ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ, ଥାନାରେ ଏତାଲା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ସ୍ଥାନୀୟ ବ୍ଳକ ଶାସନ ଆମ୍ବଗାଁର ପୂର୍ବତନ ସରପଞ୍ଚ ଡାକ ବିଶ୍ୱାଳଙ୍କୁ ସେହି ଗ୍ରାମର ୨ ଯୁବକ ହତ୍ୟା ଧମକ ଦେଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୧୪୯/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରାକ୍ତନ ସରପଞ୍ଚ ବିଶ୍ୱାଳ ସନ୍ଧ୍ୟାରେ ନିଜ ଅଫିସରେ ବସିଥିବା ବେଳେ ସେହି ଗ୍ରାମର ୨ ଯୁବକ କାହ୍ନୁ ସ୍ୱାଇଁ ଓ ଭାଲୁ ସ୍ୱାଇଁ ଆସି ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ । ବିଶ୍ୱାଳ ଏହାର ପ୍ରତିବାଦ କରିବାରୁ ୨ ଯୁବକ ବିଶ୍ୱାଳଙ୍କ ସ୍ତ୍ରୀ ଓ ଝିଅଙ୍କୁ ଉଲଗ୍ନ କରିବା ପାଇଁ ଧମକ ଦେବା ସହ ତାଙ୍କୁ ହତ୍ୟା ଧମକ ଦେଇଥିଲେ ବୋଲି ବିଶ୍ୱାଳ ଅଭିଯୋଗ କରିଛନ୍ତି । ହତ୍ୟା ଧମକ ଘଟଣାର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ପୂର୍ବ ରାଜନୈତିକ ଶତୃତାରୁ ଏଭଳି ଘଟଣା ଘଟିଥିବା ନେଇ ଗ୍ରାମରେ ଚର୍ଚ୍ଚା ହେଉଛି ।