ପୂର୍ବ ଶତ୍ରୁତାରୁ ପୋଷ୍ଟମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ
ବଲାଙ୍ଗିର,(ସୁଜିତ କୁମାର ମେହେର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୋଷ୍ଟମାଷ୍ଟରଙ୍କୁ ବର୍ବର ଭାବେ ଆକ୍ରମଣ କରିଛନ୍ତି ଜଣେ ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ତମିଆ ଗାଁରେ । ଗୁରୁତର ପୋଷ୍ଟମାଷ୍ଟର ଜଣକ ହେଲେ ତମିଆ ଗାଁର ଔଷଧ ପଧାନ । ସେ ଭରତବାହାଲ ପୋଷ୍ଟ ଅଫିସରେ କାର୍ଯ୍ୟ କରନ୍ତି । ଆଜି ସକାଳେ ଡାକଘରୁ ଫେରୁଥିବା ବେଳେ ଗାଁ ସ୍କୁଲ ନିକଟରେ ଜଣେ ବ୍ୟକ୍ତି ଔଷଧ ପ୍ରଧାନଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲେ । ପରିବାର ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଔଷଧ ଙ୍କ ମୁହଁ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ ବଲାଙ୍ଗିରରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁସାରେ ପୂର୍ବରୁ ଥରେ ଗଣ୍ଡଗୋଳ ହୋଇଥିବାରୁ ଔଷଧ ପ୍ରଧାନ ଉକ୍ତ ବ୍ୟକ୍ତିଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ । ତେବେ ପୂର୍ବ ମାରପିଟ ଓ ଶତ୍ରୁତାକୁ କେନ୍ଦ୍ର କରି ଔଷଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ କରାଯାଇଥିବା ତାଙ୍କ ସ୍ତ୍ରୀ ବିନୋଦିନୀ ପ୍ରଧାନ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଲରମ୍ଭା ଥାନା ପୋଲିସ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଔଷଧଙ୍କ ପରିବାର ଲୋକେ ଦାବି କରିଛନ୍ତି |