ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ କଂଗ୍ରେସରୁ ଇସ୍ତଫା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପୂର୍ବତନ ମନ୍ତ୍ରୀ, କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ମିଡିଆସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରା କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ଗତ ପ୍ରାୟ ଏକମାସ ହେବ ଶ୍ରୀ ବେହେରାଙ୍କ ଦଳ ତ୍ୟାଗ ସମ୍ପର୍କରେ ବିଭିନ୍ନ ରୋଚକ ଖବର ପ୍ରକାଶ ପାଇ ଆସୁଥିଲା । ଶ୍ରୀ ବେହେରା କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ଚାଲିଥିଲା । ଏସମ୍ପର୍କରେ ଶ୍ରୀ ବେହେରା କହିଛନ୍ତି ଯେ ସେ ବିଧାନସଭାକୁ ପ୍ରବେଶ କରିବା ପାଇଁ ବାଧ୍ୟ ହୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଗତ କିଛିଦିନ ଧରି ମାଟି ପାଇଁ ପାଟି ଖୋଲ, ମାଟି ପାଇଁ ମାଡିଚାଲ କହୁଥିବା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବେହେରା ଶେଷରେ ଦଳରୁ ଇସ୍ତଫା ଦେଇଛନ୍ତି । ଆଗାମୀ ଦଳରେ ସେ କେଉଁ ଦଳରେ ମିଶୁଛନ୍ତି ଏବଂ କେନ୍ଦ୍ରାପଡା ମାଟି ପାଇଁ କିପରି ଲଢେଇ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ବରିଷ୍ଠ କଂଗ୍ରେସ ନେତା ତଥା ଅଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠୀ କହିଛନ୍ତି ଶ୍ରୀ ବେହେରା କଂଗ୍ରେସ ଦଳ ପାଇଁ ଆତ୍ମଘାତି ବୋମା ସଦୃଶ ଥିଲେ । ସେ କାହିଁକି ବାରମ୍ବାର ହାରୁଛନ୍ତି ବୋଲି ତା’ର ସମୀକ୍ଷା ନକରି ଦଳକୁ ବାରମ୍ବାର ଦୋଷ ଦେଉଥିଲେ । ଶ୍ରୀ ବେହେରା କଂଗ୍ରେସ ଦଳର ପ୍ରାର୍ଥୀ ହୋଇ କାହିଁକି ବିଜେଡି ପ୍ରାର୍ଥୀ ସହିତ ମିଶି ପ୍ରଚାର କରିବା ଯୋଗୁଁ ହାରିଥିଲେ । ଶ୍ରୀ ବେହେରାଙ୍କ ଇସ୍ତଫା କଂଗ୍ରେସ ଦଳ ପାଇଁ ଲାଭଜନକ ହେବ ଓ କଂଗ୍ରେସ ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ଶ୍ରୀ ସେଠୀ କହିଛନ୍ତି । ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା କୁହନ୍ତି ଯେ ଗଣେଶ୍ୱରବାବୁଙ୍କୁ ୧୯୮୫ମସିହାରୁ କଂଗ୍ରେସ ଦଳ ସମର୍ଥନ ଦେବା ସହିତ ବିଧାୟକ ଓ ମନ୍ତ୍ରୀ କରିଛି । ଏହାବ୍ୟତିତ ବିଭିନ୍ନ ସମୟରେ ଦଳର ରାଜ୍ୟ ଉପସଭାପତି, ରାଜ୍ୟ ମିଡିଆସେଲ ଅଧ୍ୟକ୍ଷ, ପ୍ରଚାର କମିଟି ସଦସ୍ୟ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଆସିଣ କରି ସମ୍ମାନୀତ କରିଛି । ଏସବୁ ପରେବି ତାଙ୍କର କଂଗ୍ରେସ ଦଳରୁ ଇସ୍ତଫା ପ୍ରଦାନ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ବେହେରା କହିଛନ୍ତି । ସେ ବାରମ୍ବାର ହାରିବା ପଛରେ ଦଳର କୈାଣସି ଭୂମିକା ନାହିଁ । ରାଜ୍ୟ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ଆଇନଜୀବୀ ବିଭୁଭୂଷଣ ମହାପାତ୍ର କହନ୍ତି ଯେ ଶ୍ରୀ ବେହେରାଙ୍କ ଇସ୍ତଫା କଂଗ୍ରେସ ଦଳ ପାଇଁ ମହଙ୍ଗା ପଡିବ ନାହିଁ ବୋଲି କହିଛନ୍ତି । କଂଗ୍ରେସ ଏକ ଆନ୍ଦୋଳନ । କଂଗ୍ରେସ ଏକ ବିଚାରଧାରାରେ ବିଶ୍ୱାସ କରୁଥିବା ରାଜନୈତିକ ଦଳ । ଅତୀତରେ ବିଜୁ ପଟ୍ଟନାୟକ, ହରେକୃଷ୍ଣ ମହତାବ, ନନ୍ଦିନୀ ଶତପଥୀଙ୍କ ଭଳି ତୁଙ୍ଗ ନେତୃବୃନ୍ଦ କଂଗ୍ରେସ ଦଳ ଛାଡିଥିଲେ ମଧ୍ୟ ଦଳ ତାହାର ଅସ୍ତିତ୍ୱ ହରାଇନାହିଁ । ତେଣୁ ଶ୍ରୀ ବେହେରାଙ୍କ ଦଳରୁ ଇସ୍ତଫା ଦଳ ପାଇଁ ସେପରି କିଛି କ୍ଷତି ସାଧନ କରିପାରିବନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ