ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ
କେନ୍ଦ୍ରାପଡା, (ଓ୍ବାଇଏନ୍ଏସ୍):ପୂର୍ବତନ ପ୍ରାଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଗୋପସ୍ଥିତ କମଳ ଭବନ ପରିସରରେ ମହାନଆତ୍ମାଙ୍କ ଜନ୍ମ ଜୟନ୍ତୀ ପାଳନ କରାଯିବା ସହ ଜରୂରୀକାଳୀନ ପରିସ୍ଥିତିରେ କାରାବରଣ କରିଥିବା କେନ୍ଦ୍ରାପଡାର ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ବିଜେପି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଭୂବନମୋହନ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ସଂଗ୍ରାମୀ ଯୋଗଦେଇଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ କଂଗ୍ରେସ ସରକାରଙ୍କ ଦ୍ୱାରା ନେତୃତ୍ୱମାନଙ୍କୁ ବିନା ଦୋଷରେ ବନ୍ଦୀ କରାଯାଇ ବିଭିନ୍ନ ଯନ୍ତ୍ରଣା ଦିଆଯାଉଥିବା ସମ୍ପର୍କରେ ଶ୍ରୀ ଜେନା ବର୍ଣ୍ଣନା କରିଥିଲେ । ସେ ସମୟରେ ଇନ୍ଦିରା ସରକାରଙ୍କ କଳାକାନୁନକୁ ବିରୋଧ କରି ବନ୍ଦୀ ହୋଇଥିବା ବରିଷ୍ଠ ସଂଗ୍ରାମୀ ପଣ୍ଡିତ ହୃଷିକେଶ ରଥ, ବିଷ୍ଣୁ ପଦରାଜ ମହାନ୍ତି, ରବିନାରାୟଣ ପତି, କାହ୍ନୁ ଚରଣ ବେହେରା, ହରିଶ୍ଚନ୍ଦ୍ର ଜେନା, ଧୁଳିଚରଣ ପ୍ରଧାନ, ଡମ୍ବରୁଧର ଘଡେଇ, ଦେବୀ ପ୍ରସାଦ ନାୟକ, ବ୍ରଜକିଶୋର ଓଝା, ବ୍ରହ୍ମାନନ୍ଦ ପ୍ରଧାନ, ଉମାକାନ୍ତ ଦାସ, ସୁରେନ୍ଦ୍ର ନାଥ ବେହେରା, ବିନାୟକ ସେନାପତି, ନାରାୟଣ ପୃଷ୍ଟି ଓ ଛେଦରା ମଠର ମହନ୍ତ ଯଶୋବନ୍ତ ମହାରାଜଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭବିଷ୍ୟତରେ ଯଦି ସଂଗ୍ରାମୀମାନଙ୍କର କୈାଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ ତେବେ ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଚିକିତ୍ସା ଯୋଗାଇଦିଆଯିବ ବୋଲି ଶ୍ରୀ ଜେନା ପ୍ରତିଶୃତି ଦେଇଥିଲେ । ଜିଲ୍ଲାର ପ୍ରମୁଖ ସ୍ଥାନରେ ଭାରତରତ୍ନ ସ୍ୱର୍ଗତ ବାଜପେୟୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଶ୍ରୀ ଜେନା ଘୋଷଣା କରିଥିଲେ । ଏହି ସଭାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ କୃଷି ଆଇନ ସମ୍ପର୍କରେ କୃଷକମାନଙ୍କୁ ସଚେତନ କରାଯାଇଥିଲା । କୃଷି ଆଇନ କିଭଳି କୃଷକମାନଙ୍କ ରୋଜଗାରକୁ ଦ୍ୱିଗୁଣିତ କରି ସେମାନଙ୍କ ସମ୍ମାନ, ସୁରକ୍ଷା ଓ ସମୃଦ୍ଧି ଆଣିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱାମୀନାଥନ କମିଟିର ସୁପାରିଶ ଅନୁସାରେ କେନ୍ଦ୍ରସରକାରଙ୍କ ଦ୍ୱାରା ପ୍ରଣିତ କୃଷି ଆଇନ କୃଷି ଭିତ୍ତିକ ବଜାରର ଚାହିଦାକୁ ଅନୁଧ୍ୟାନ କରି ଏମ.ଏସ.ପି.ମାଧ୍ୟମରେ ମଣ୍ଡିମାନଙ୍କରେ ବୀକ୍ରୟର ସୁବିଧା ଉପଲବ୍ଧ କରାଇବ । ଅନ୍ୟତମ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯ୍ୟୋଧନ ସାହୁ କେନ୍ଦ୍ରର ମୋଦି ସରକାର କୃଷକମାନଙ୍କ ବ୍ୟାଙ୍କ ଖାତାକୁ ପି.ଏମ.କିଷାନ ଯୋଜନାରେ ୧୮ହଜାର କୋଟି ଟଙ୍କା ପଠାଯାଇଥିବା ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ଉପସଭାପତି କରୁଣାକର ସାହୁ, ରଶ୍ମିରଞ୍ଜନ ପ୍ରଧାନ, ହେମନ୍ତ କୁମାର ପରିଡା, ଗଗନବିହାରୀ ସାହୁ, ପବିତ୍ର ପରିଡା, ବିଜୟ ନାୟକ, କାନନବାଳା ଦାସ, ନଗେନ୍ଦ୍ର ବେହେରା, ଉର୍ମିଳା ସେଠୀ, ଉମେଶ ଚନ୍ଦ୍ର ଦାସ,ବିଭୂତିଭୂଷଣ କର, ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ, ନାରଦ ଚନ୍ଦ୍ର ବିଶ୍ୱାଳ,ରେଶ୍ମୀ ଚକ୍ରବର୍ତ୍ତୀ, ସଞ୍ଜୟ ବେଉରା,ନିଳମଣୀ ସାହାଣି, ମନୋରଞ୍ଜନ ସାମଲ, ପ୍ରଭାତରଞ୍ଜନ ସ୍ୱାଇଁ, ହେମନ୍ତ ବେହେରା, ଭିକାରୀ ଚରଣ ପାତ୍ର, ଅମୃତ ମହାନ୍ତି, ପ୍ରସନ୍ନ ପରିଡାଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ କୃଷକ ଓ ବିଜେପିର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ ।