ପେନସନ ଟଙ୍କାରେ ନିର୍ମିତ ପୋଲକୁ ଲୋକାର୍ପିତ କଲେ ଗଙ୍ଗାଧର

ହାଟଡିହି (ଓ୍ବାଇଏନ୍ଏସ୍) : ଆଜିର ସ୍ୱାର୍ଥପର ଦୁନିଆରେ ଲୋକମାନେ ନିଜ ସ୍ୱାର୍ଥ ବ୍ୟତୀତ ଅନ୍ୟ କିଛି କରୁନଥିବାବେଳେ ଜଣେ ସାଧାରଣ ଲୋକ ହୋଇ ଗୋଟିଏ ଅଞ୍ଚଳର ଲୋକଙ୍କ ଯାତାୟତ ପାଇଁ ଯେ ନିଜର କଷ୍ଟୋପାର୍ଜିତ ଧନରେ ପୋଲଟିଏ ନିର୍ମାଣ କରିବେ ତାହା କେବେ ବିଶ୍ୱାସ କରିପାରିବେନି । ପରିବାର ଲୋକଙ୍କ କାର କିଣିବାପାଇଁ ଚାହିଁ ବସିଥିବାବେଳେ କାର ନକିଣି ସେହି ଟଙ୍କାରେ ନିର୍ମାଣ କଲେ ପୋଲ । ପରିବାର ଲୋକଙ୍କ କାର ଚଢ଼ିବା ସ୍ୱପ୍ନ ସିନା ପୁରା ହେଲାନି, ହେଲେ ସେହି ଟଙ୍କାରେ ୩ଟି ପଞ୍ଚାୟତର ଲୋକଙ୍କର ବହୁ ଦିନର ଆଶା ପୁରଣ ହେଲା । ନିଜ ପେନସନ ଟଙ୍କାରୁ ୧୮ଲକ୍ଷ ଟଙ୍କା ଖର୍ଚ୍ଚକରି ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରି ସାରା ଭାରତବର୍ଷରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଗଙ୍ଗାଧର ରାଉତ । ତାଙ୍କ ଦ୍ୱାରା ନିର୍ମିତ ପିଉସା ପୁତୁରା ସେତୁକୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଲୋକର୍ପଣ କରିଛନ୍ତି । କାର କିଣିବାକୁ ସଞ୍ଚିତ କରିଥିବା ପେନସନ ଟଙ୍କାକୁ ଏହି ପୋଲ ତିଆରିରେ ଖର୍ଚ୍ଚକରି ଆଜି ନିଜ ବାପାଙ୍କ ୰ପରବାସୀ ରାଉତ ଓ ଭାଇ ୰ପ୍ରାଣବନ୍ଧୁ ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରି ସମଗ୍ର ରାଜ୍ୟରେ ଉଦାହରଣ ପାଲଟିଛନ୍ତି । ଏହି ପୋଲ ସମ୍ପୁର୍ଣ୍ଣ ଦ୍ୱାରା କାନପୁର, ମରଚାଇପଦା, ନିଉଦାନି, ଦନେଇପୁର ଆଦି ଗ୍ରାମର ଲୋକମାନେ ସହଜରେ ନଦୀର ଅପରପାଶ୍ୱର୍କୁ ଯାତାୟତ କରିପାରିବେ । ଓ ଚାଷୀମାନେ ନଦୀର ଅପରପାଶ୍ୱର୍ରେ ଥିବା ଚାଷଜମିକୁ ହଳବଳଦ ଧରି ଯାତାୟତ କରିପାରିବେ ବୋଲି ଗ୍ରାମବାସୀମାନେ କହିଛନ୍ତି ।
କାନପୁର ଗାଁର ଗୋପବନ୍ଧୁ ସାଜିଥିବା ଗଙ୍ଗାଧର ଜଣେ ପଶୁଧନ ନିରୀକ୍ଷକ ଭାବେ କାର୍ଯ୍ୟକରି ଗତ ୨୦୧୬ରେ ଚାକିରିରିରୁ ଅବସର ନେବାପରେ ଯେଉଁ ପଇସା ପାଇଥିଲେ ସେଥିରେ ଏକ କାର କିଣିବାପାଇଁ ଘର ଲୋକମାନେ କହୂୁଥିବାବେଳେ ସେ କିନ୍ତୁ ଭିନ୍ନ ଚିନ୍ତାଧାରା ରଖି ଗାଁ ଲୋକଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାକୁ ଚିନ୍ତା କରିଥିଲେ । କିଛି ସହଯୋଗୀଙ୍କ ପରାମର୍ଶକ୍ରମେ ସେ ଗତ ମାର୍ଚ୍ଚ ୨୦୧୮ରେ ଏହି ପୋଲ ଆରମ୍ଭ କରିଥିଲେ । ୧୮ଲକ୍ଷ ୧୦ହଜାର ଟଙ୍କା ବ୍ୟୟକରି ସେ ୨୧୦ଫୁଟ ଲମ୍ବ୧୦ଫୁଟ ଓସାରର ଏକ ଫୁଟ ବ୍ରିଜ ନିର୍ମାଣ କରିଥଲେ । ଏଥିରେ ଗଙ୍ଗାଧରଙ୍କ ନିଜସ୍ୱପାଣ୍ଠି୧୬ଲକ୍ଷ ଥିବାବେଳେ ତାଙ୍କ ପତ୍ନୀଙ୍କ ସଞ୍ଚିତ ଅର୍ଥରୁ ୧ଲକ୍ଷ, ପୁଅ ଜ୍ଞାନ ମନୋରଞ୍ଜନ ରାଉତ ୧ଲକ୍ଷ ଓ ଝିଅ ଜିଜ୍ଞାସା ରାଉତ ୧୦ହଜାର କରି ସହାୟତା ପ୍ରଦାନ କରିଥିଲେ ବୋଲି ଶ୍ରୀ ରାଉତ କହିଛନ୍ତି । କାରିଗର ରମେଶ ହାଁସଦା ଓ ବିଶ୍ୱନାଥ ଟୁଡୁଙ୍କ ଦ୍ୱାରା ଏହି ପୋଲ ନିର୍ମାଣ କରାଯାଇ ଥିବାବେଳେ ଆଜି ଏହାର ଲୋକର୍ପଣ କରାଯାଇଛି । ଏହି ପୋଲ ଦ୍ୱାରା ଗାଁ ଲୋକମାନେ ଅପରପାଶ୍ୱର୍କୁ ଯାଇ ସେମାନଙ୍କ ଚାଷବାଷ କରିପାରିବେ ବୋଲି ସେ କହିଛନ୍ତି । ନିଜ ପେନସନ ଅର୍ଥରେ ଏହି ପୋଲ ନିର୍ମାଣକରି ବିଭିନ୍ନ ଜାତୀୟ ସ୍ତରରେ ସେ ସମ୍ବର୍ଦ୍ଧିତ ହୋଇପାରିଛନ୍ତି । କିନ୍ତୁ ଏହି ପୋଲ ପାଖକୁ ଯିବାକୁ ଥିବା ସଂଯୋଗୀ କରଣ ରାସ୍ତା ନଥିବାରୁ ଗ୍ରାମବାସୀମାନେ ରାଜନେତାଙ୍କ ଠାରୁ ପ୍ରଶାସନିକ ଅଧିକାରୀ ମାନଙ୍କୁ ବାରମ୍ବାର ନିବେଦନ କରିଥିଲେବି କୌଣସି ସୁଫଳ ମିଳିନଥିବା ଗ୍ରାମର ବରିଷ୍ଠ ନାଗରିକ ବୃନ୍ଦାବନ ବେହେରା କହିଛନ୍ତି । ଏ ସମ୍ପର୍କରେ ଗଙ୍ଗାଧର କହିଛନ୍ତି ଯେ କାରଟିଏ କିଣିଥିଲେ ମୁଁ କି ମୋ ପରିବାର ଲୋକ ଯାଇଥାନ୍ତୁ କିନ୍ତୁ ସେହି ଟଙ୍କାରେ ଏହିଯେଉଁ ପୋଲ ହେଲା ସେଥିରେ ମୁଁ ଆମ ପରିବାର ଆମ ଗ୍ରାମବାସୀଙ୍କ ସହିତ ତିନୋଟି ପଞ୍ଚାୟତର ଲୋକମାନେ ଯାତାୟତ କରିପାରିବେ ଯାହାକି ମୋତେ ଆନନ୍ଦିତ କରୁଛି ବୋଲି କହିଛନ୍ତି । ତାଙ୍କର ଏହି ମହନୀୟତା ପାଇଁ ଆଜି ଗଙ୍ଗାଧରଙ୍କୁ ସବୁସ୍ତରରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ