ସ୍ୱରାଜଙ୍କ ପରଲୋକରେ କ୍ୟାବିନେଟର ଶୋକ
ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ନୂଆଦିଲ୍ଲୀର ଏଆଇଆଇଏମଏସଠାରେ ଅଗଷ୍ଟ ୬, ୨୦୧୯ରେ ପରଲୋକ ଘଟିଥିବାରୁ କ୍ୟାବିନେଟ ତରଫରୁ ଶୋକ ପ୍ରକାଶ କରାଯାଇଛି । ତାଙ୍କ ବିୟୋଗ ଫଳରେ ଦେଶ ଜଣେ ବିଶିଷ୍ଟ ନେତ୍ରୀ ଏବଂ ଅସାଧାରଣ ସାଂସଦଙ୍କୁ ହରାଇଛି । ତାଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା । ହରିୟାନାର ଅମ୍ବାଲାଠାରେ ଫେବୃଆରୀ ୧୪, ୧୯୫୨ରେ ଜନ୍ମଗ୍ରହଣ କରିଥିବା ଶ୍ରୀମତି ସୁଷମା ସ୍ୱରାଜ ଆମ୍ବାଲା କ୍ୟାଂଟରେ ଅବସ୍ଥିତ ସନାତନ ଧର୍ମ କଲେଜରୁ ସ୍ନାତକ ପାଶ କରିଥିଲେ ଏବଂ ଚଣ୍ଡିଗଡର ପଞ୍ଜାବ ବିଶ୍ୱ ବିଦ୍ୟାଳୟରୁ ଆଇନରେ ସ୍ନାତକ ପାଶ କରିଥିଲେ । କାନପୁରର କୃଷି ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା । ୧୯୭୩ରେ ସେ ସୁପ୍ରିମକୋର୍ଟର ଆଡଭୋକେଟ ଭାବେ ଅଭ୍ୟାସ ଆରମ୍ଭ କରିଥିଲେ । ଶ୍ରୀମତି ସୁଷମା ସ୍ୱରାଜ ଅତି କମ ବୟସରୁ ସାର୍ବଜନୀନ ଜୀବନରେ ପ୍ରବେଶ କରିଥିଲେ ଏବଂ ୧୯୭୭ରେ ମାତ୍ର ୨୫ ବର୍ଷ ବୟସରେ ହରିୟାନା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ରାଜ୍ୟ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭାବେ କ୍ୟାବିନେଟରେ ସାମିଲ ହୋଇଥିଲେ । ୧୯୮୭ରୁ ୧୯୯୦ ମଧ୍ୟରେ ସେ ପୁଣି ଥରେ ହରିୟାନା ବିଧାନସଭାକୁ ନିର୍ବାଚିତ ହେବା ସହିତ ଶିକ୍ଷା, ଖାଦ୍ୟ, ସାଧାରଣ ଯୋଗାଣ କ୍ୟାବିନେଟ ମନ୍ତ୍ରୀ ଭାବେ ରାଜ୍ୟ ସରକାରରେ ସାମିଲ ହୋଇଥିଲେ । ୧୯୯୦ରେ ସେ ରାଜ୍ୟସଭା ଏବଂ ୧୯୯୬ରେ ୧୧ତମ ଲୋକସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ଏବଂ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୯୮ରେ ସେ ପୁଣିଥରେ ୧୨ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସୂଚନା ଓ ପ୍ରସାରଣ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଅତିରିକ୍ତ ଦାୟିତ୍ୱ ଭାବେ ତାଙ୍କୁ ଟେଲି ଯୋଗାଯୋଗ ବିଭାଗ ମଧ୍ୟ ପ୍ରଦାନ କରାଯାଇଥିଲା । ୧୯୯୮ ଅକ୍ଟୋବରରେ ସେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ଏପ୍ରିଲ ୨୦୦୦ରେ ସେ ପୁଣିଥରେ (ଯୁଗାବ୍ଦ ନ୍ୟୁଜ)ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସେପ୍ଟେମ୍ବର ୨୦୦୦ରୁ ଜାନୁଆରୀ ୨୦୦୩ ମଧ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ ଏବଂ ଜାନୁଆରୀ ୨୦୦୩ରୁ ମେ ୨୦୦୪ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପର ମନ୍ତ୍ରୀ ହୋଇଥିଲେ । ଏପ୍ରିଲ ୨୦୦୬ରେ ସେ ରାଜ୍ୟସଭାକୁ ପୁଣି ନିର୍ବାଚିତ ହୋଇଥିଲେ । ୨୦୦୯ରେ ସେ ୧୫ତମ ଲୋକସଭାକୁ ନିର୍ବାଚିତ ହେବା ସହ ଡିସେମ୍ବର ୨୦୦୯ରୁ ମେ ୨୦୧୪ ପର୍ଯ୍ୟନ୍ତ ବିରୋଧି ଦଳର ନେତ୍ରୀ ହୋଇଥିଲେ । ୨୦୧୪ରେ ସେ ୧୬ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ମେ ୨୦୧୪ରୁ ମେ ୨୦୧୯ ପର୍ଯ୍ୟନ୍ତ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀମତି ସୁଷମା ସ୍ୱରାଜ ତାଙ୍କର ଓଜସ୍ୱିନୀ ବକ୍ତବ୍ୟ ଓ କରୁଣାପୂର୍ଣ୍ଣ ଭାବନା ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ । ସେ ଥିଲେ ଜଣେ ଦକ୍ଷ ପ୍ରଶାସିକା ଏବଂ ତାଙ୍କର ସ୍ନେହୀ ଓ ଦରଦୀ ଭାବନା ଯୋଗୁ ସେ ବିଦେଶରେ ଅସହାୟ ଭାବେ ରହିଥିବା ଭାରତୀୟମାନଙ୍କୁ ସହାୟତା ପ୍ରଦାନ କରି ସମସ୍ତଙ୍କ ହୃଦୟ ଜିତି ପାରିଥିଲେ । ଏହି ଗୁଣ ଗୁଡିକ ପାଇଁ ତାଙ୍କୁ ୨୦୧୭ରେ ଆମେରିକାର ଦୈନିକ ଖବରକାଗଜ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ସର୍ବାଧିକ ଭାରତୀୟ ଭଲ ପାଉଥିବା ରାଜନୀତିଜ୍ଞ ଭାବେ ଅଭିହିତ କରିଥିଲା । ବିଭିନ୍ନ କ୍ଷେତ୍ରରେ ସୁଷମା ସ୍ୱରାଜ ଦେଶକୁ ପ୍ରଦାନ କରିଥିବା ସେବା ସମ୍ବନ୍ଧରେ କ୍ୟାବିନେଟ ତାଙ୍କୁ ପ୍ରଶଂସା କରିବା ସହ ଏହାକୁ ରେକର୍ଡ ଭୁକ୍ତ କରାଯାଇଛି । ସରକାର ଏବଂ ସମଗ୍ର ଦେଶ ତରଫରୁ ମଧ୍ୟ କ୍ୟାବିନେଟ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସହାନୁଭୂତି ଜଣାଇଛି ।