ପୃଷ୍ଟିକର ମଧ୍ୟାହ୍ନ ଭୋଜନ ପାଇଁ ଲଞ୍ଚ୍ ହେଲା ‘ଫୋସାଫଏମଡିଏମ’ ଆପ୍
ଭୁବନେଶ୍ବର, (ୱାଇଏନ୍ଏସ୍): ରାଜ୍ୟରେ ବିଦ୍ୟାଳୟମାନଙ୍କରେ ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ଅଧିକ ପୋଷଣଯୁକ୍ତ ଓ ସ୍ବାସ୍ଥ୍ୟକର କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଅତ୍ୟାଧୁନିକ ନୂଆ ଆପ୍ ଜାରି କରାଯାଇଛି । ଜାତିସଂଘ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଇଏଫ) ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ‘ଫୋସାଫଏମଡିଏମ’ ଆପ୍ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକରେ କାମ କରୁଥିବା ରୋଷେୟା-ସହାୟକଙ୍କୁ ତାଲିମ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲା କାମାକ୍ଷାନଗରର ୧୫୮ ବିଦ୍ୟାଳୟରୁ ଏହାର ଶୁଭାରମ୍ଭ କରାଯାଇଛି। ‘ଫୋସାଫଏମଡିଏମ’ ଆପ୍ ଥିବା ଟାବଲେଟ ପ୍ରତ୍ୟେକ ରୋଷେୟା-ସହାୟକଙ୍କୁ ପ୍ରଦାନ କରାଯିବ। କାମାକ୍ଷାନଗରର ସମସ୍ତ ବିଦ୍ୟାଳୟକୁ ଡବ୍ଲ୍ୟୁଇଏଫ ଟାବଲେଟ ପ୍ରଦାନ କରିବ। ଏଥିରେ ଥିବା ବିଷୟବସ୍ତୁ ଉଭୟ ଅନଲାଇନ ଓ ଅଫଲାଇନରେ ଉପଲବ୍ଧ ହେଉଛି। ସମୟାନୁକ୍ରମେ ଆପର ଅଧୁନାତନ କରାଯିବ। ଭୁବନେଶ୍ବରଠାରୁ ‘ଫୋସାଫଏମଡିଏମ’ ଆପ୍ ଶୁଭାରମ୍ଭ କରି ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, ସେମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟରୁ ପିଲାଙ୍କୁ କିପରି ଅଧିକ ପୋଷଣ ମିଳିବ ତାହା ଆପ୍ ଦ୍ବାରା ରୋଷେୟା-ସହାୟକମାନେ ତାଲିମ ପାଇପାରିବେ।


