ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :କଳିଙ୍ଗ ବୁଦ୍ଧବିହାର ସଭାକକ୍ଷରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜିକ ନ୍ୟାୟ ଆନ୍ଦୋଳନର ଅନ୍ୟତମ ଅଗ୍ରଗଣ୍ୟ ଜନନେତା ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ହେମାନନ୍ଦ ବାବୁଙ୍କ ଜୀବନୀ, ରାଜନୀତି ଓ ସାମାଜିକ ଆନ୍ଦୋଳନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଗତ ଫେବୃୟାରୀ ୨୫ ତାରିଖ ସନ୍ଧ୍ୟାରେ ସମ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଥିଲା । ସେ ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ଓ ପଶ୍ଚିମାଞ୍ଚଳର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଝାରସୁଗୁଡ଼ା ଜିଲ୍ଲାର ଠାକୁରପଡ଼ା ଗ୍ରାମରେ ସେ ଏକ ଅଣରାଜନୈତିକ ସାଧାରଣ ଆଦିବାସୀ ପରିବାରରେ ୧ ଡ଼ିସେମ୍ବର, ୧୯୩୯ରେ ଜନ୍ମଗ୍ରହଣ କରିଥିଲେ । ମାତା ତ୍ରିମଣି ବିଶ୍ୱାଳ ଓ ପିତା ବାସୁଦେବ ବିଶ୍ୱାଳଙ୍କ ସେ ତୃତୀୟ ସନ୍ତାନ ଥିଲେ । ବିଦ୍ୟାଳୟ ଶିକ୍ଷା ଗ୍ରହଣ ସମୟରୁ ତାଙ୍କର ବହୁମୁଖି ପ୍ରତିଭାର ସଙ୍କେତ ମିଳିଥିଲା । ସେ କ୍ରୀଡ଼ା, କଳା, ସାହିତ୍ୟ ଓ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇପାରିଥିଲେ । କ୍ରୀଡ଼ା ଶିକ୍ଷକରୁ ଜୀବନ ଆରମ୍ଭ କଲା ପରେ ରାଜନୀତିରେ ଯୋଗଦେଇ ୧୯୬୭ ମସିହାରେ କର୍ମିିରା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୪ ମସିହାରେ ଲାଇକେରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିିତ ହୋଇଥିଲେ । ସେ ୫ଥର ବିଧାୟକ ଓ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଓ କଂଗ୍ରେସର ରାଜ୍ୟ ସଭାପତି ମଧ୍ୟ ଥିଲେ । ଗରିବ ଓ ନିରାଶ୍ରୟ, ଆଦିବାସୀ ଦଳିତ ମାନଙ୍କର ସେ ଅଦ୍ୱିତୀୟ ନେତା ଥିଲେ । ଭୁବନେଶ୍ୱର ଆମ୍ବେଦକର କଲେଜ ଓ ଏ.ଜି. ଛକଠାରେ ଥିବା ବାବାସାହେବ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ଓ ଆମ୍ବେଦକର ଛକ ନାମକରଣ କରିବାରେ ତାଙ୍କର ଅବଦାନ ଥିଲା ଅତୁଳନୀୟ । ଆମ୍ବେଦକର ଜୟନ୍ତୀ ପାଳନରେ ସେ ଅଗ୍ରଣୀ ଭୂମିକା ନେଉଥିଲେ । ଏପରି ଜନନେତାଙ୍କର ବିୟୋଗରେ ସମଗ୍ର ଓଡ଼ିଶା ଆଜି ମ୍ରିୟମାଣ । ତାଙ୍କର ବିୟୋଗରେ ଓଡ଼ିଶାରେ ଏକ ଅପୂରଣୀୟ କ୍ଷତି ଘଟିଲା । ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଘଡ଼େଇ ସ୍ୱର୍ଗତ ବିଶ୍ୱାଳଙ୍କ ଜୀବନୀ ଓ ରାଜନୈତିକ ପ୍ରତିଷ୍ଠାତା ଓ ଦୃଢତା ଉପରେ ଆଲୋକପାତ କରିଥିଲେ । ପୂର୍ବତନ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ହେମାନନ୍ଦ ବାବୁଙ୍କ ବ୍ୟକ୍ତିତ୍ୱ, ମହନୀୟତା ଓ ସାମାଜିକ ନ୍ୟାୟ ନିମିତ୍ତ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀଯୁକ୍ତ ଭଜମନ ବେହେରା ସ୍ୱର୍ଗତ ବିଶ୍ୱାଳ ଡକ୍ଟର ଆମ୍ବେଦକରଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଦଳିତ, ଆଦିବାସୀ ଓ ଗରିବ ଅସହାୟମାନଙ୍କ କାର୍ଯ୍ୟ କରିବା ସହିତ ଡଃ ଆମ୍ବେଦକରଙ୍କ ସ୍ମୃତି ରକ୍ଷା ପାଇଁ କାର୍ଯ୍ୟ କରିଥିଲେ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ସମାଜସେବୀ ତଥା ଯୁବନେତା ଅମିୟ ପାଣ୍ଡବ, ଅବଦୁଲ କଲାମ ଆଜାଦ, ସମାଜସେବୀ ମାନସ ଜେନା, ନାରୀନେତ୍ରୀ ପ୍ରତିମା ମଲ୍ଲିକ, ସମାଜବାଦୀ ନେତା ରାଧାକାନ୍ତ ସେଠି ଓ ସମାଜବାଦୀ ଦଳର ସୁଦର୍ଶନ ପ୍ରଧାନ, ରାଜନେତା ବିକ୍ରମ ସ୍ୱାଇଁ, ମାନଗୋବିନ୍ଦ ସେଠୀ, ସୁନାକର ବେହେରା ପ୍ରମୁଖ ବକ୍ତାମାନେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭା ତରଫରୁ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯିବା ସହିତ ତାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଯୁବନେତା ବିଦ୍ୟାଧର ଦେହୁରୀ ଏହି ସଭାରେ ସଭାପତିତ୍ୱ କରିଥିଲେ ଏବଂ ଶ୍ରୀଯୁକ୍ତ ଲକ୍ଷ୍ମଣ ମଲ୍ଲିକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ