ପୋଖରୀରେ ବୁଡି ବୃଦ୍ଧ ମୃତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଗ୍ରାମ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ପୁର୍ଣ୍ଣ ଚନ୍ଦ୍ର ବେହେରା (୮୧) । ଏ ନେଇ ହିଞ୍ଜିଳି ଥାନାରେ ୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ ମୃତ ପୁର୍ଣ୍ଣ ଶୁକ୍ରବାର ଅପରାହ୍ନରେ ଗାଧୋଇବା ସକାଶେ ଗ୍ରାମ ନିକଟସ୍ଥ ପୋଖରୀକୁ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ସଦସ୍ୟ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା। ପରେ ପୁର୍ଣ୍ଣଙ୍କ ଶରୀର ପୋଖରୀ ପାଣିରେ ଭାସୁଥିବା ଗ୍ରାମର କିଛି ଲୋକ ଦେଖି ପରିବାର ସଦସ୍ୟଙ୍କୁ ଜଣାଇଥିଲେ । ଖବର ପାଇ ପରିବାର ସଦସ୍ୟ ତାଙ୍କୁ ପୋଖରୀ ପାଣିରୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଛି । ରବିବାର ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି ।