ପେଟ ପୋଷିବା ପାଇଁ ବର୍ଷାରେ ବି ଦୋକାନ ଖୋଲେ ପରିବା ବେପାରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଓ ବଣ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ଭାବେ ପରିଚିତ। ଏଠାରେ ଖରାଦିନେ ବିଶେଷ ଭାବେ ଖରା ହୁଏ. ଶୀତ ଦିନରେ ବି ପ୍ରବଳ ଶୀତ ହୁଏ. ସେହିପରି ବର୍ତ୍ତମାନର ବର୍ଷା ଦିନରେ ପାହାଡିଆ ଅଞ୍ଚଳ ହୋଇଥିବାରୁ ତୁହାକୁ ତୁହା ଲଗାତାର ଭାବେ ବର୍ଷା ଲାଗି ରହିଥାଏ. ହେଲେ ରାସ୍ତାକଡ଼ର ପରିବା ଦୋକାନୀ ପେଟ ପୋଷିବା ପାଇଁ ଖରା, ବର୍ଷା, ଶୀତ କାକରରେ ନିଜ ବ୍ୟବସାୟକୁ ଆଦରି ପନିପରିବା ବିକ୍ରି କରିବା ପାଇଁ ବାଧ୍ୟ ହୋଇଥାଏ. ପନିପରିବା ସହିତ ଜୌବିକ ପଦ୍ଧତି ପନିପରିବାର ଚାହିଦା ରହିଥାଏ।ଗୁମ୍ମା ବ୍ଲକ ଛକରେ ଦୀର୍ଘଦିନ ଧରି ଆଖପାଖ ଅଞ୍ଚଳରୁ ଆଦିବାସୀ ମାନେ ମୁଖ୍ୟ ରାସ୍ତା କଡରେ ପନିପରିବା ବିକ୍ରି କରୁଥିବା ଦେଖିବାକୁ ମିଳୁଛି।ଏଠାରେ ଏହି ବେପାରୀ ମାନଙ୍କ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନଥିବାରୁ ଖରା ବର୍ଷାରେ ରାସ୍ତା କଡରେ ବେପାର କରନ୍ତି।ଏହି ଛକରେ ଗଛ ଥିବାରୁ ଖରାଦିନେ ଛତା ଟାଙ୍ଗି ବେପାର କରନ୍ତି।ବର୍ତ୍ତମାନ ବର୍ଷା ଦିନ ହେଉଥିବାରୁ ବହୁ କଷ୍ଟରେ ବେପାର କରୁଥିବା ଦେଖିବାକୁ ମିଳିଛି।ପନିପରିବା ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଆରଏମସି ପକ୍ଷରୁ ଶୀତଳ ଭଣ୍ଡାର ଓ ମାର୍କେଟ କମ୍ପେଲସ ଜନ ଗହଳି ଠାରୁ ବହୁ ଦୂରରେ ରହିଥିବା ବେଳେ ବ୍ଲକ ଛକ ନିକଟରେ ହିଁ ସକାଳୁ ରାତି ଯାଏ ସଜ ପନିପରିବା ମିଳିଥାଏ।ଏହି ଛକରେ ପାହାଡ଼ରୁ ଆଦିବାସୀ ମାନେ ସପୁରୀ,କଦଳୀ,ଲେମ୍ବୁ,ଟମାଟ,ବାଇଗଣ,ବାଡ଼ିକନ୍ଦା,ମୁନିଗା,ଆମ୍ବ,ପଣସ ଭଳି ଅନେକ ଦେଶୀ ସାମଗ୍ରୀ ଆଣି ବିକ୍ରି କରିଥାନ୍ତି।ତେବେ ଏଠାରେ ବର୍ଷା ଯୋଗୁଁ ବେପାର କରିବା କଷ୍ଟକର ହୋଇପଡ଼ିଛି।କିଛି ଦିନ ଧରି ଝିପି ଝିପି ବର୍ଷା ଲାଗି ରହିଥିବା ସହ ବର୍ଷା ଋତୁରେ ଏମାନଙ୍କ ଭାଗ୍ୟ ବର୍ଷା ଉପରେ ବନ୍ଧା ପଡ଼ିଥିବା ପରିଲକ୍ଷିତ ହେଉଛି। ପେଟ ପାଟଣା ପାଇଁ କଷ୍ଟ ସହିବାର ଅଛି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ପରିବା ବିକାଳୀ ବବିଲା କାର୍ଜି, ନୋହର ଗମାଙ୍ଗ,ଏଲିନା ଶବର,ମୋଇବିତା ଗମାଙ୍ଗ ଓ ଗୀତାଞ୍ଜଳି ମଣ୍ଡଳ ପ୍ରମୁଖ ଏପରି ସମସ୍ୟା ସମ୍ପର୍କରେ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇବା ସହ ଵିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଏଭଳି ପରିବା ବିକାଳୀଙ୍କ ପାଇଁ ରାସ୍ତା କଡ଼ରେ କେତେକ ଦୋକାନ ଗୃହର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।