ ସଂଖ୍ୟାରେ ଜନ ସାଧାରଣ ଏବଂ ପୁର୍ବତନ ସେନା କର୍ମଚାରୀମାନେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ମହମ୍ବତୀ ଶୋଭାଯାତ୍ରାରେ ଚୂନପଲ୍ଲୀ ଛକ ଠାରୁ ବାହାରି ବେରେଡକିଆ ଦେଇ ରାଇକିଆ ସଦର ବଜାର ପରିକ୍ରମା କରିଥିଲେ । ସହିଦ ଯବାନ ଆମର ରହେ, ରାଇକିଆ ମାଟିର ପୁଅ ସହିଦ ଚନ୍ଦ୍ରକାନ୍ତ ଆମର ରହେ ସହ ଦେଶଭକ୍ତି ଗୀତରେ ସହର ପ୍ରକମ୍ପିତ ହୋଇଉଠିଥିଲା । କାର୍ଯ୍ୟକ୍ରମକୁ ବାସ ପ୍ରତିଷ୍ଠାତା ଶେଖର ଦିଗାଲ, ଡାଇରେକ୍ଟର ସୁଶିଲ ପ୍ରଧାନ, ରାଇକିଆ ଶାଖା ସଭାପତି ବିଟୁ ଦିଗାଲ, ମୁଖପାତ୍ର ରୋସନ ନାୟକ, ପରାମର୍ଶଦାତା ସନକ ଦିଗାଳଙ୍କ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।