ପେଶା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା ନିଆରା ଶିକ୍ଷକ ବିଜୟ ଭଟ୍ଟ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ବେଳାଭୂମି ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ବିଜୟ କୁମାର ଭଟ୍ଟ ଜଣେ ନିଆରା ମଣିଷ। ପେଶା ତାଙ୍କର ଶିକ୍ଷକତା କିନ୍ତୁ ନିଶା ତାଙ୍କ ର ପରିବେଶ ସୁରକ୍ଷା ଚିନ୍ତା। ପ୍ରତି ବର୍ଷ ବର୍ଷା ଋତୁ ରେ ସେ ଅସ୍ତରଙ୍ଗ ଉପକୂଳ ଅଞ୍ଚଳରେ ୧୯୯୯ ମସିହା ଠାରୁ ନିରବଛିନ୍ନ ଭାବେ ଲଗାଇ ଆସୁଛନ୍ତି ତାଳ ଗଛ। ଚଳିତ ବର୍ଷ ତାଳ ମଞ୍ଜି ରୋପଣ ପାଇଁ ୫,୦୦୦ ରୁ ଉର୍ଦ୍ଧ୍ବ ତାଳ ମଞ୍ଜି ସଂଗ୍ରହ କରିଛନ୍ତି ସେ । ପେଶାରେ ଶିକ୍ଷକତା ବୃତ୍ତିରେ ରହି ମଧ୍ୟ ଛୁଟି ଦିନ ଏବଂ ବିଦ୍ୟାଳୟ ଛୁଟି ପରେ ସବୁବେଳେ ପରିବେଶ ସୁରକ୍ଷା ପାଇଁ ସମୟ ଦେଉଥିବା ଶ୍ରୀ ଭଟ୍ଟ ପ୍ରତିବର୍ଷ ପରି ଚଳିତ ବର୍ଷ ନିଜର ପୁରାତନ ଛାତ୍ର, ପରିବେଶ କର୍ମୀ, ସ୍ଥାନୀୟ ଲୋକଙ୍କ ସହଯୋଗରେ ୫,୦୦୦ ରୁ ଅଧିକ ତାଳ ମଞ୍ଜି ସଂଗ୍ରହ କରିବାରେ ସମର୍ଥ ହୋଇଛନ୍ତି । ଆଗାମୀ ଦିନରେ ଏହି ତାଳ ମଞ୍ଜି ସବୁ ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ର ରାଇବେରୁଆଁ ଠାରୁ ଆରମ୍ଭ କରି କେଳୁଣି ମୁହାଣ ପର୍ଯ୍ୟନ୍ତ ଥିବା ନଦୀ ବନ୍ଧରେ ରୋପଣ କରାଯିବ । ୧୯୯୯ ମସିହାରୁ ଆରମ୍ଭ କରିଥିବା ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ଶ୍ରୀ ଭଟ୍ଟ ଅତ୍ୟନ୍ତ ନିଷ୍ଠାର ସହ ଜାରି ରଖିଥିବା ଏହି ନିରବଚ୍ଛିନ୍ନ ପ୍ରୟାସ, ଅସ୍ତରଙ୍ଗ ଅଞ୍ଚଳ ପାଇଁ ଆଗାମୀ ଦିନରେ ଏକ ନୂଆ ଆଶା ସଞ୍ଚାର କରିଛି । ଅନେକ ନଦୀ କୂଳରେ ଲଗାଯାଇଥିବା ତାଳ ମଞ୍ଜି ଏବେ ବଡ଼ ବୃକ୍ଷ ହୋଇ ମୁଣ୍ଡ ଟେକିଲେଣି ଯାହା ଆଗାମୀ ଦିନରେ ନଦୀକୂଳ ଅବକ୍ଷୟ ସମସ୍ୟାକୁ ପ୍ରତିହତ କରିବାରେ ଯଥେଷ୍ଟ ସହାୟକ ହେବ । ଉଜୁଡ଼ି ଯାଉଥିବା ପରିବେଶକୁ ସଜାଡ଼ିବା ସହ ସବୁଜିମା ଫେରାଇବାକୁ ଏହି ଦୀର୍ଘ ଦିନର ପ୍ରଚେଷ୍ଟା ସ୍ଥାନୀୟ ଅଞ୍ଚଳରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି ।
ତାଙ୍କ ମତରେ ପ୍ରାକୃତିକ ଅବଦାନ ଦୃଷ୍ଟି କୋଣରୁ ତାଳ ଗଛ ପୃଥିବୀର ଏକ ମୂଲ୍ୟବାନ ଗଛ ବୋଲି ବିବେଚନା କରାଯାଏ । ପ୍ରାୟ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବା ତାଳ ଗଛର ମୂଳଭୂମି ବା ଚେର ମାଟି ର ବେଶ୍ ଗଭୀରକୁ ଯାଏ ଏବଂ ତାଳଗଛକୁ ପରିବେଶର ରକ୍ତଭଣ୍ଡାର ବୋଲି କୁହାଯାଇଥାଏ | ତାଳ ଗଛ ବେଶ ଲମ୍ବା ହୋଇଥିବାରୁ ସେମାନେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରନ୍ତି ଏବଂ ପ୍ରାକୃତିକ ଦୁର୍ବିପାକ ସମୟରେ ଘଡଘଡି, ଚଡଚଡ଼ିର ଶକ୍ତିକୁ ଅବଶୋଷଣ କରି ସୁରକ୍ଷା ପ୍ରଦାନ କରିଥାଆନ୍ତି । ଉଦ୍ଭିଦ ପ୍ରଜାତି ମଧ୍ୟରେ ତାଳ ଗଛ ହେଉଛି ଏକମାତ୍ର ଯାହା ବଢିବା ପାଇଁ ଖତ କିମ୍ବା ସାର ଆବଶ୍ୟକ କରେ ନାହିଁ ଏବଂ ମରୁଡ଼ି ସମୟରେ ମଧ୍ୟ ବଞ୍ଚିବାର କ୍ଷମତା ରଖିଥାଏ । ଗଛ ମୂଳରେ ବିବିଧ ପ୍ରକାରର କୀଟ ମାନ ପାଇଁ ଉତ୍କୃଷ୍ଟ ବାସସ୍ଥାନ ଯୋଗାଇବା ସହିତ ବାଇ ଚଢ଼େଇ ପରି ବିଲୁପ୍ତପ୍ରାୟ ଚଢେଇମାନେ ନିଜ ଆବାସସ୍ଥଳୀ ଭାବରେ ତାଳଗଛକୁ ବ୍ୟବହାର କରନ୍ତି | ଅନୁରୂପେ ଭାବରେ, ଭୂତଳ ଜଳ ସ୍ତରକୁ ଅକ୍ଷୁର୍ଣ୍ଣ ରଖିବାରେ ତାଳ ଗଛ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | କୌଣସି ଜଳାଶୟ ବନ୍ଧ ନିକଟରେ ତାଳ ଗଛ ରହିଥିଲେ ମଧ୍ୟ ଭୂତଳ ଜଳ ସମାନ ଭାବରେ ବିସ୍ତାର ହୋଇ ଉକ୍ତ ସ୍ଥାନର ଭୂମି ସ୍ତର ଆର୍ଦ୍ର ରଖିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ | ଏଥିସହିତ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସହିତ ଔଷଧୀୟ ବ୍ୟବହାରରେ ତାଳଗଛ ବେଶ୍ ଉପକାରରେ ଆସିଥାଏ । ଯେତେବେଳେ ସନ୍ତୁଳିତ ପରିବେଶ ସାମଗ୍ରିକ ଭାବରେ ଉଜୁଡି ଯାଉଛି, ସେ ସମୟରେ ଅହେତୁକ ହ୍ରାସ ପାଇଥିବା ତାଳଗଛ ସଂଖ୍ୟାକୁ ବୃଦ୍ଧି କରି ନିକଟ ଭବିଷ୍ୟତରେ ଅସ୍ତରଙ୍ଗ ଅଞ୍ଚଳର ସବୁଜିମା ଫେରାଇ ଆଣିବାକୁ ଶିକ୍ଷକ ଭଟ୍ଟଙ୍କ ଦୀର୍ଘ ଦିନର ପ୍ରଚେଷ୍ଟା ଓ ଇଚ୍ଛାଶକ୍ତିକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ତାଳ ଗଛ ର ପତ୍ର, ଗଣ୍ଡି, ବାହୁଙ୍ଗା ସବୁ କାର୍ଯ୍ଯ ରେ ଲାଗିଥାଏ। ଏହି ଗଛ ଏବେ ଲୋପ ପାଇଯାଉଥିବାରୁ ପ୍ରତିବର୍ଷ ବଜ୍ରପାତ
ରେ ଅଧିକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏଣୁ ଏହି ଗଛ ବୃଦ୍ଧି କରିବାକୁ ଶ୍ରୀ ଭଟ୍ଟ ଯେଉଁ ମହତ ଉଦ୍ୟମ ଆରମ୍ଭ କରିଛନ୍ତି ତାହାକୁ ସବୁ ମହଲ ରେ ସ୍ବାଗତ କରା ଯାଇଛି। ଶ୍ରୀ ଭଟ୍ଟ ଙ୍କୁ ବନ ବିଭାଗ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।