ପୂର୍ବତନ ସାଂସଦଙ୍କ ବିୟୋଗରେ ଫରୱାର୍ଡ଼ ବ୍ଲକ ରାଜ୍ୟ କମିଟିର ଶୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପୂର୍ବତନ ସାଂସଦ ତଥା ବର୍ଷିୟାନ କମ୍ୟୁନିଷ୍ଟ ନେତା ଶିବାଜୀ ପଟ୍ଟନାୟକଙ୍କ ଆଜି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ନିଧନ ହୋଇଯାଇଛି । ତାଙ୍କ ବିୟୋଗରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ’, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଓ ଅନ୍ୟ ସାଥୀମାନେ ନୀଳାଚଳ ହସ୍ପିଟାଲକୁ ଯାଇ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ଶେଷ ଦର୍ଶନ କରିଥିଲେ । ସାଥୀ ଶିବାଜୀ ପଟ୍ଟନାୟକ ପରାଧୀନ ଭାରତବର୍ଷରେ ଜନ୍ମଗ୍ରହଣ କରି ଛାତ୍ର ଜୀବନରୁ ବାମପନ୍ଥୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ଛାତ୍ର ଅବସ୍ଥାରୁ ମୃତ୍ୟୁ ପର୍ଯ୍ୟନ୍ତ ଅଙ୍ଗୀକାର ବଦ୍ଧତାର ସହିତ ବାମପନ୍ଥୀ ଆଦର୍ଶର ଜଣେ ଅନନ୍ୟ ସେନାପତି ଭାବରେ ମେହନତୀ ମଣିଷଙ୍କ ସ୍ୱାର୍ଥରକ୍ଷା ପାଇଁ ସଂଗ୍ରାମ ଜାରି ରଖିଥିଲେ । ଜନସାଧାରଣଙ୍କ ସମର୍ଥନରେ ଭୁବନେଶ୍ୱରରୁ ତିନି ତିନିଥର ସାଂସଦ ଭାବେ ନିର୍ବାଚିତ ହେବା ପରେ ମଧ୍ୟ ବଦଳି ଯାଇନଥିଲା ତାଙ୍କର ମାନସିକତା । ଷାଠିଏ ଦଶକରେ କମ୍ୟୁନିଷ୍ଟ ପାର୍ଟିରେ ବିଭାଜନ ଘଟି ସି.ପିଆଇ (ଏମ୍‌) ଗଠନ ହେବା ପ୍ରକ୍ରିୟାରେ ସେ ଥିଲେ ରାଜ୍ୟର ଜଣେ ଅନ୍ୟତମ ବିନ୍ଧାଣୀ । ପ୍ରାୟ ଦୁଇ ଦଶନ୍ଧି ଧରି ସିପିଆଇ(ଏମ୍‌)ର ରାଜ୍ୟ ସମ୍ପାଦକ, ପଲ୍‌ଟିବ୍ୟୁରୋ ସଦସ୍ୟ, କେନ୍ଦ୍ରୀୟ ଶ୍ରମିକ ସଂଗଠନ ସିଆଇଟିୟୁର ରାଜ୍ୟ ସଭାପତି ଭାବରେ ସାଧାରଣ ମଣିଷଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ତାଙ୍କର ବେସାଲିସ୍ ସଂଗ୍ରାମ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ । ବାମ ଆଦର୍ଶର ଏହି ବର୍ଷୀୟାନ ନେତାଙ୍କ ବିୟୋଗ ରାଜ୍ୟ ତଥା ଦେଶର ବାମପନ୍ଥୀ ପ୍ରଗତିଶୀଳ ଆନ୍ଦୋଳନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଏକ ଶୋକବାର୍ତ୍ତାରେ ଫରୱାର୍ଡ଼ ବ୍ଲକର ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ