ପେଶାଦାର ସାଇକେଲ ଚୋର ଗିରଫ, ୧୨ ସାଇକେଲ ଜବତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରୀ ହେଉଥିବା ସାଇକେଲ କୁ ମଙ୍ଗଳବାର ହିଞ୍ଜିଳି ପୋଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଚୋରୀ କରୁଥିବା ଜଣେ ପେଶାଦାର ସାଇକେଲ ଚୋରକୁ ହିଞ୍ଜିଳି ପୋଲିସ ଗିରଫ କରିବା ସହ ଗିରଫ ଯୁବକଙ୍କ ଠାରୁ ୧୨ଟି ସାଇକେଲ ଜବତ କରିଛି । ଗିରଫ ଯୁବକ ଜଣକ ହେଲେ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମ କାଳିମନ୍ଦିର ସାହିର ମିଟୁ ଦଳେଇ(୨୨)। ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୬୧୨/୨୧ରେ ମାମଲା ରୁଜୁ କରି ଗିରଫ ଯୁବକଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ଗତ ୧୪ ତାରିଖ ପୂର୍ବାହ୍ନରେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ରାଧାକୃଷ୍ଣ ସାବତଙ୍କ ଝିଅ ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣାସାହିରେ ଥିବା ଏକ କମ୍ପ୍ୟୁଟର ସେଣ୍ଟର କୁ ଶିକ୍ଷା ଅଧ୍ୟୟନ ପାଇଁ ଆସିଥିଲେ । କମ୍ପ୍ୟୁଟର କ୍ଳାସ ଶେଷ ପରେ ଶିକ୍ଷାର୍ଥୀ ଜଣକ ବାହାରକୁ ଆସି ଦେଖିବା ବେଳକୁ ତାଙ୍କ ସାଇକେଲ ନଥିଲା । ଘଟଣା ନେଇ ଶିକ୍ଷାର୍ଥୀ ପରିବାର ସଦସ୍ୟଙ୍କୁ କହିଥିଲେ । ସେହି ଦିନ ଅପରାହ୍ନରେ ମିଟୁ ସାଇକେଲ ବିକ୍ରି କରିବା ପାଇଁ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମକୁ ଯାଇଥିଲେ । ରାଧାକୃଷ୍ଣ ନିଜ ଝିଅର ଚୋରୀ ସାଇକେଲ କୁ ଚିହ୍ନଟ କରି ମିଟୁଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । ଘଟଣା ନେଇ ରାଧାକୃଷ୍ଣ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେଶ ନମ୍ବର ୬୧୨/୨୧ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ମଙ୍ଗଳବାର ସକାଳେ ମିଟୁ ହିଞ୍ଜିଳିକାଟୁ ପରିବା ବଜାରରେ ବୁଲୁଥିବା ବେଳେ ପୋଲିସ ଗିରଫ କରିଛି । ପୂର୍ବରୁ ମିଟୁଙ୍କ ନାମରେ ମଧ୍ୟ ବହୁ ଚୋରୀ କେଶ ରହିଛି ବୋଲି ଥାନା ଆଇଆଇସି ଦାସ କହିଛନ୍ତି ।


