ପୂର୍ତ ବିଭାଗ ରାସ୍ତା କାର୍ଯ୍ୟ ପରେ ଉଠିଲା ବିଦ୍ୟୁତ ଖୁଂଟ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୋକିଢିହ-ତେଲସରା ରାସ୍ତାର ସଂପ୍ରସାରଣ ଓ ପୁନଃ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ରାସ୍ତାଟି ପୂର୍ତ ବିଭାଗ ଅଧିନରେ ରହିଅଛି । ରାସ୍ତା କାର୍ଯ୍ୟ ଜାରି ରହିଥିବା ବେଳେ ଯେଉଁ ଠାରେ ରାସ୍ତାରେ କଂକ୍ରିଟ କାର୍ଯ୍ୟ ସରି ଗଲାଣି ସେଠାରେ ରାସ୍ତା ଉପରେ ବିଦ୍ୟୁତ ଖୁଂଟ ରହିଥିଲା । ବିଭାଗ ପକ୍ଷରୁ ଉକ୍ତ ବିଦ୍ୟୁତ ଖୁଂଟକୁ ହଟା ଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ରାସ୍ତା ନିର୍ମାଣ ପୂର୍ବରୁ ଏହି ଖୁଂଟ ଉଠା ନ ଯାଇ ରାସ୍ତା କାର୍ଯ୍ୟ ପରେ ଏହି ଖୁଂଟକୁ କଟା ଯାଉଛି । ଯାହାକି ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ସ୍ଥାନୀୟ ଲୋକ ନରେନ୍ଦ୍ର ସ୍ୱାଇଁ, ନବଘନ ପରିଡା, ଶିବ ପରିଡା ଆଦି ମତବ୍ୟକ୍ତ କରିଛନ୍ତି । ରାସ୍ତା ନିର୍ମାଣ ପରେ ପୂର୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଖୁଂଟକୁ କଟାଯାଉଛି । ଖୁଂଟ କଟାଯିବା ପରେ ଖୁଂଟରେ ଥିବା ଜିଆଇ ତାର, ଲୁହା ଆଦି ରାସ୍ତା ଉପରେ ଖେଂଟା ସଦୃଶ ରହୁଥିବାର ଦେଖାଯାଇଛି । କିଛି ଦିନ ପରେ ରାସ୍ତା ଖରାପ ହେଲେ କିମ୍ବା ରାସ୍ତା ଖାଲ ହେଲେ ଯେଉଁ ସ୍ଥାନରେ ବିଦ୍ୟୁତ ଖୁଂଟ କଟା ଯାଇଛି ସେଠାରେ ଆହୁରି ଅଧିକ ଖେଂଟା ବାହାରକୁ ଦେଖାଯିବ । ଯାହାଫଳରେ ଗାଡି ମଟର ଚକ ଫୁଟିବାର ସମ୍ଭାବନା ଅଧିକ ରହିଛି । କେବଳ ସେତିକି ନୁହେଁ ଗାଁ ଗହଳି ମଧ୍ୟରେ ଉକ୍ତ ରାସ୍ତା ଯାଇଥିବାରୁ ଛୋଟ ପିଲା, ବୃଦ୍ଧବୃଦ୍ଧାମାନେ ଏହି ରାସ୍ତା ଦେଇ ପାଦରେ ଚାଲି ଚାଲି ମଧ୍ୟ ଯିବେ । ତେଣୁ ଅସାବଧାନତା ବଶତଃ ଯଦି କେହି ଏହି କଟା ଖୁଂଟରେ ଗୋଡ ପକାଇ ଦିଅନ୍ତି ତେବେ ଗୋଡ ପାଦ ଫୁଟିବାର ସମ୍ଭାବନା ଅଧିକ ରହିଛି । ତେଣୁ ବିଦ୍ୟୁତ ଖୁଂଟ କଟାଯାଉଥିବା ସ୍ଥାନକୁ ଠିକ ଭାବେ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଜନସାଧାରଣ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏବିଷୟରେ ଟାଟା ପାୱାରର ଲିଡ ମ୍ୟାନେଜର ଦୀପକ ଭୂଇଙ୍କୁ ପଚାରିବାରୁ ପୂର୍ତ ବିଭାଗ ପକ୍ଷରୁ ଟେଂଣ୍ଡର କରାଯାଇ ବିଦ୍ୟୁତ ଖୁଂଟ କଟାଯାଉଛି । କେତେ ଖୁଂଟ କଟାଯାଇଛି ଓ କେଉଁ ସ୍ଥାନରୁ କଟାଯାଇଛି । ସେ ବିଷୟରେ ଆମକୁ ଅବଗତ କରାଯାଇନାହିଁ,କି ଖୁଂଟ ହସ୍ତାନ୍ତର କରାଯାଇନାହିଁ । ତେଣୁ ବିଭାଗ ପକ୍ଷରୁ ହସ୍ତାନ୍ତର କରାଗଲେ ସମୟରେ ଆମେ ଯାହା ପଦକ୍ଷେପ ଗ୍ରହଣ କରିବୁ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ