ପେଟ୍ରୋଲ ପମ୍ପ୍ ରେ ପେଟ୍ରୋଲ୍ ବଦଳରେ ପାଣି : ଗାଡ଼ି ଚାଳକ ହନ୍ତସନ୍ତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବୋଝ ଉପରେ ନଳିତା ବିଡ଼ା ପରି ପେଟ୍ରୋଲ୍ ର ଚଢ଼ା ଦର ସାଙ୍ଗକୁ ଗାଙ୍ଗପୁର ପେଟ୍ରୋଲ୍ ପମ୍ପରୁ ନିଜ ଗାଡ଼ିରେ ପାଣି ମିଶା ପେଟ୍ରୋଲ ପକାଇ ଆଜି ବହୁ ଗାଡ଼ି ଚାଳକ ହନ୍ତସନ୍ତ ହୋଇଛନ୍ତି I ସୂଚନା ପ୍ରକାରେ ଆଜି ସକାଳେ କିଛି ମୋଟରସାଇକେଲ୍ ଚାଳକ ଗାଙ୍ଗପୁର ପେଟ୍ରୋଲ୍ ପମ୍ପ୍ ରୁ ନିଜ ଗାଡ଼ିରେ ପେଟ୍ରୋଲ୍ ପକାଇଥିଲେ I ସେମାନଙ୍କ ମଧ୍ୟରୁ କିଛି ଗାଡ଼ି ଚାଳକଙ୍କ ଗାଡ଼ି ଷ୍ଟାର୍ଟ ହୋଇନଥିବା ବେଳେ କିଛି ଗାଡ଼ି ଚାଳକଙ୍କ ଗାଡ଼ି ଗୁଡ଼ିକ ଅଧା ରାସ୍ତାରେ ଅଟକି ଯାଇଥିଲା I ଗାଡ଼ି ଚାଳକ ମାନଙ୍କ ପେଟ୍ରୋଲ୍ ପମ୍ପ ଉପରେ ସନ୍ଦେହ ହେବାରୁ ସେମାନେ ଆସି ପେଟ୍ରୋଲ୍ ପମ୍ପ୍ ରୁ ବୋତଲରେ ପେଟ୍ରୋଲ ନେଇ ପେଟ୍ରୋଲର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ I ବୋତଲରେ ଯେଉଁ ପେଟ୍ରୋଲ୍ ସଂଗ୍ରହ ହୋଇଥିଲା ସେଥିରେ ତିନି ଭାଗ ପାଣି ରହିଥିବା ବେଳେ ମାତ୍ର ଏକ ଭାଗ ପେଟ୍ରୋଲ୍ ରହିଥିଲା I ଏନେଇ ପେଟ୍ରୋଲ୍ ପମ୍ପ୍ ନିକଟରେ ଦୀର୍ଘ ଗ୍ରାହକ ଅସନ୍ତୋଷ ବୃଦ୍ଧି ପାଇଥିଲା I ଏନେଇ ପମ୍ପ୍ ମାଲିକଙ୍କ ସହ ଯୋଗାଯୋଗ କରିବାରୁ ସେ ଘଟଣା ସମ୍ପର୍କରେ ପମ୍ପ୍ ପରିଚାଳକଙ୍କ ସହ କଥା ହେବାକୁ କହିଥିଲେ I ପମ୍ପ୍ ପରିଚାଳକଙ୍କୁ ପଚାରିବାରେ ସେ ସଫେଇ ଦେଇଥିଲେ ଯେ ପେଟ୍ରୋଲ୍ ପ୍ରକ୍ରିୟା କରଣ ସମୟରେ ବେଳେ ବେଳେ ରାସାୟନିକ ଦ୍ରବ୍ୟର ମାତ୍ରା ଉଣା ଅଧିକ ହେଲେ ଏହିଭଳି ପରିସ୍ଥିତି ହୋଇଥାଏ ବୋଲି ସଫେଇ ଦେଇଥିଲେ I ଆଜି ପେଟ୍ରୋଲ୍ ପମ୍ପ୍ କୁ ବନ୍ଦ କରିଦିଆଯାଇଥିବା ବେଳେ ଆସନ୍ତା କାଲି କମ୍ପାନି କର୍ତ୍ତୁପକ୍ଷ ଆସିଲେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିବ ବୋଲି ପମ୍ପ୍ ପରିଚାଳକ ପ୍ରକାଶ କରିଛନ୍ତି I